ରାତିରେ ଚାବି ଦେଲେ, ସକାଳେ ମନା‌ କରିଦେଲେ! ବିବାଦୀୟ ପରିସ୍ଥିତିରେ ବାତିଲ୍‌ ହେଲା କୋଭିଡ୍‌ ଟିକାକରଣ ଶିବିର

କିଶନନଗର: ସ୍ଥାନୀୟ ଅରିଲୋ ପ୍ରାଥମିକ ବିଦ୍ୟାଳୟ ପରିସର ଅଙ୍ଗନବାଡ଼ି ଗୃହରେ ଆଜି ଅନୁଷ୍ଠିତ ହେବାକୁ ଥିବା ଏକ କୋଭିଡ୍‌ ଟିକାକରଣ ଶିବିର ବିବାଦୀୟ ପରିସ୍ଥିତିରେ ବାତିଲ କରାଯାଇଛି। ଗତକାଲି ଏହି ଶିବିର ପାଇଁ ଘର ଚାବି ଦେଇଥିବା ପ୍ରଧାନଶିକ୍ଷୟିତ୍ରୀ ଆଜି ଶେଷ ମୁହୂର୍ତ୍ତରେ ଆୟୋଜକମାନଙ୍କୁ ସରକାରୀ ଅନୁମତିପତ୍ର ମାଗି ତାହା ନ ଥିବାରୁ ଶିବିର କରିବାକୁ ମନା କରି ଦେଇଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆୟୋଜକମାନେ ଟାୟାର୍‌ ଜାଳି ପ୍ରତିବାଦ ଜଣାଇଥିଲେ। ତେବେ, ଚାବି ସମ୍ପର୍କରେ ସେ କିଛି ଜାଣି ନାହାନ୍ତି ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି।

ଆୟୋଜକ ସଂସ୍ଥା କଟକ ସଦର ଉତ୍କଳ ବିକାଶ ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ସେଠୀଙ୍କ ସୂଚନା ମୁତାବକ, ପରିଷଦର ଅନୁରୋଧରେ ଏହି ଟିକାକରଣ ଶିବିର ଏଠାରେ କରାଯିବାକୁ ଥିଲା। ଏଥିପାଇଁ ଆୟୋଜକମାନେ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସିପ୍ରା ଦାସଙ୍କ ସହ ପୂର୍ବରୁ ଆଲୋଚନା କରିଥିଲେ। ଏଥିପାଇଁ ପ୍ରଧାନଶିକ୍ଷୟିତ୍ରୀ ସମ୍ମତ୍ତି ପ୍ରଦାନ କରିବା ସହ ଗତକାଲି ଗେଟ୍‌ ଓ ଅଙ୍ଗନବାଡ଼ି ଗୃହର ଚାବି ଆୟୋଜକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଆଜି ସକାଳୁ ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତାମାନେ ସ୍କୁଲରେ ପହଁଚିବା ବେଳକୁ ସ୍କୁଲ୍‌ ଗେଟ୍‌ର ତାଲା ରାତିଅଧିଆ ବଦଳି ଦିଆଯାଇଥିବା ଦେଖିବାକୁ ପାଇଥିଲେ। ଖବର ପାଇ ପ୍ରଧାନଶିକ୍ଷୟିତ୍ରୀ ଓ ଅନ୍ୟ ଜଣେ ଶିକ୍ଷକ ସ୍କୁଲରେ ପହଞ୍ଚିଥିଲେ। ତାଲା ବଦଳାଯିବା ସମ୍ପର୍କରେ ସେମାନେ କିଛି ଜାଣି ନ ଥିବା କହିଥିଲେ। ତାଲା ଭଙ୍ଗା ଯାଇଥିଲା ଓ କିଛି ସମୟ ପରେ ଟିକାକରଣ ଦଳ ଆସି ପହଞ୍ଚିଥିଲେ। ତେବେ, ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତା ଦାସ ଟିକାକରଣ ଶିବିରର ସରକାରୀ ଅନୁମତିପତ୍ର ମାଗିଥିଲେ। ଆୟୋଜକମାନେ କୌଣସି ଲିଖିତ ଅନୁମତିପତ୍ର ପ୍ରଦାନ କରି ପାରି ନ ଥିଲେ। ଯାହାକୁ ନେଇ ସେଠାରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ପରିସ୍ଥିତି ଦେଖି ଟିକାକରଣ ଦଳ ଫେରି ଯାଇଥିଲେ।

