ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଟିକା ଦାନ ନେଇ ଏକ ଅଡ଼ୁଆ ସ୍ଥିତି ସୃଷ୍ଟି ହୋଇଛି । ଶତାଧିକ ଲୋକ ଟିକା ପାଇଁ ଅପେକ୍ଷା କରିଥିବା ବେଳେ ଟିକା ଅଭାବ ହେତୁ ଟିକାଦାନ କେନ୍ଦ୍ରକୁ ବନ୍ଦ କରିଦିଆଯାଇଥିଲା ।

Advertisment

ଗତକାଲି କୌଣସି ମତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଢ଼େଇ ଶହ ଟିକା ଦିଆଯାଇଥିଲା । ଆଜି ସକାଳ ୯ଟାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଟିକାଦାନ କେନ୍ଦ୍ରରେ ଲୋକ ଟିକା ନେବା ପାଇଁ ଅପେକ୍ଷା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦୦ ଲୋକଙ୍କୁ ଟିକା ଦେବା ପରେ ଦିନ ସାଢ଼େ ୧୧ଟା ବେଳକୁ ଟିକା ସରିଯାଇଥିଲା । ବାହାରେ ଟିକା ପାଇଁ ଅପେକ୍ଷା କରିଥିବା ଲୋକ ଅପେକ୍ଷା କରିରହିଥିଲେ । ଶେଷରେ ହସ୍ପିଟାଲ୍ କର୍ତୃପକ୍ଷ କବାଟରେ ଟିକା ନଥିବା ସୂଚନା ଫଳକ ଟାଙ୍ଗି ଟିକାଦାନ କେନ୍ଦ୍ରକୁ ବନ୍ଦ କରିଦେଇଥିଲେ । ଏନେଇ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା ଦ୍ୱାରିକାନାଥ ଶତପଥି କହିଛନ୍ତି ଯେ ଆଜି ବାଙ୍କୋଇ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ଟିକା ଦିଆଯାଇଥିଲା । ଆଉ ଷ୍ଟକ୍ ନାହିଁ । ରାଜ୍ୟ ସରକାରଙ୍କ ପାଖରୁ ଟିକା ଆସିନାହିଁ । ଆସନ୍ତାକାଲି ଏନେଇ ସ୍ଥିତି ଜଣାପଡ଼ିବ । ଯଦି ଆସନ୍ତାକାଲି ଆସିବ ନାହିଁ ତେବେ ପୁଣି ସୋମବାର ଯାଇ ସ୍ଥିତି ସ୍ପଷ୍ଟ ହେବ ।