ବାଲେଶ୍ବର ଓ ଝାରସୁଗଡ଼ାରେ ପହଞ୍ଚିଲା କୋଭିଡ୍‌ ଟିକା

ବାଲେଶ୍ୱର/ଝାରସୁଗୁଡ଼ା: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ବାଲେଶ୍ବର ଓଝାରସୁଗୁଡ଼ାକୁ କୋଭିଡ ଟିକା ପହଂଚିଛି। ପୁନେର ସିରମ୍ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ ଏହି ‘କୋଭିସିଲ୍ଡ ଭେକ୍ସିନ୍’ ବୁଧବାର ସଂଧ୍ୟାରେ କଡ଼ା ସୁରକ୍ଷାବ୍ୟବସ୍ଥାରେ ବାଲେଶ୍ବରରେ ପହଞ୍ଚିଥିବା ପରେ ସେଗୁଡ଼ିକୁ ମୁଖ୍ୟଚିକିତ୍ସାଳୟ ପରିସରରେ ଥିବା ଭେକ୍ସିନ ଷ୍ଟୋରରେ ରଖାଯାଇଥିଲା।

ଆସନ୍ତା ୧୬ ତାରିଖ ଠାରୁ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ନୀଳଗିରି ଉପଖଣ୍ଡ ଡାକ୍ତରଖାନା, ରୁପ୍‌ସା, ରେମୁଣା ଓ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପ୍ରଭୃତି ସ୍ଥାନରେ ୫ଟି ଟିକାକରଣ କେନ୍ଦ୍ର କରାଯାଇ ସମସ୍ତ ପ୍ରସ୍ତୁତି ସରିଛି। ପ୍ରଥମ ପର୍ଯ୍ୟାୟରେ ଟିକାକରଣ ପାଇଁ ୧୩ହଜାର ୬ଶହ ସ୍ବାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଛନ୍ତି। ତେବେ ୮ହଜାର ୪୦୦ ଡୋଜ୍ ଅାସିଥିବା ବେଳେ ଏବେ ସେଥିରୁ ୭ହଜାର ୬ଶହ ଡୋଜ୍‌ ବ୍ୟବହାର କରାଯିବ। ପରେ ଦ୍ୱିତୀୟ ପର୍ଯ୍ୟାୟ ଟିକା ଆସିଲେ ଏହି ଲକ୍ଷ୍ୟ ପୂରଣ ହେବା ସହ ପୁଲିସ ଓ କୋଭିଡ ପରିଚାଳନାରେ ନିୟୋଜିତ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କୁ ମଧ୍ୟ କୋଭିଡ ଟିକା ପ୍ରଦାନ କରାଯିବ ବୋଲି ଡାକ୍ତର ଦୁଲାଳସେନ୍‌ ଜଗଦ୍ଦେବ ସୂଚନା ଦେଇଛନ୍ତି।

ତେବେ ସାଧାରଣ ଲୋକଙ୍କ ପାଇଁ ଟିକା ପହଞ୍ଚିବାକୁ ଏକମାସରୁ ଅଧିକ ସମୟ ଲାଗିବ। ଟିକାକରଣ ସମ୍ପୂର୍ଣ୍ଣ ହେବାକୁ ୨ ବର୍ଷରୁ ଅଧିକ ସମୟ ଲାଗିପାରେ ବୋଲି ସିଡିଏମଓ ଡା. ଜଗଦ୍ଦେବ ଆଶା ପ୍ରକଟ କରିଛନ୍ତି।

ସେହିପରି ଆଜି ଝାରସୁଗୁଡ଼ା ଜିଲ୍ଲାରେ ପହଞ୍ଚିଛି କରୋନା ଟିକା। ଏହି ଟିକାକରଣ ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଜିଲ୍ଲାର ୪ ଗୋଟି କେନ୍ଦ୍ରରେ ଡ୍ରାଏରନ୍ ବା ପୂର୍ବାଭ୍ୟାସ କରାଯାଇ ସାରିଛି। ଜିଲ୍ଲାର ୨୧ ଗୋଟି କେନ୍ଦ୍ରରେ ଏହି ଟୀକାକରଣ କାର୍ଯ୍ୟ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ, ବ୍ରଜରାଜନଗର ସିଏଚ୍ସି, ପଞ୍ଚପଡ଼ା ୟୁପିଏଚ୍ସି ଓ ବେଲପାହାଡ଼ ଟିଆର୍ଏଲ୍ ହସପିଟାଲରେ ଆସନ୍ତା ୧୬ ତାରିଖ ଠାରୁ ଟିକାକରଣ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସରୋଜ ସାମଲ ସୂଚନା ଦେଇଛନ୍ତି। ଏହି ଚାରୋଟି କେନ୍ଦ୍ରରେ ଡ୍ରାଏରନ୍ ସଂପୂର୍ଣ୍ଣ ହୋଇ ଯାଇଥିବା ବେଳେ ଯେଉଁମାନେ ଏଠାରେ କେନ୍ଦ୍ର ପରିଚାଳନା କରିବେ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇ ସାରିଛି। ଆଜି ଏହି ଟୀକା ପହଞ୍ଚିବା ପରେ ତାକୁ ସ୍ବତନ୍ତ୍ର ସଂରକ୍ଷଣ ଗୃହରେ ରଖାଯାଇଛି।

ସମ୍ବନ୍ଧିତ ଖବର