ୟୁରିଆ ପାଇଁ ହାହାକାର, ଆବଶ୍ୟକ ବେଶୀ, ମିଳୁଛି କମ୍

ଜୟପୁର: କୋରାପୁଟ ଜିଲ୍ଲାରେ ଭଲ ବର୍ଷା ହେଉଛି। ଧାନ ବୁଣା ଓ ରୁଆ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଧାନ ରୁଆ ସମୟରେ ସାର ନିଅଣ୍ଟ ପଡିଥିବା ବ‌େଳେ ଏବେ ଧାନ ଗର୍ଭ ସଂଚାର ସମୟରେ ବି ସାର ମିଳୁନି। ଆବଶ୍ୟକ ମୁତାବତ ସାର ମିଳିପାରୁନଥିବା ବ‌େଳେ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛି। ସାର ପାଇଁ ଚାଷୀ ବ୍ୟବସାୟୀଙ୍କ ନିକଟକୁ ଦୌଡି ନୟାନ୍ତ ହୋଇପଡୁଛି। ଏନେଇ ଆଜି ଜୟପୁର ତେଲିଗୁଡା ସ୍ଥିତ ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତି (ଆର୍‌ସିଏମ୍‌ଏସ୍‌) ଗୋଦାମ ଠାରେ ଚା‌ଷୀମାନେ ପାଟିତୁଣ୍ଡ କରିଛନ୍ତି। ସାର ପ୍ରଦାନ ଦାବିରେ ଚାଷୀମାନ‌େ ୨୬ ନମ୍ବର ଜାତୀୟ ରାଜପଥରେ ଧାରଣାରେ ବସିଥିଲେ। ସାର ମାଗିଲେ ଗୋଦାମରେ ସାର ନାହିଁ ବୋଲି ବାରମ୍ବାର ଶୁଣିବାକୁ ମିଳୁଥିବା ନେଇ ଚାଷୀମାନ‌େ ପ୍ରକାଶ କରିଛନ୍ତି। ଗୋଦାମକୁ ସାର ଆସିବା ପରେ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଧାରଣାରୁ ଓହରିଥିଲେ।

