ଜୟପୁର ବ୍ଲକରେ କରୋନା ଟିକାଦାନ: ଲକ୍ଷ୍ୟ ୮୯,୨୨୨, ବାକି ଅଛନ୍ତି ୬୮,୮୪୯

୧୮ରୁ ୪୪ ୨ୟ ଡୋଜ୍ କେହି ନେଲେନି

ଜୟପୁର: କରୋନା ସଂକ୍ରମଣର ଦ୍ବିତୀୟ ଲହର ଚାଳିଛି। ୩ୟ ଲହର ଆସିବା ଉପରେ ରହିଛି। ଏହାକୁ ପ୍ରତିହତ କରିବା ପାଇଁ ଟିକା ନେବା ଜରୁରୀ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର କହୁଛନ୍ତି। ଏଥି ପାଇଁ ଟିକାଦାନକୁ ବେଶି ଗୁରୁତ୍ବ ବି ଦିଆଯାଉଛି। ଜିଲ୍ଲାର ସର୍ବାଧକ ସଂକ୍ରମିତ ବ୍ଲକ ଜୟପୁରରେ କିନ୍ତୁ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଏବେ ବି ଟିକାକୁ ନେଇ ଗ୍ରାମାଂଚଳରେ ଲୋକେ ଭଲ ଭାବେ ସଚେତନ ହୋଇ ପାରିନାହାନ୍ତି। ଟିକା ନେଲେ ଜ୍ବର, ଝାଡାବାନ୍ତି ହେବା, ମୁଣ୍ଡବ୍ୟାଥା, ଦେହବଥା ହେବା ଭଳି ଭୟ ସହ ମରିଯିବା ଗୁଜବ ଯୋଗୁଁବି ଗ୍ରାମାଂଚଳର ଲୋକେ ନେବାକୁ ଯେଉଁ ଆଗ୍ରହର ସହ ଟିକାଦାନ କେନ୍ଦ୍ରକୁ ଆସିବା କଥା ଆସୁନାହାନ୍ତି।

ଯେଉଁ ଅନୁପାତରେ ଟିକାଦେବା ପାଇଁ ରାବଣାଗୁଡା ସିଏଚସି ପକ୍ଷରୁ ଜୟପୁର ବ୍ଲକର ୨୨ଟି ପଂଚାୟତରେ ଲକ୍ଷ୍ୟ ରଖିଥିଲେ ତାହା ପୁରଣ ହେବାକୁ ଆଉ କେତେ ମାସ ସମୟ ଲାଗିବ ବୋଲି ଚର୍ଚ୍ଚା ଜୋର ଧରିଛି। ରାବଣାଗୁଡା ସିଏଚସି ପକ୍ଷରୁ ୨୨ଟି ପଂଚାୟତର ୨୬ଟି ସବସେଣ୍ଟର ଜରିଆରେ ୩ବର୍ଗର ୮୯ହଜାର ୨୨୨ଜଣଙ୍କୁ ଟୀକା ଦେବାକୁ ଯୋଜନା କରିଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ୨୦ହଜରା ୩୭୩ଜଣ ହିଁ ଟିକା ନେଇଛନ୍ତି। ବଳକା ୬୮ହଜାର ୮୪୯ଜଣ ପ୍ରଥମ ଡୋଜ ଟିକା ଏବେ ପର୍ଯ୍ୟନ୍ତ ନେଇ ନାହାନ୍ତି।

ପ୍ରଥମ ପର୍ଯ୍ୟାୟରେ ୧୮ରୁ ୪୪ବର୍ଷ ବର୍ଗରେ ୫୫,୬୮୧ଜଣଙ୍କୁ ଲକ୍ଷ୍ୟ ରହିଥିବା ବେଳେ ୩୩୦୯ ଜଣ ନେଇଛନ୍ତି। ୪୫ରୁ ୬୦ବର୍ଷ ବର୍ଗରେ ୧୯୯୭୮ଜଣଙ୍କ ମଧ୍ୟରୁ ୯୦୨୭ଜଣ, ୬୦ବର୍ଷରୁ ଉର୍ଦ୍ଧ୍ବ ବର୍ଗରେ ୧୩ହଜାର ୫୬୩ଜଣଙ୍କ ମଧ୍ୟରୁ ୮୦୩୭ଜଣ ନେଇଛନ୍ତି। ସେପରି ଦ୍ବିତୀୟ ଡୋଜରେ ୮୯୨୨୨ଜଣଙ୍କୁ ଦେବା ଲକ୍ଷ୍ୟ ରହିଥିବା ବେଳେ ଏତି ମଧ୍ୟରୁ କେବଳ ଦୁଇଟି ବର୍ଗରେ ୩୪୪୯ଜଣ ହିଁ ନେଇଛନ୍ତି। ୧୮ରୁ ୪୪ବର୍ଷ ବର୍ଗର ଜଣେ ବି ନେଇ ନାହାନ୍ତି। ୪୫ରୁ ୬୦ବର୍ଷ ବର୍ଗରେ ୬୪୦ଜଣ, ୬୦ରୁ ଉର୍ଦ୍ଧ୍ବ ୨୮୦୯ଜଣ ନେଇଛନ୍ତି। ଉଭୟ ୧ମ ଓ ୨ୟ ଡୋଜରେ ୨୫୯ ଦିନରେ ୨୩ହଜାର ୮୨୨ଜଣଙ୍କୁ ଟିକା ଦିଆଯାଇଥିବା ରାବଣାଗୁଡା ସିଏଚସିରୁ ସୂଚନା ମିଳିଛି। ଏହି କ୍ରମରେ ସମସ୍ତଙ୍କୁ ସଚେତନ କରି ଟୀକା ଦେବା ପାଇଁ ଆଉ କେତେ ବର୍ଷ ସମୟ ଲାଗିବ ବୋଲି ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧିତ ଖବର