୧୮ରୁ ୪୪ବର୍ଷ ବର୍ଗ ଟିକାକରଣରେ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର କାର୍ଡ଼କୁ ନେଇ ବିଜେପିର ବିରୋଧ, ସିଡିଏମଓଙ୍କୁ ଘେରିଲେ କର୍ମୀ

ଜୟପୁର: ଦୀର୍ଘ ଦିନ ଜୟପୁରବାସୀଙ୍କର ଅପେକ୍ଷାର ଆଜି ଅନ୍ତ ଘଟିଛି। ଆଜିଠାରୁ ୧୦ଟି କେନ୍ଦ୍ରରେ ୪୧୫୭ଜଣଙ୍କୁ ୧୮ରୁ ୪୪ବର୍ଷ ବର୍ଗର ଲୋକଙ୍କୁ କରୋନା ଟିକା ଦିଆଯାଇଛି। ଆଜି ସକାଳଠାରୁ ଟିକା ନେବା ପାଇଁ ଏହି ବୟସ ବର୍ଗର ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଥିଲା। ତେବେ କେନ୍ଦ୍ରରେ ଟିକା ନେଉଥିବା ଲୋକଙ୍କୁ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଦ୍ବିତୀୟ ଡୋଜ୍ ପାଇଁ ଦିଆଯାଉଥିବା କାର୍ଡରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଚିତ୍ର ରହିଛି। ତେବେ ଏହାକୁ ବିରୋଧ କରିଛି ବିଜେପି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଜେପିର ରାଜ୍ୟ ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଗୌତମ ସାମନ୍ତରାୟ, ନଗର ସଭାପତି ସାଧୁଦାସ ଚୌଧୁରୀ, ସଂଜୟ ବେହେରା ପ୍ରମୁଖ ଏହି କାର୍ଡ ବିତରଣକୁ ବିରୋଧ କରିଥିଲେ। ଟିକାକରଣ କାର୍ଯ୍ୟକ୍ରମ ତଦାରଖ କରିବାକୁ ଆସିଥିବା ସିଡିଏମଓ ଡ.ମକରନ୍ଦ ବେଉରାଙ୍କୁ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମାନେ ଘେରାଉ କରିଥିଲେ। ତୁରନ୍ତ ଏହି କାର୍ଡକୁ ହଟାଇବାକୁ ଦାବି କରିଥିଲେ।

ଦୀର୍ଘ ସମୟ ଧରି ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶରେ ଏଭଳି ଦିଆଯାଉଛି ବୋଲି ସିଡିଏମଓ ପ୍ରତିବାଦ୍ କରୁଥିବା ବିଜେପି ନେତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ପ୍ରତିବାଦ କରୁଥିବା ବିଜେପି ନେତା ମାନେ ଟିକାକରଣ କାର୍ଯ୍ୟକ୍ରମକୁ ବିରୋଧ କରୁ ନାହୁଁ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ପଠାଉଥିଲେ ହେଁ ଏହାକୁ ରାଜନୀତିକରଣ କରାଯାଉଛି। ପଛୁଆ ଅଂଚଳକୁ ରାଜ୍ୟସରକାର ଟିକା ପଠାଇବା ବଦଳରେ ଭୁବନେଶ୍ବର ଏବଂ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀରେ ଦେବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ଏମାନେ ପ୍ରଶ୍ନ କରିଥିଲେ। ଦୀର୍ଘ ସମୟ ଧରି ଏଭଳି ପ୍ରତିବାଦ କରିଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଡ ବିତରଣ ବନ୍ଦ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୬୧ଜଣ ଟିକା ନେଇଥିବା ସୂଚନା ମିଳିଛି। ୧୦ଟି କେନ୍ଦ୍ର ପାଇଁ ଆଜି ୪ହଜାର ୫୦୦ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରହିଥିବା ବେଳେ ୪୧୫୭ଜଣଙ୍କୁ ଟିକା ଦିଆଯାଇଛି | ସହରରେ ବେଶି ଭିଡ଼ ଦେଖିବାକୁ ମିଳିଥିବା ବେଳେ ଜୟପୁର ବ୍ଲକ ଅଂଚଳରେ ସେତେଟା ଭିଡ଼ ନଥିଲା। ଆଜି ଜୟନ୍ତଗିରୀ, ବାରିଣୀପୁଟ,ଧନପୁର, ହାଡିଆ ଓ ଉମୁରୀ ସବସେଣ୍ଟରରେ ଟିକା ଦିଆଯାଇଥିଲା।

ସମ୍ବନ୍ଧିତ ଖବର