           ଧାନ ଚାଷ ପାଇଁ ସାର ଆବଶ୍ୟକତା ଥିବା ବେଳେ ଚାଷୀ ଗୋଦାମ କିମ୍ବା ଦୋକାନକୁ ଦୌଡୁଛନ୍ତି। ବହୁ ସ୍ଥାନରେ ସାର ସରକାରୀ ମୂଲ୍ୟ ଠାରୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଗୋଦାମରୁ ସାର ନେବା ଗାଡି ଭଡା ସାଙ୍ଗକୁ ରଖିବା ଓ ଓହ୍ଲାଇବା ପାଇଁ ଟଙ୍କା ଖର୍ଚ୍ଚ ହେଉଛି, ସରକାର ଏଥିପ୍ରତି ଗୁରୁତ୍ବ ଦେଉନଥିବାରୁ ବହୁ ସ୍ଥାନ‌ରେ ସାର ଦର ବୃଦ୍ଧି ପାଉଛି। କିନ୍ତୁ ସ୍ଥାନୀୟ ଆରସିଏମ୍‌ସ୍ କାର୍ଯ୍ୟାଳୟରେ ସାର ସରକାରୀ‌ରେ ଦରରେ ବିକ୍ରି ହେଉଛି। ଏଥିପାଇଁ ଜୟପୁର ସବଡିଭିନର ଚାଷୀମାନେ ଏହି ଗୋଦାମକୁ ଆସୁଛନ୍ତି। ଏନେଇ ଆରସିଏମ୍‌ଏସ୍ ଗୋଦାମକୁ ସାର ଆସିବା ମାତ୍ରକେ ଦୁଇରୁ ତିନି ଦିନରେ ସାର ସରିଯାଉଛି। ‌ଏଠାକୁ ଯେଉଁ ପରିମାଣରେ ସାର ଆସୁଛି ତାଠାରୁ ବହୁ ଗୁଣାରେ ଚାଷୀଙ୍କ ଆବଶ୍ୟକତା ରହୁଛି। ଯାହାଫଳରେ ସମସ୍ତ ଚାଷୀଙ୍କୁ ସାର ଯୋଗାଇ ହୋଇପାରୁନାହିଁ। ଚାଷୀମାନେ ସାର ବସ୍ତାଟିଏ ପାଇବା ଆଶରେ ଖରାବର୍ଷାକୁ ଖାତିର ନକରି ଗୋଦାମ ସମ୍ମୁଖରେ ଜମା ହୋଇ ରହୁଛନ୍ତି। ଏଭଳି ସ୍ଥିତିରେ ଆଜି ବହୁ ଚାଷୀ ୟୁରିଆ ପାଇଁ ଆସିଥିବା ବ‌େଳେ ଗୋଦାମରେ ସାର ଗଚ୍ଛିତ ନାହିଁ। ଯେତିକି ଅଛି ତାହା ସମସ୍ତ ଚାଷୀଙ୍କୁ ହୋଇପାରିବ ନାହିଁ ଜାଣିବା ପ‌ରେ ଚାଷୀମାନ‌େ ରାଜରାସ୍ତାରେ ଧାରଣାରେ ବସିଥିଲେ। ସେମାନଙ୍କ ସହ ବିଜେପି ନେତା ଗୌତମ ସାମନ୍ତରାୟ ମଧ୍ୟ ଆସି ଯୋଗ ଦେଇଥିଲେ। ସାର ଦାୟିତ୍ବରେ ଥିବା କର୍ମଚାରୀଙ୍କ ସହ ଶ୍ରୀ ସାମନ୍ତରାୟ ଆ‌ଲୋଚନା ପରେ ସାର ମିଳିବା ପ୍ରତିଶୃତି ପରେ ଚାଷୀ ଧାରଣାରୁ ହଟିଥିଲେ। ଜାତୀୟ ରାଜପଥକୁ ୨ ଘଣ୍ଟା ଅବରୋଧ କରିଥିବା ବେଳେ ସମସ୍ତ ଗାଡି ତେଲିଗୁଡା ଦେଇ ଯାତାୟତ କରୁଥିଲେ। ରାସ୍ତା କାଦୁଅଥିବାରୁ ବହୁ ବକ୍ତି ବାଇକରୁ ଖସି ଦୁର୍ଘଟଣାଗସ୍ତ ହୋଇଛନ୍ତି। ଘଟଣାସ୍ଥଳରେ ଜୟପୁର ସଦରପୁଲିସ ପହଞ୍ଚି ଆୟତ୍ତ କରିଥିଲେ।

          ଆରସିଏମ୍‌ଏସ୍ ର ଭାରପ୍ରାପ୍ତ ସମ୍ପାଦକ ପ୍ରମୋଦ କୁମାର ରାଉତଙ୍କ କହିବାନୁଯାୟୀ, ଗତବର୍ଷ ଅଗଷ୍ଟ ମାସ ବେଳକୁ ୨ ହଜାର ମେଟ୍ରିକ୍ ଟନ୍ ସାର ଆସିଥିଲା କିନ୍ତୁ ଚଳିତବର୍ଷ ସବୁ ୮୩୦ ମେଟ୍ରିକ୍ ଟନ୍ ଆସିଛି। ଏଥିସହ ଗତ ୧୦ ତାରିଖରେ ୧୫୦୦ ବସ୍ତା ୟୁରିଆ ଆସିଥିଲା, କିନ୍ତୁ ଗତକାଲି ଅଧା ସରିଯାଇଥିବା ବେଳେ ବଳକା ସାର ଆଜି ସରିଯାଇଛି। ଆବଶ୍ୟକତା ଅନୁସାରେ ସାର ଯୋଗାଇପାରୁନଥିବାରୁ ଚାଷୀଙ୍କ ଆନ୍ଦୋଳନ ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର