ରାୟଗଡ଼ାରେ ଟିକାକରଣ ନିରୁତ୍ସାହଜନକ; ପ୍ରଥମ ଡୋଜ୍ ୩୫%, ଦ୍ବିତୀୟ ଡୋଜ୍ ନେଇଛନ୍ତି ମାତ୍ର ୨୪% ଲୋକ

ନାହିଁ ଟିକା, ୯୫ ପ୍ରତିଶତ ଟିକାକରଣ କେନ୍ଦ୍ର ବନ୍ଦ ପଡିଛି; ଅସମ୍ଭାଳ ଭିଡ଼ ଏଡ଼ାଇବାକୁ ପୁଲିସ୍, ପ୍ରଶାସନ ନାକେଦମ୍

ରାୟଗଡ଼ା: ରାୟଗଡ଼ାରେ କରୋନା ଟିକାକରଣର ସ୍ଥିତି ନିରୁତ୍ସାହଜନକ ରହିଛି। ଟିକା ଅଭାବ କାରଣରୁ ଜିଲ୍ଲାର ୯୫ ପ୍ରତିଶତ କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି। ଯେଉଁ ୫ ପ୍ରତିଶତ କେନ୍ଦ୍ରରେ ଟିକାକରଣ ଚାଲିଛି ସେଠି ଟିକା ନେବା ପାଇଁ ଲୋକଙ୍କ ଭିଡ଼ ଯେପରି ହେଉଛି ନିୟନ୍ତ୍ରଣ ପାଇଁ ପୁଲିସ୍, ପ୍ରଶାସନକୁ ନାକେଦମ୍ ହେବାକୁ ପଡୁଛି। ଆଜି ସୁଦ୍ଧା ଜିଲ୍ଲାରେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଲୋକଙ୍କ ମଧ୍ୟରେ ପ୍ରଥମ ଡୋଜ୍ ୩୫ ପ୍ରତିଶତ ନେଇଥିବା ବେଳେ ଦ୍ବିତୀୟ ଡୋଜ୍ ନେଇଛନ୍ତି ମାତ୍ର ୨୪ ପ୍ରତିଶତ।

ସ୍ବାସ୍ଥ୍ୟ ବିଭାଗ ସୂଚନାନୁଯାୟୀ, ଜିଲ୍ଲାର ୪୫ ବର୍ଷରୁ ଉର୍ଦ୍ଧ୍ବ ୨ ଲକ୍ଷ ୬୭ ହଜାର ୫୮୧ ଜଣଙ୍କୁ ଟିକାକରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି ୧୮ରୁ ୪୫ ବର୍ଷ ମଧ୍ୟରେ ୪ ଲକ୍ଷ ୫୩ ହଜାର ୪୬୯ ଜଣ ଟିକା ନେବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆକଳନ କରାଯାଇଛି। କିନ୍ତୁ ସେଥି ମଧ୍ୟରୁ ଗତ ୧୩ ତାରିଖ ସୁଦ୍ଧା ମାତ୍ର ୧ ଲକ୍ଷ ୪୨ ହଜାର ୯୨୮ ଜଣଙ୍କୁ ଟିକାକରଣ କରାଯାଇ ପାରିଛି। ସ୍ବାସ୍ଥ୍ୟ ବିଭାଗର କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରୁ ୭୪୧୧ ପ୍ରଥମ ଡୋଜ୍ ଏବଂ ୬୨୨୩ ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ୭୧୮୨ ଆଗଧାଡ଼ିର କୋଭିଡ଼୍ ଯୋଦ୍ଧାଙ୍କ ପ୍ରଥମ ଏବଂ ୫୪୬୦ ଜଣ ଦ୍ବିତୀୟ ଡୋଜ୍ ନେଇଛନ୍ତି। ସେହିପରି ୪୫ରୁ ଉର୍ଦ୍ଧ୍ବ ବୟସର ୯୪ ହଜାର ୬୧ ଜଣ ପ୍ରଥମ ଡୋଜ୍ ଏବଂ ୨୨ ହଜାର ୫୯୧ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି।

ବିଷମକଟକ ବ୍ଲକରେ ୩୫ ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ୍ ଟିକା ମିଳିଥିବା ବେଳେ ମାତ୍ର ୧୩ ପ୍ରତିଶତ ଲୋକ ନେଇଛନ୍ତି ଦ୍ବିତୀୟ ଡୋଜ୍। ସେହିପରି ଚନ୍ଦ୍ରପୁର ବ୍ଲକରେ ୩୬ ପ୍ରତିଶତ ପ୍ରଥମ ଡୋଜ୍, ୨୪ ପ୍ରତିଶତ ‌ଦ୍ବିତୀୟ ଡୋଜ୍, ଗୁଡାରି ବ୍ଲକରେ ୩୨ ପ୍ରତିଶତ ପ୍ରଥମ ଡୋଜ୍, ୩୧ ପ୍ରତିଶତ ଦ୍ବିତୀୟ ଡୋଜ୍, ଗୁଣପୁର ବ୍ଲକରେ ୨୭ ପ୍ରତିଶତ ପ୍ରଥମ, ୧୮ ପ୍ରତିଶତ ଦ୍ବିତୀୟ, ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ୪୯ ପ୍ରତିଶତ ପ୍ରଥମ, ୩୮ ପ୍ରତିଶତ ଦ୍ବିତୀୟ, କଲ୍ୟାଣସିଂହପୁର ବ୍ଲକରେ ୩୯ ପ୍ରତିଶତ ପ୍ରଥମ, ୧୯ ପ୍ରତିଶତ ଦ୍ବିତୀୟ, କାଶୀପୁର ବ୍ଲକରେ ୨୫ ପ୍ରତିଶତ ପ୍ରଥମ, ୧୮ ପ୍ରତିଶତ ଦ୍ବିତୀୟ, କୋଲନରା ବ୍ଲକରେ ୩୯ ପ୍ରତିଶତ ପ୍ରଥମ, ୧୩ ପ୍ରତିଶତ ଦ୍ବିତୀୟ, ମୁନିଗୁଡା ବ୍ଲକରେ ୨୩ ପ୍ରତିଶତ ପ୍ରଥମ, ୨୫ ପ୍ରତିଶତ ଦ୍ବିତୀୟ, ପଦ୍ମପୁର ବ୍ଲକରେ ୪୫ ପ୍ରତିଶତ ପ୍ରଥମ, ୨୪ ପ୍ରତିଶତ ଦ୍ବିତୀୟ, ରାମନାଗୁଡା ବ୍ଲକରେ ୪୯ ପ୍ରତିଶତ ପ୍ରଥମ, ୧୭ ପ୍ରତିଶତ ଦ୍ବିତୀୟ, ରାୟଗଡ଼ା ବ୍ଲକରେ ୨୩ ପ୍ରତିଶତ, ୧୪ ପ୍ରତିଶତ ଦ୍ବିତୀୟ, ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ୬୯ ପ୍ରତିଶତ ପ୍ରଥମ, ୪୯ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ମୋଟ ୯୫ଟି କେନ୍ଦ୍ର ମାଧ୍ୟମରେ ଧାର୍ଯ୍ୟ ଲୋକଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରହିଛି।

ହେଲେ ଟିକା ଅଭାବ କାରଣରୁ ଆଜି ସୁଦ୍ଧା ଜିଲ୍ଲାରେ ଶତ ପ୍ରତିଶତ ଭାବେ ଟିକାକରଣ କେନ୍ଦ୍ର କାର୍ଯ୍ୟକ୍ଷମ ‌ହୋଇପାରୁନି। କେଉଁ ଦିନ ଜିଲ୍ଲାରେ ୫ଟି ତ କେଉଁ ମାତ୍ର ୨ଟି ଟିକାକରଣ କେନ୍ଦ୍ର ଖୋଲୁଛି। ଯାହା ଅଭାବନୀୟ ପରିସ୍ଥିତି ସୃଷ୍ଟି କରୁଛି। ଗତ ଶନିବାର ଦିନ ଜିଲ୍ଲାରେ ମାତ୍ର ୨ଟି ଟିକାକରଣ କେନ୍ଦ୍ର ଖୋଲିଥିଲା। ଗଚ୍ଛିତ ଥିବା ୧୨୦ ଡୋଜ୍ ଟିକା ମଧ୍ୟରୁ ଗୁଡାରି ଓ ରାୟଗଡ଼ା ଅଞ୍ଚଳରେ ପ୍ରଦାନ କରାଯାଇଥିବା ବେଳେ ଅଧିକାଂଶ ବ୍ୟାଙ୍କ କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ଅନ୍ୟପକ୍ଷରେ ମେ’ ୧ରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ଯୁବକଙ୍କୁ ଟିକାକରଣ ପାଇଁ ସରକାର ଘୋଷଣା କରିବା ପରେ ପଞ୍ଜିକରଣ ସଂଖ୍ୟା ବଢ଼ିଥିଲେ ମଧ୍ୟ ଟିକା ଅଭାବ କାରଣରୁ ମାତ୍ର ୩ ହଜାର ୧୩୭ ଜଣଙ୍କୁ ଟିକାକରଣ କରାଯାଇଛି। ଦୁଇ ଦିନ ହେଲା ଟିକାକରଣ ବନ୍ଦ ଥିବା ବେଳେ ସୋମବାର ଟିକା ପହଞ୍ଚିବା ପରେ ମଙ୍ଗଳବାର ୨୦ଟି କେନ୍ଦ୍ରରେ ଟିକାକରଣ କରିବାକୁ ଯୋଜନା ରହିଥିବା ଜିଲ୍ଲା ଟିକାକରଣ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜିଲ୍ଲାରୁ ଆଜି ସୁଦ୍ଧା ୧୨ ହଜାର ୮୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୧ ଜଣଙ୍କ ମୃତ୍ୟୁ ହେଲାଣି। ୧୧ ହଜାର ୨୯୦ କରୋନାରୁ ସୁସ୍ଥ ହୋଇଥିବା ବେଳେ ୧୪୩୮ ଜଣ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର