ବାପା ଆରପାରିକୁ ଚାଲିଗଲା ପ‌ରେ ପୁଅ ହେଲା ଶଯ୍ୟାଶାୟୀ, ମୂଲ ଲାଗି ଚଳୁଛନ୍ତି ମା’

ବରଗଡ଼: ଆଖିରେ ଥିଲା ଅନେକ ସ୍ୱପ୍ନ । ପାହାଡି ମୂଲକରୁ ବାହାରି ଉଚ୍ଚ ଶିକ୍ଷିତ ହେବାର ଆଶା । ପୁଅକୁ ପାଠ ପଢାଇ ଭଲ ମଣିଷ କରିବାର ଲକ୍ଷ୍ୟ ରଖିଥିଲେ ବାପା-ମାଆ । ପୁଅ ଭଲ ଚାକିରି କଲେ ଅଭାବୀ ପରିବାରର ଆର୍ଥିକ ଅନଟନ୍ ଦୂର ହେବ ବୋଲି ଅନେଇ ବସିଥିଲେ । ହେଲେ ଦିନ ଗଡିବା ସହ ବଦଳିଗଲା ସମୟ । ଅଭାବୀ ପରିବାରରେ ସବାର ହେଲା ଦୁଃଖ । ପୁଅ ଚାକିରି କରିବା ଆଗରୁ ଚାଲିଗଲେ ବାପା, ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇଗଲେ ପୁଅ ।

ଏ ହୃଦୟ ବିଦାରକ କରୁଣ କାହାଣୀ ହେଉଛି ବରଗଡ ପାଇକମାଲ ବ୍ଲକ ବୋଡାସମ୍ବର ଗାଁର ୨୪ ବର୍ଷିୟ ସୁରେନ୍ଦ୍ର କୁମ୍ଭାରଙ୍କର । ଗୋଟିଏ ବୋଲି ପୁଅକୁ ଉଚ୍ଚ ଶିକ୍ଷିତ କରିବାକୁ ସବୁ ପ୍ରକାର ଚେଷ୍ଟା କରୁଥିଲେ ବାପା-ମାଆ । ସୁରେନ୍ଦ୍ର ମଧ୍ୟ ବାପା-ମାଆଙ୍କ ସ୍ୱପ୍ନ ପୂରଣ କରିବାକୁ ପ୍ରାଣପଣେ ଉଦ୍ୟମ କରୁଥିଲେ । ମାଟ୍ରିକ ପାସ କରିବା ପରେ ଡିପ୍ଲମା ପଢୁଥିଲେ ଆଉ ଏତିକି ବେଳେ ସୁରେନ୍ଦ୍ରଙ୍କ ସ୍ୱପ୍ନରେ ଗ୍ରହଣ ଲାଗିଗଲା । ବାପାଙ୍କ ଆରପାରିକୁ ଚାଲିଗଲେ, ସୁରେନ୍ଦ୍ରକୁ ମାଡିବସିଲା ଅଜଣା ରୋଗ । ବାସ୍, ଏଇଠି ଅଟକି ଗଲା ସୁରେନ୍ଦ୍ର ଶିକ୍ଷାଗତ ଜୀବନ ଆଉ ଧୂଳିସାତ ହୋଇ ଗଲା ଉଚ୍ଚ ଶିକ୍ଷିତ ହେବାର ସ୍ୱପ୍ନ ।

ଅଜଣା ରୋଗରେ ଆକ୍ରାନ୍ତ ହୋଇ ସୁରେନ୍ଦ୍ରଙ୍କ ଅଣ୍ଟା ତଳକୁ ଅଚଳ ହୋଇଯାଇଛି  । ସବୁଠାରୁ ଦୁର୍ଭାଗ୍ୟର କଥା, ସୁରେନ୍ଦ୍ର ୮ ବର୍ଷ ହେଲା ଅସୁସ୍ଥ ହୋଇ ବିଛଣାରେ ପଡି ରହିଛନ୍ତି, ହେଲେ ଏଯାଏଁ ତାଙ୍କ ପାଖରେ ପହଞ୍ଚି ପାରିନାହାନ୍ତି ସ୍ଥାନୀୟ ଜନ ପ୍ରତିନିଧି କି ପ୍ରଶାସନିକ ଅଧିକାରୀ ।

ତେଣୁ ବିଧବା ବୁଢୀ ମାଆ ମୂଲ ଲାଗି ଯାହା ରୋଜଗାର କରୁଛନ୍ତି, ସେଥିରେ ମାଆ-ପୁଅ ଦାନା ଗଣ୍ଡାଏ ଖାଇ ଜୀବନ ବଞ୍ଚାଇ ରଖିଛନ୍ତି, ପୁଅର ଚିକିତ୍ସା କରାଇ ନପାରି ଭାଗ୍ୟକୁ ଆଦରୁ ଘରେ ପଡି ରହିଛନ୍ତି । ହାତରେ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଧରି ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି ସୁରେନ୍ଦ୍ର । ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କରି ନୟାନ୍ତ ହେଲେଣି । ହେଲେ କେହି ତାଙ୍କ ଅସହାୟତାକୁ ଦେଖିପାରୁନାହାନ୍ତି କି ସହଯୋଗର ହାତ ବଢାଉ ନାହାନ୍ତି ।

 

ସମ୍ବନ୍ଧିତ ଖବର