ଦୀପ ତଳ ଅନ୍ଧାର: ବସ୍ତି ଅଂଚଳରେ ଟିକା ନେବାକୁ ଭୟ

ଜୟପୁର: କରୋନା ଟିକାକୁ ନେଇଥିବା ଭୟ ଗ୍ରାମାଂଚଳରେ ହିଁ ନୁହେଁ ସହରରେ ବି ରହିଛି। ଏହାର ପ୍ରମାଣ ଜୟପୁର ସହରର ବସ୍ତି ଅଂଚଳ ଗୁଡ଼ିକରେ ଦେଖିବାକୁ ମିଳିଛି। ସହରର ମାଛବନ୍ଦ ସାହି, ଜୟନଗରର ପରଜା ଓ ଗାଧବା ସାହି ଆଦି ବସ୍ତି ଅଂଚଳରେ ବସବାସ କରୁଥିବା ଦିନ ମଜୁରିଆ ମାନେ ଟିକାକୁ ନେଇ ଭୟ ପ୍ରକାଶ କରିଥିଲେ। ଟିକା ନେବା ପରେ ଲୋକଙ୍କ ମୃତ୍ୟୁ ହେଉଥିବା ଗୁଜବକୁ ବିଶ୍ବାସକୁ ନେଇ ଏହି ବସ୍ତିର ଲୋକେ ଟିକା ନେବାକୁ ଯାଇନଥିଲେ। ଏହି ଦୁଇ ବସ୍ତି ସହ ସହରର ଅନ୍ୟାନ୍ୟ ବସ୍ତି ଅଂଚଳର ଲୋକେ ବି ଯାଇ ନଥିବା ଦେଖିବାକୁ ମିଳିଥିଲା। ଏନେଇ ସୂଚନା ପାଇ ୟୁଥ୍ ଫର୍ ହ୍ୟୁମାନ୍ ରାଇଟସ୍, ଏକେଏସ୍ ସଂସ୍ଥାର ସତୀଶ ନନ୍ଦ, କାଳୀଚରଣ ଦେବଶର୍ମା, ସୁବାସ ସାହୁ, ଟୁଇଙ୍କିଲ ମିଶ୍ର ଓ କାର୍ତ୍ତିକ ରାଉତ ପ୍ରମୁଖ ବିଭିନ୍ନ ବସ୍ତିରେ ସଚେତନତା ସୃଷ୍ଟି କରିଥିଲେ। ଲୋକଙ୍କୁ ବହୁ ବୁଝାସୁଝା କରି ବିଭିନ୍ନ ଟିକାକେନ୍ଦ୍ରକୁ ନେଇ ଟିକାକରଣ କରାଇବା ବ୍ୟବସ୍ଥା କରିଥିଲେ।

ନିଜ ମୋବାଇଲରେ ଲୋକଙ୍କ ଆଧାରକାର୍ଡକୁ ସଂଯୋଗ କରି ଟିକାକରଣ କରାଇଥିଲେ। ଯଦିଓ ଜିଲ୍ଲାପ୍ରଶାସନ ଆଧାରକାର୍ଡ ନେଇ କି ଆସିଲେ ଟିକା ଦିଆଯିବ ବୋଲି ଟ୍ବିଟ୍ କରିଥିଲେ ହେଁ କେନ୍ଦ୍ର ଗୁଡ଼ିକରେ ସ୍ଲଟ୍ ବୁକିଂ ପରେ ଆସୁଥିବା କୋଡ଼୍ ନଂ ନଥିଲେ ହୋଇ ପାରିବନାହିଁ ବୋଲି କହୁଥିବା କହିଛନ୍ତି ସ୍ବେଚ୍ଛାସେବୀ ରବିନ୍ଦ୍ର ମହାପାତ୍ର। ଜିଲ୍ଲାପ୍ରଶାସନର ନିର୍ଦ୍ଦେଶରେ କେବଳ ପୁରୁଣା ମେଡିକାଲ ଜଗଦାତ୍ରୀପୁର କେନ୍ଦ୍ରରେ ହିଁ ପୌରପାଳିକାର ଜୈନେକ କର୍ମଚାରୀ ଲାପଟାପରେ କୋଡନଂ ବାହାର କରି ଟିକାକରଣରେ ସହଯୋଗ କରାଉଛନ୍ତି। ବଳକା କେନ୍ଦ୍ରରେ କେହି ନଥିବା ଅଭିଯୋଗ କରିଛନ୍ତି ରବିନ୍ଦ୍ର। ବହୁ ବୁଝାସୁଝା ଓ ସଚେତନତା କରିବା ପରେ ଜୟନଗର ଟିକାକେନ୍ଦ୍ରକୁ କମଳା ଭୁମିଆ,ଲକ୍ଷ୍ମି ପରଜା, ଧନେଇ ମୁଦୁଲି, ସୁଲ ମୁଦୁଲି, ବିମଳା ଗାଦବା, କମଳା ଭତରା, ଦଇମତି ପରଜା, ମଦନା ପରଜା, ଜେମା ମୁଦୁଲି ଯାଇଥିଲେ ହେଁ ସ୍ଲଟ୍ ବୁକିଂ କୋଡ ନଥିବାରୁ ସେମାନଙ୍କୁ ଫେରାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ରବିନ୍ଦ୍ର।

ସହରରେ ବହୁ ଗରିବ ଲୋକଙ୍କର ସ୍ମାର୍ଟ ମୋବାଇଲ୍ ଫୋନ ନଥିବାରୁ ସେମାନେ ସ୍ଲଟ୍ ବୁକିଂ କରି ପାରୁନାହାନ୍ତି । ପ୍ରଥମଟିର କୋଡ ନଂରେ ଟିକାକରଣ ନ ହେଲେ ଦ୍ବିତୀୟ ଡୋଜ୍ ନେବା ସମୟରେ ସମସ୍ୟା ଉପୁଜିପାରେ ବୋଲି ଏହି ସ୍ବେଚ୍ଛାସେବୀ ମାନେ କହିଛନ୍ତି। ଜିଲ୍ଲାପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ସହଯୋଗ କରିବାକୁ ସ୍ବେଚ୍ଛାସେବୀମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର