ରାଉରକେଲା: ‘ ଜାଗା ମିଶନ’ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଚାଲିଛି ‘ଉଶା’ ( ଅର୍ବାନ୍ ସ୍ଲମ୍ ହାଉସ୍ହୋଲ୍ଡ ଏରିଆ) ସର୍ଭେ। ରାଉରକେଲା ମହାନଗର ନିଗମ (ଆର୍ଏମ୍ସି)ରେ କିଛି ବସ୍ତିରେ ଚାଲିଛି ଜୋରଦାର ରାଜନୀତି। ନିର୍ବାଚନ ପାଖେଇ ଆସୁଥିବାରୁ ବସ୍ତିବାସିନ୍ଦାଙ୍କୁ ଜାଗା ଦେବା ନାଁରେ ଭଣ୍ଡାଯାଉଛି। ସର୍ଭେ କରାଯାଉଛି ୧୦୦୦ ଘର। ଜାଗା ଦେବାକୁ କୁହାଯାଉଛି ୩୦୦ ଘର। ଏମିତି ତ୍ରୁଟିପୂର୍ଣ୍ଣ ସର୍ଭେକୁ ଜୋରଦାର ବିରୋଧ କରିଛନ୍ତି ବସ୍ତିବାସିନ୍ଦା। ପ୍ରତିବାଦରେ ଆଜି ବାଲୁଘାଟ ବସ୍ତିର ଶତାଧିକ ପରିବାର ଆର୍ଏମ୍ସି କମିସନଙ୍କୁ ଘେରିଥିଲେ। ବିଜେପିର ବରିଷ୍ଠ ନେତା ନିହାର ରାୟ, ଦିଲୀପ ଦାସ, ଭଗବାନ ରାଉତ, ଜୟନ୍ତ ମଙ୍ଗରାଜଙ୍କ ନେତୃତ୍ବରେ ମହିଳାମାନେ ଆର୍ଏମ୍ସି କମିସନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କୁ ଭେଟିଥିଲେ। ଯେତିକି ଘର ସର୍ଭେ କରାଯାଉଛି, ସେତିକି ପରିବାରକୁ ଜାଗା ଦେବାକୁ ଦାବି କରିଥିଲେ। କମିସନର ଡାକ୍ତର ମହାପାତ୍ର କେବଳ ରାଜ୍ୟ ସରକାରଙ୍କ ଜାଗାରେ ଘର କରିଥିବା ପରିବାକୁ ଜାଗା ଦେବାକୁ ସରକାର ବିଚାର କରୁଛନ୍ତି ବୋଲି ବସ୍ତିବାସିନ୍ଦାଙ୍କୁ କହିଥିଲେ। ନିହାର ରାୟ ‘ଉଶା’ ସର୍ଭେ ନାଁରେ ବସ୍ତିବାସିନ୍ଦାଙ୍କୁ ଭଣ୍ଡାଯାଉଛି। ଶାସକ ଦଳ ଶସ୍ତା ରାଜନୀତି କରୁଛନ୍ତି। ଏଭଳି ଶସ୍ତା ରାଜନୀତି ବନ୍ଦ କରି ବସ୍ତିବାସିନ୍ଦାଙ୍କୁ ସମ୍ପୃକ୍ତ ଜାଗାର ପଟ୍ଟା ଦିଆଯାଉ ବୋଲି କହିଥିଲେ।
ଉଲ୍ଲେଖଯୋଗ୍ୟ, ମାଲଗୋଦାମ, ମଧୁସୂଦନପାଲି, ଟିମ୍ବରକଲୋନି, ଗୋପବନ୍ଧୁପାଲୀ ଠାରୁ ଆରମ୍ଭ କରି ଏଫ୍ସିଆଇ ବସ୍ତି, ଆମ୍ବେଦକର ବସ୍ତି, ବିରଜାପାଲି ବସ୍ତି। ସେମିତି କୁମ୍ଭାରପଡା, ଧାମରା ବସ୍ତି, ସିଭିଲଟାଉନସିପ୍ ମାନଟୋଲା, ପାନପୋଷସ୍ଥ ବାଲୁଘାଟ, କଳିଙ୍ଗ ବିହାରସ୍ଥ ତୁଳସୀଟୋଲା, ସେକ୍ଟର-୨୧ ନୟବଜାରସ୍ଥ ଅନେକ ବସ୍ତି, ପ୍ଲାଣ୍ଟସାଇଟ୍ ଆଦି ବସ୍ତିରେ ସର୍ଭେ କାମ ସରିଛି। ମାତ୍ର ସର୍ଭେ ପରେ ତାଲିକା ପ୍ରକାଶ ପାଇବା ପରେ ବସ୍ତିରେ ବିବାଦ ଦେଖାଦେଇଛି। ସର୍ଭେ ଦାୟିତ୍ବରେ ଥିବା କିଛି କର୍ମଚାରୀ ଓ ବସ୍ତିର କିଛି ନେତାଙ୍କୁ ଧରି ଏଭଳି ନିୟମବିରୋଧୀ କାର୍ଯ୍ୟ କରୁଛନ୍ତି। ସର୍ଭେ ସଂସ୍ଥା ଓ ସ୍ଥାନୀୟ ନେତାଙ୍କ ଭିତିରି ସଲାସୁତୁରା ଯୋଗୁ ସର୍ଭେ ପରେ ଅଧିକାଂଶ ବସ୍ତିବାସିନ୍ଦାଙ୍କ ନାଁ ତାଲିକାରେ ଆସୁନି। କେବଳ ଏତିକି ନୁହେଁ ସର୍ଭେ ତାଲିକାରେ ଗୋଟିଏ ଘରେ ୩/୪ ଜଣଙ୍କ ନାଁ ରହିଛି। ଏପରିକି କୁନି କୁନି ପିଲାଙ୍କ ନାଁ ମଧ୍ୟ ଦେଖିବାକୁ ମିଳୁଛି। ଗାନ୍ଧିରୋଡରେ ପ୍ରାୟ ୬୦୦ ଘର ସର୍ଭେ କରାଯାଇଥିଲା। ତାଲିକାରେ ଆସିଛି ମାତ୍ର ୨୦/୩୦ ଜଣଙ୍କ ନାଁ। ସେକ୍ଟର-୨୧ ନୟାବଜାରରେ ଗୋଟିଏ ବସ୍ତିରେ ଅଧା ଲୋକଙ୍କ ନାଁ ରହିଛି। ଅଧା ଲୋକଙ୍କୁ ବାଦ୍ ଦିଆଯାଇଛି। କେଉଁ ଆଧାରରେ ଏମାନଙ୍କ ନାଁ ସର୍ଭେ ତାଲିକାରୁ ବାଦ୍ ପଡୁଛି ? କେଉଁମାନେ ତଦାରଖ କରୁଛନ୍ତି ? ବାରମ୍ବାର ଏଭଳି ତ୍ରୁଟି ହେଉଥିଲେ ହେଁ, କାହିଁକି ବିଭାଗୀୟ ଉଚ୍ଚ ଅଧିକାରୀ ଧ୍ୟାନ ଦେଉ ନାହାନ୍ତି, ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ‘ଉଶା’ସର୍ଭେ ନାଁରେ ବସ୍ତିରେ ଚାଲିଥିବା ଏଭଳି ପାତରଅନ୍ତର ନୀତିକୁ ତରୁନ୍ତ ବନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।