ଲଗାଣ ବର୍ଷାରେ ଭୁଶୁଡିଲା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସର ନବନିର୍ମିତ ପ୍ରାଚୀର !

ଚଣ୍ଡିଖୋଲ :  ଲଗାଣ ବର୍ଷାରେ  ଯାଜପୁର ଜିଲ୍ଲା ବଡ଼ଚଣାଠାରେ ଥିବା ଉତ୍କଳ ବିଶ୍ବ ବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସର ପ୍ରାଚୀର ଭାଙ୍ଗିଯାଇଛି । କ୍ୟାମ୍ପସ ଚାରିପଟେ ଥିବା ଏହି ପ୍ରାଚୀରର ନିର୍ମାଣ କାର୍ଯ୍ୟ ମାତ୍ର ଆଠ ମାସ ତଳେ ସଂପୂର୍ଣ୍ଣ ହୋଇଥିଲା । ପ୍ରାଚୀରର ଦକ୍ଷିଣ ପୂର୍ବ କୋଣରୁ ପ୍ରାୟ ୧୫୦ଫୁଟରୁ ଅଧିକ ଲମ୍ବର ପାଚେରୀ ସମ୍ପୂର୍ଣ୍ଣ ଭାବେ ଭୁଷୁଡ଼ି ତଳେ ପଡ଼ିଯାଇଥିବା ଜଣାପଡ଼ିଛି ।

୨୦୧୭ ମସିହାରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ଗ୍ରାମର ପ୍ରାୟ ୭୦ ଏକର ପରିମିତ ଜମି ଉପରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ପାଇଁ କାର୍ଯ୍ୟାରମ୍ଭ ହୋଇଥିଲା । ପ୍ରାଥମିକ ଭାବେ ଚତୁଃପାର୍ଶ୍ଵର ପାଚେରୀ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଚାରିବାଟିଆ ପୂର୍ତ୍ତ ବିଭାଗ ଡ଼ିଭିଜନକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ବିଭାଗର ବଡ଼ଚଣା ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ତ୍ଵାବଧାନରେ ଜନୈକ ଠିକାଦାରଙ୍କ ଦ୍ବାରା ନିର୍ମାଣ କାର୍ଯ୍ୟ କରାଯାଇ ଆଠ ମାସ ତଳେ ସମ୍ପୂର୍ଣ୍ଣ ହୋଇଥିଲା । ଆରମ୍ଭରୁ ସ୍ଥାନୀୟ ଲୋକେ ନିମ୍ନମାନର ନିର୍ମାଣ କାର୍ଯ୍ୟ ନେଇ ଆପତ୍ତି ଉଠାଇଥିଲେ ବି କେହି କର୍ଣ୍ଣପାତ କରି ନ ଥିଲେ । ତେବେ ଆଜି ପାଚେରୀ ଭାଙ୍ଗି ପଡ଼ିବା ପରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ମାଟି ତଳୁ ଫୁଟି ପଦାକୁ ବାହାରି ଆସିଛି । ମାତ୍ର ତିନି ଫୁଟ୍ ମାଟି ତଳୁ ହିଁ ନିମ୍ନ ମାନର କଂକ୍ରିଟ ପିଲର ସବୁ ସ୍ଥାପନ କରାଯାଇ ଏହି ପାଚେରୀ ନିର୍ମାଣ କରାଯାଇଥିବା ଦେଖିବାକୁ ମିଳିଛି । ଇଟା କାନ୍ଥ ନିର୍ମାଣ ଓ ପଲସ୍ତରା କାର୍ଯ୍ୟ ବି ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ଏବେ ପରିଲକ୍ଷିତ ହୋଇଛି । ପାଚେରୀ ଉପରି ଭାଗରେ ଲଗା ଯାଇଥିବା ଲୁହା ବାଡ଼ରେ ରଙ୍ଗ ନ ବୋଳି ଏବଂ କାଜୁ ଜଙ୍ଗଲ ମଧ୍ୟରେ ରହିଥିବା ପାଚେରୀର ବହୁ ଅଂଶକୁ ପଲସ୍ତରା କାର୍ଯ୍ୟ ନ କରି କିମ୍ୱା ରଙ୍ଗ ନ ବୋଳି ମଧ୍ୟ ଠିକାଦାର ସଂପୂର୍ଣ୍ଣ ବରାଦ ଅର୍ଥରାଶିକୁ ବିଲ୍ କରି ନେଇ ଯାଇଛନ୍ତି । ଯାହାକୁ ବିଭାଗୀୟ ଯନ୍ତ୍ରୀ ମାନେ ଅଣଦେଖା କରି ଠିକାଦାରଙ୍କୁ ବିଲ ପ୍ରଦାନ କରି ଦେଇଛନ୍ତି । ଅନ୍ୟପକ୍ଷରେ ଯେଉଁ କୋଣ ଦେଇ ସେହି ୭୦ ଏକର ପରିମିତ ଜମିରୁ ବର୍ଷାଜଳ ନିଷ୍କାସନ ହୋଇଥାଏ ସେହି ଅଞ୍ଚଳଟି ଢାଲୁ ରହିଛି । ମାତ୍ର ପାଚେରୀ ନିର୍ମାଣ କାର୍ଯ୍ୟ ସମୟରେ ଯନ୍ତ୍ରୀ ଓ ଠିକାଦାର ଆଦୂରଦର୍ଶୀ ରହି ସେହି ସ୍ଥାନରେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ କରି ତାହାକୁ ଇଟା ପାଚେରୀ ମଧ୍ୟରେ ଆବଦ୍ଧ କରି ରଖିଦେବା ଫଳରେ ଦୁଇଦିନର ଲଗାଣ ବର୍ଷାରେ ସମଗ୍ର କ୍ୟାମ୍ପସର ବହୁ ପରିମାଣର ବର୍ଷା ଜଳ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଗଚ୍ଛିତ ହୋଇ ରହିବା କାରଣରୁ ଭାର ସମ୍ଭାଳି ନ ପାରି ଦୁର୍ବଳ ପାଚେରୀଟି ଶେଷରେ ଭୁଶୁଡ଼ି ପଡ଼ିଥିଲା । ଆଜିର ଏହି ଘଟଣାରୁ କ୍ୟାମ୍ପସର ପାଚେରୀର ସ୍ଥାୟୀତ୍ବ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଭଳି ନିମ୍ନମାନର ନିର୍ମାଣ ଉପରେ ଯାଜପୁର ଜିଲ୍ଲାପାଳ ଏକ ଉଚ୍ଚସ୍ତରୀୟ ତଦନ୍ତ କରି ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ଥାନୀୟ ଅଧିବାସୀ ତଥା ଆଇନଜୀବି ଉଦୟନାଥ ସାହୁ ଦାବୀ କରିଛନ୍ତି ।

ସମ୍ବନ୍ଧିତ ଖବର