ଫଳରେ ଏହି ଶିବିରରେ ଟିକା ନେବା ପାଇଁ ଆସିଥିବା ସ୍ଥାନୀୟ ଲୋକେ ନିରାଶ ହୋଇ ଫେରିଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍କୁଲ କର୍ତ୍ତୃପକ୍ଷ ସରକାରୀ ଦଳର ଏଜେଣ୍ଟ୍‌ ସାଜିଛନ୍ତି ବୋଲି ଉତ୍ତ୍ୟକ୍ତ ଲୋକେ ଅଭିଯୋଗ କରିବା ସହ ସ୍କୁଲ ଗେଟ ସମ୍ମୁଖରେ ଟାୟାର୍‌ ଜାଳି ଏହାର ପ୍ରତିବାଦ କରିଥିଲେ। ସ୍କୁଲ ପରିସରରେ କୂଅ ନନ୍ଦ, ଢାଙ୍କୁଣି ଓ ଟେଣ୍ଟ୍‌ ହାଉସ ସାମଗ୍ରୀ ରହୁଥିବାବେଳେ ସେଗୁଡ଼ିକ ପାଇଁ କିଏ ଅନୁମତି ଦେଇଛନ୍ତି ବୋଲି ଆୟୋଜକ ଉତ୍କଳ ବିକାଶ ପରିଷଦର ସଭାପତି ଶ୍ରୀ ସେଠୀ ପ୍ରଶ୍ନ କରିଥିଲେ। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାସଙ୍କୁ ପଚାରିବାରେ, ପୂର୍ବଦିନ ରାତି ପ୍ରାୟ ସାଢ଼େ ୯ଟା ବେଳେ ସିଆର୍‌ସିସି ସାଜିଦ୍‌ ଅଲ୍ଲୀ ଖାନ୍‌ ମୋତେ ଏହି ଶିବିର ପାଇଁ ଚାବି ଦେବାକୁ କହିଥିଲେ। ହେଲେ, ମୁଁ କାହାକୁ ଚାବି ଦେଇ ନ ଥିଲି। ତାଲାର ଏକାଧିକ ଡୁପ୍ଲିକେଟ୍‌ ଚାବି ଥିବାରୁ ସେମାନେ କାହାଠାରୁ ଚାବି ନେଇ ତାଲା ‌ଖୋଲିଛନ୍ତି ମୋତେ ଜଣା ନାହିଁ। ହେଲେ, ସକାଳେ ମୁଁ ସେଠାରେ ପହଞ୍ଚି ଅନୁମତିପତ୍ର ପାଇଁ ପଚାରିବାରେ ସେମାନଙ୍କ ପାଖରେ ନ ଥିବା କହିଥିଲେ। ଏହା ପରେ ମେଡିକାଲ୍‌ ଟିମ୍‌ ଫେରି ଯାଇଥିଲେ। କୁଅ ନନ୍ଦ ଓ ଟେଣ୍ଟ୍‌ ହାଉସ୍‌ ଜିନିଷ ସ୍କୁଲର ଏକ ଅବ୍ୟବହୃତ ଘରେ ରହିଛି। ମୁଁ ଅଳ୍ପଦିନ ତଳେ ଏଠାକୁ ଆସିଛି। ସଂପୃକ୍ତ ଠିକାଦାରଙ୍କୁ ବହୁବାର କହିଲିଣି, ସେ ଏଯାବତ୍‌ ତାକୁ ନେଇ ନାହାନ୍ତି। ତୁରନ୍ତ ଖାଲି କରାଇବାର ବ୍ୟବସ୍ଥା କରିବି ବୋଲି ଶ୍ରୀମତୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର