ବ୍ୟାଙ୍କ୍ ବଢ଼ାଇଲାନି ସାହାଯ୍ୟର ହାତ; ନିଜସ୍ବ ଉଦ୍ୟମରେ କୁକୁଡ଼ା ପାଳି ସ୍ବାବଲମ୍ବୀ ହେଲେ ଉର୍ବଶୀ

 

ଖଜୁରୀପଡ଼ା: ବ୍ୟାଙ୍କ୍‌କୁ ଗଲେ। ଋଣ ପାଇଁ ନେହୁରା ବି ହେଲେ । ହେଲେ ବ୍ୟାଙ୍କ୍‌ର ବାବୁମାନେ ତାଙ୍କ ଉପରେ ଜମାରୁ ଭରସା କଲେନି। ଓଲଟି ନିରାଶ କରାଇ ଫେରାଇଦେଲେ। କିନ୍ତୁ ଏହି ନିରାଶ ତାଙ୍କୁ ନିଜସ୍ବ ଉଦ୍ୟମରେ କିଛି କରିବାକୁ ବାଟ କଢ଼ାଇଲା। ପାଖରେ ଥିବା ୫ଶହ ଟଙ୍କାରେ ସେ କିଛି ଦେଶୀ କୁକୁଡ଼ା କିଣିଲେ। ଆଉ ପାରମ୍ପରିକ ପଦ୍ଧତିରେ ପାଳିବା ଆରମ୍ଭ କଲେ। ବାସ୍‌ ଏଇଠୁ ମିଳିଗଲା ରୋଜଗାରର ପନ୍ଥା। ମାତ୍ର ଦୁଇ, ତିନିଟି କୁକୁଡ଼ାରୁ ଏବେ ଏକାଥରକେ ୫୦ରୁ ଅଧିକ କୁକୁଡ଼ା ପାଳିଛନ୍ତି। ପ୍ରତିମାସରେ କୁକୁଡ଼ା ବିକ୍ରି କରି ଭଲ ଦିପଇସା ରୋଜଗାର କରୁଛନ୍ତି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅରାପାଜୁ ଗ୍ରାମପଞ୍ଚାୟତ ପିପଲପଡ଼ା ଗ୍ରାମ କ୍ଷେତ୍ରପଲ୍ଲୀ ସାହିର ଏଭଳି ଜଣେ ସ୍ୱାବଲମ୍ବୀ ମହିଳା ହେଉଛନ୍ତି ଉର୍ବଶୀ ଦିଗାଲ। କୌଣସି ଅତ୍ୟାଧୁନିକ ପଦ୍ଧତି ନଆପଣାଇ ବି ଏବେ ଉର୍ବଶୀ ନିଜ ଗୋଡ଼ରେ ଛିଡ଼ା ହୋଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।
ଉର୍ବଶୀଙ୍କ ପରିବାର କହିଲେ ସ୍ୱାମୀ, ପୁଅ ଏବଂ ଶାଶୂ ଓ ଶ୍ୱଶୁରଙ୍କୁ ନେଇ ଛୋଟିଆ ସଂସାର। କନ୍ଧମାଳ ଭଳି ଅବହେଳିତ ଜିଲ୍ଲାର ବାସିନ୍ଦା ଭାବେ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ସହଜ ନଥିବା ବେଳେ ଉର୍ବଶୀ ନିଜ ଗ୍ରାମର ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ୍ ହୋଇ କିଛି ରୋଜଗାର କରି ପରିବାର ପ୍ରତିପୋଷଣ ପାଇଁ ମନ ବଳାଇଥିଲେ। କିଭଳି ନିଜ ଉଦ୍ୟମରେ କିଛି ଅଧିକ ରୋଜଗାର କରିବେ ସେନେଇ ବାଟ ଖୋଜିଥିଲେ। ଅନେକ ଥର ନିକଟସ୍ଥ ବ୍ୟାଙ୍କ୍ ସହ ଯୋଗାଯୋଗ କରି ଗୋଟିଏ ଯୋଜନାର ଚିନ୍ତା କରିଥିଲେ। କିନ୍ତୁ ଉର୍ବଶୀ ସବୁଥର ବିଫଳ ପରେ ନିଜେ ମାତ୍ର ୫ ଶହ ଟଙ୍କାରେ କୁକୁଡ଼ା କିଣି ପାଳନ କରିଥିବା ବେଳେ ବର୍ତ୍ତମାନ ପ୍ରାୟ ଚାରିବର୍ଷ ଧରି ଏହି ଦେଶୀ କୁକୁଡ଼ା ବ୍ୟବସାୟ କରୁଛନ୍ତି।  ଭଲ ରୋଜଗାର ସହ ନିଜ ପରିବାରର ପ୍ରତିପୋଷଣ କରୁଛନ୍ତି।
ବର୍ତ୍ତମାନ ପ୍ରତିମାସରେ ଅତିକମ୍‌ରେ ୫ରୁ ୬ ହଜାର ଟଙ୍କା ଘରେ ବସି ରୋଜଗାର କରିପାରୁଥିବା ଉର୍ବଶୀ ଆଗାମୀ ଦିନରେ ଗୋଟିଏ ଭଲ କୁକୁଡ଼ା ଫାର୍ମ ନିଜ ଉଦ୍ୟମରେ କରିବାକୁ ଅଣ୍ଟା ଭିଡ଼ିଥିବା କହିଛନ୍ତି। ନିକଟସ୍ଥ ବଜାରରେ ରହିଥିବା ଦେଶୀ କୁକୁଡ଼ାର ଚାହିଦା ପୂରଣ ସହ ଦେଶୀ ଅଣ୍ଡା ମଧ୍ୟ ବଜାରକୁ ପଠାଇବାକୁ ଚିନ୍ତା କରିଛନ୍ତି। ଉର୍ବଶୀ କହନ୍ତି, ସେ କୌଣସି ସଂସ୍ଥା କିମ୍ବା ବ୍ୟାଙ୍କରୁ ଋଣ ନକରି ଆଗକୁ ବଢ଼ୁଛନ୍ତି। ତାଙ୍କ ଭଳି ଏମିତି ଅନେକ ଗରିବ ମହିଳା ଅଛନ୍ତି, ଯେଉଁମାନେ ବାସ୍ତବରେ ବ୍ୟାଙ୍କରୁ ଋଣ ପାଇବାରେ ବିଫଳ ହେଉଛନ୍ତି। ବ୍ୟାଙ୍କର ନିୟମ ଓ କାଗଜପତ୍ରର ଦ୍ବାହି ଦେଇ ଋଣରୁ ବଞ୍ଚିତ କରାଯାଉଛି। ତେଣୁ ସରକାର ଯଦି ତାଙ୍କ ଭଳି ଗ୍ରାମାଞ୍ଚଳରେ ବସବାସ  ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ସହାୟତା କରନ୍ତେ, ତାହେଲେ ଅନେକ ମହିଳା ରୋଜଗାରକ୍ଷମ ହେବା ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରନ୍ତା ବୋଲି କହଛନ୍ତି। ତେବେ ବୀମା କିମ୍ବା ପଶୁ ସଂପଦ ବିଭାଗର ପକ୍ଷରୁ ସହାୟତା ନଥିବାରୁ ମଝିରେ ମଝିରେ ରୋଗାକ୍ରାନ୍ତ ହେଲେ କୁକୁଡା ସବୁ ମରିଯାଉଥିବା କାରଣରୁ ବହୁତ କ୍ଷତି ସହିବାକୁ ପଡ଼ୁଛି ବୋଲି ଉର୍ବଶୀ କହିଛନ୍ତି।
ସମ୍ବନ୍ଧିତ ଖବର