କରୋନା ଯୋଦ୍ଧାଙ୍କୁ ସମ୍ମାନ: କନ୍ଧମାଳ ଗାଇଲା ବନ୍ଦେ ଉତ୍କଳ ଜନନୀ

ଫୁଲବାଣୀ: କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। କରୋନା ଲଢେଇରେ ଯୋଦ୍ଧା ସାଜିଥିବା ସମସ୍ତଙ୍କୁ ସମ୍ମାନ ଜଣାଇବା ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟା ୫ଟା ୩୦ ମିନିଟରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରି ଆଜି ସମଗ୍ର କନ୍ଧମାଳ ଗାଇଛି ବନ୍ଦେ ଉତ୍କଳ ଜନନୀ। ଗାଁରୁ ସହର ସବୁଠି ଶୁଭିଥିଲା ବନ୍ଦେ ଉତ୍କଳ ଜନନୀର ଗାନ।

ଜିଲ୍ଲା ସଦର ମହକୁମା ଫୁଳବାଣୀର ମୁଖ୍ୟ ରାସ୍ତା ବିଜୁ ପଟ୍ଟନାୟକ ଛକରେ ଶହଶହ ଜନସାଧାରଣ ସାମିଲ ହୋଇ ସଂଗୀତ ଗାନ କରିଥିଲେ। ଏଥିରେ ଦଳମତ ନିର୍ବିଶେଷରେ ସବୁ ଦଳର ନେତା,ସମର୍ଥକ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଫୁଲବାଣୀର ବିଧାୟକ ଅଙ୍ଗଦ କହଁର,ଜିଲ୍ଲାପାଳ ଡା.ବୃନ୍ଦା ଡି,ଏସପି ପ୍ରତୀକ ଗୀତା ସିଂ,ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ,ଆଇଏଏସ ପ୍ରୋବେସନର ଡା.ଶୁଭଙ୍କର ମହାପାତ୍ର,ଉପଜିଲ୍ଲାପାଳ ସୁରେଶ ଚନ୍ଦ୍ର ପ୍ରଧାନ, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ,ଟାଉନ ଥାନା ଆଇଆଇସି ନରେଶ କୁମାର ସାହୁ,ରିଜର୍ଭ ଇନସପେକ୍ଟର ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଆଇନଜୀବୀ, ସାମ୍ବାଦିକ, ପୁଲିସ, ସ୍ବେଛାସେବୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଫୁଲବାଣୀ ସହରବାସୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତେ ଏକ ସ୍ବରରେ ଗାଇଥିଲେ ବନ୍ଦେ ଉତ୍କଳ ଜନନୀ। ଏହା ବାଦ ଜିଲ୍ଲାପାଳ,ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଏବଂ ଘର ସମ୍ମୁଖରେ ଠିଆ ହୋଇ ବନ୍ଦେ ଉତ୍କଳ ଜଜନୀ ଗାନ କରିଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର