ଖୋର୍ଦ୍ଧା ପୌରପରିଷଦରେ ଶୁକ୍ରବାରଠାରୁ ୪ ଦିନିଆ ଗଣ ଟିକାକରଣ ଅଭିଯାନ 

ଖୋର୍ଦ୍ଧା : ବାତ୍ୟା ୟାସ୍ ଯୋଗୁଁ ୨୬ ଓ ୨୭ ତାରିଖ ଟିକାକରଣ, ପରୀକ୍ଷଣ, ଘର ଘର ବୁଲି ତଥ୍ୟ ସଂଗ୍ରହ କାର୍ଯ୍ୟ ବନ୍ଦ ରହିଥିଲା । ଆସନ୍ତାକାଲି ଠାରୁ ୪ ଦିନ ଖୋର୍ଦ୍ଧା ପୌର ପରିଷଦରେ ଗଣ ଟିକାକରଣ ଅଭିଯାନ ଚାଲିବ । ଆଜି ଏନେଇ ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

ସୂଚନାନୁସାରେ, ଯେଉଁ ବ୍ୟକ୍ତି (୧୮ରୁ ୪୫ ବର୍ଷ ମଧ୍ୟରେ )କୋୱିନ୍ ପୋର୍ଟାଲ୍ରେ ଅନ୍ଲାଇନ୍ ସ୍ଲଟ୍ ସଂରକ୍ଷିତ କରିଥିବେ ସେମାନେ ଆସନ୍ତାକାଲି ଅର୍ଥାତ୍ ୨୮ ତାରିଖରୁ ୩୧ ତାରିଖ ମଧ୍ୟରେ ନିର୍ଦ୍ଧାରିତ ସ୍ଥାନରେ ଟିକା ଦେଇପାରିବେ । ଏନେଇ ସୂଚନାଦେଇ ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ କହିଛନ୍ତି ଯେ ଏଥିପାଇଁ ୬ଟି କେନ୍ଦ୍ର ସ୍ଥିର କରାଯାଇଛି । ତେବେ ୨୯ ତାରିଖ ପରେ ସାମନ୍ତରାପୁର ଓ ଭାଲିଆବାଡ଼ି ସ୍କୁଲରେ ଟିକା ଦିଆଯିବ । ଅନ୍ଲାଇନ୍ରେ ସ୍ଲଟ୍ ସଂରିକ୍ଷିତ କରିଥିବା ବ୍ୟକ୍ତି ସକାଳ ୮ଟାରୁ ୫ଟା ମଧ୍ୟରେ ଟିକା ନେବେ ।  ପ୍ରତିକେନ୍ଦ୍ରରେ ଦୈନିକ ୩୦୦ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରେ, ଟିକାକରଣ ପାଇଁ ନିର୍ଦ୍ଧାରିତ ଆର୍ଇଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଗଡ଼ାଖୋର୍ଦ୍ଧା ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଖୋର୍ଦ୍ଧା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଗୁରୁଜଙ୍ଗ ଉଚ୍ଚ ବିଦ୍ୟାଳୟ, ପ୍ରାକ୍ଟିସିଂ ୟୁଜିଏମ୍ଇ ସ୍କୁଲରେ ୧୮ ବର୍ଷରୁ ଉଦ୍ଧ୍ୱର୍, ସମ୍ମୁଖ କରୋନା ଯୋଦ୍ଧା, ସ୍ୱାସ୍ଥ୍ୟ ସେବା ଯୋଗାଉଥିବା କର୍ମଚାରୀ ଟିକା ନେଇପାରିବେ ।  ସେହିଭଳି  ପ୍ରାଣନାଥ କଲେଜ ପରିସରର ୩ଟି ସ୍ଥାନରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ରରେ ୧୮ରୁ ୪୪ ବର୍ଷ ମଧ୍ୟରେ   ଥିବା ଟିକାକରଣ କେନ୍ଦ୍ର ସ୍ଥିର କରାଯାଇଛି । ସେହିଭଳି ପିଏନ୍ କଲେଜ ନିକଟ ମୁକୁନ୍ଦପ୍ରସାଦ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଟିକା ନେଇପାରିବେ ।

ତେବେ ଯେଉଁ ୱାର୍ଡର ବାସିନ୍ଦା ସେହି ୱାର୍ଡସହ ଅନୁବନ୍ଧିତ ଥିବା ସ୍ଥାନରେ ଟିକା ନେଇପାରିବେ କି ପ୍ରଶ୍ନରେ ନିର୍ବାହୀ ଅଧିକାରୀ କହିଛନ୍ତି ୧୮ରୁ ୪୫ ବର୍ଷ ମଧ୍ୟରେ ଯେକୌଣସି ବ୍ୟକ୍ତି ଯେକୌଣସି କେନ୍ଦ୍ରରେ ଟିକା ନେଇପାରିବେ । ଏନେଇ କୌଣସି ପ୍ରତିବନ୍ଧକ ନାହିଁ, କିନ୍ତୁ ଏହାପୂର୍ବରୁ ଅନ୍ଲାଇନ୍ରେ ଟିକା ପାଇଁ ନାମ ପଂଜୀକରଣ କରାଇବା ଜରୁରୀ ଅଟେ । ଉପରୋକ୍ତ ୱାର୍ଡ କେବଳ ପରିଚାଳନା ସହଜ ହେବ ବୋଲି କରାଯାଇଛି ।

ସମ୍ବନ୍ଧିତ ଖବର