ଆଇନଜୀବୀ କଲ୍ୟାଣ ପାଣ୍ଠି ସଂଶୋଧନକୁ ସ୍ବାଗତ; କୋଭିଡ୍ ଭ୍ୟାକ୍ସିନ୍ ଆଇନଜୀବୀଙ୍କୁ ଦେବାକୁ ଦାବି କଲା ଜିଲ୍ଲା ଆଇନଜୀବୀ ସଂଘ

ଜୟପୁର:‌ ଗତ ୨୯ତାରିଖ ଦିନ ଆଇନୀଜୀବୀ କଲ୍ୟାଣ ପାଣ୍ଠିକୁ ରାଜ୍ୟ ସରକାର ପୁଣି ସଂଶୋଧିତ କରିଛନ୍ତି। ଏହା ସହ ପାଣ୍ଠିକୁ ୫କୋଟି ଟଙ୍କା ପ୍ରଦାନ କରିଛନ୍ତି। ଏହାକୁ କୋରାପୁଟ ଜିଲ୍ଲା ଆଇନଜୀବୀ ସଂଘ ଜୟପୁର ପକ୍ଷରୁ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ବାଗତ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦିଆଯାଇଛି। ଆଇନଜୀବୀ କଲ୍ୟାଣ ପାଣ୍ଠିର ସ୍ଥାୟୀ ସଭ୍ୟ ହୋଇଥିବେ ଏବଂ ସଭ୍ୟଙ୍କର ମୃତ୍ୟୁ ହେଲେ ପୂର୍ବରୁ ୨ଲକ୍ଷ ୭୦ହଜାର ଟଙ୍କା ରାଜ୍ୟ ସରକାର ଦେଉଥିଲେ। ତେବେ ତାହାକୁ ଏବେ ସଂଶୋଧିତ କରାଯାଇଛି। ଏବେ ଏହି ଅର୍ଥ ସହାୟତା ସାଢ଼େ ୪ଲକ୍ଷକୁ ବୃଦ୍ଧି କରାଯାଇଛି। ସେପରି ଏହା ଶାରୀରିକ ଅକ୍ଷମତା ହୋଇଥିଲେ ବି ଏହି ସହାୟତା ମିଳିବ। ସେଭଳି ସଭ୍ୟ ହୋଇଥିଲେ ପୂର୍ବରୁ ୪୫ହଜାର ମିଳୁଥିଲା ତାହାକୁ ସରକାର ୭୫ହଜାରକୁ ବୃଦ୍ଧି କରିଛନ୍ତି। ୧୯୮୭ମସିହାରେ ଆଇନଜୀବୀ କଲ୍ୟାଣ ପାଣ୍ଠି ଆରମ୍ଭ ହୋଇଥିଲା। ତେବେ ସରକାରଙ୍କ ଏଥିରେ ସହଭାଗିତା କିମ୍ବା ପାଣ୍ଠି ପ୍ରଦାନରେ ସହଯୋଗ ନଥିଲା।

ତେବେ ୨୦୧୦ମସିହାରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିବର୍ତ୍ତିତ ଏବଂ ସଂଶୋଧିତ କରିଥିଲେ। ଗତ ୨୯ତାରିଖ ଦିନ ନୂଆ ସଂଶୋଧନ ଆଣିଛନ୍ତି। ଏହା ସହ ଭତ୍ତା ବି ଘୋଷଣା କରିଛନ୍ତି, ଯାହା ଓକିଲଙ୍କ ମୃତ୍ୟୁ ପରେ କିମ୍ବା ଶାରିରୀକ ଅକ୍ଷମ ହେବା ପରେ ପରିବାରକୁ ସହଯୋଗ ମିଳିପାରିବ ବୋଲି କହିଛନ୍ତି ସଂଘର ସଭାପତି ସରୋଜ ଦାଶ। ସେଭଳି କୋଭିଡ୍ ସଂକ୍ରମଣ ଚାଳିଥିବା ସମୟରେ ରାଜ୍ୟ ବାର କାଉନସିଲ ପକ୍ଷରୁ ଆଇନଜୀବୀ ମାନଙ୍କୁ ୫ହଜାର ଲେଖାଏଁ ସହାୟତା ପ୍ରଦାନ କରାଯାଇଥିଲା। ଏହି କ୍ରମରେ ଜୟପୁରରୁ ୭୦ଜଣଙ୍କୁ ଏହି ଆର୍ଥିକସହାୟତା ଦେବାକୁ ଅନୁରୋଧ କରାଯାଇଥିବା ବେଳେ ୫୮ଜଣଙ୍କୁ ଦିଆଯାଇଥିବା ବେଳେ ବଳକା ୧୨ଜଣଙ୍କୁ ମିଳିନି। ତେବେ ଏହାକୁ ନେଇ ସଂଘ ପକ୍ଷରୁ ରାଜ୍ୟ ବାର କାଉନସିଲକୁ ପୁର୍ନବିଚାର କରି ୧୨ଜଣଙ୍କୁ ବି ଦେବାକୁ ଅନୁରୋଧ କରାଯିବ ବୋଲି ସଭାପତି ଶ୍ରୀ ଦାଶ କହିଛନ୍ତି। ସେଭଳି କୋରାନା ଯୋଦ୍ଧା ଭାବେ ଓକିଲ ମାନେ ବି କାମ କରି ଆସୁଥିବା ଏବଂ କୋଭିଡରେ କିଛି ଆଇନଜୀବୀଙ୍କର ମୃତ୍ୟୁ ହୋଇଛି। ଏହି ଦୃଷ୍ଟିରୁ କୋଭିଡ୍ ଭ୍ୟାକ୍ସିନ୍ ଆଇନଜୀବୀଙ୍କୁ ବି ଦିଆଯାଉ ବୋଲି ସଂଘ ସଭାପତି ଶ୍ରୀ ଦାଶ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସଂପାଦକ ଆନନ୍ଦ ରଥ, ଯୁଗ୍ମସଂପାଦକ ଉମାକାନ୍ତ ସାହୁ, କୋଷାଧ୍ୟକ୍ଷ ଗୋପବନ୍ଦୁ ସାନ୍ତ୍ରା, କାର୍ୟ୍ୟକାରୀ ସଭ୍ୟ ଶୁଭେନ୍ଦୁ ମିଶ୍ର, ମୀନକେତନ ପରିଚ୍ଛା, ଦିବାକର ରାଓ, ପି.ସନ୍ୟାସୀ ରାଓ, କେ.ଅରୁଣ ଆଚାରୀ, ପୂର୍ବତନ ସଂପାଦକ ରବୀନ୍ଦ୍ର ପାତ୍ର, ସହସଂପାଦକ ଗିରଧର ଖରାପ୍ରମୁଖ ଆଇନଜୀବୀମାନେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର