ଲକଡାଉନ ଆଇନକୁ ମାନୁନାହାନ୍ତି ଦୋକାନୀ, ଜିଲ୍ଲାପାଳ ଓ ଏସପିଙ୍କ ଚାଉ, ୬ ଦୋକାନ ସିଲ୍‌

ନବରଙ୍ଗପୁର: ଲକଡାଉନ ଆଇନ କୋହଳ ହେବା ପରେ ନବରଙ୍ଗପୁର ସହରରେ ଲକଡାଉନ ଆଇନକୁ ମାନୁନାହାନ୍ତି ଦୋକାନୀ। କେବଳ ଦୋକାନୀ ନୁହନ୍ତି ରାତି ପାହିଲେ ସହର ମଧ୍ୟରେ ଭିଡ ଜମୁଛି। ଆଜି ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ଓ ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ସହରକୁ ପରିକ୍ରମା ବେଳେ ଦୋକାନ ଗୁଡିକରେ ସାମାଜିକ ଦୂରତା ରକ୍ଷା କରିବାରେ ଅବହେଳା ଏବଂ ମାସ୍କ ବ୍ୟବହାର ହେଉନଥିବାର ଦେଖି ବିରକ୍ତି ପ୍ରକାଶ କରିଥିଲେ।

ମାସ୍କ ବ୍ୟବହାର ନକରିଲେ ଦୋକାନରେ ପ୍ରବେଶ ବାରଣ କରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ କିଛି ଦୋକାନ ଗୁଡିକରେ ଗ୍ରାହକମାନେ ବିନା ମାସ୍କରେ ପ୍ରବେଶ କରିଥିବା ଏବଂ ଦୋକାନ ଗୁଡିକରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ପାଇଥିଲେ। କୋଭିଡ ଆଇନକୁ ଖୋଲାଖୋଲି ଉଲଙ୍ଘନ ହେଉଥିବାର ଜିଲ୍ଲା ପ୍ରଶାସନ ଅନୁଭବ କରିଥିଲେ। ଆଜି ସହର ଏକ ପ୍ରମୁଖ ଲୁଗା ଦୋକାନ ଗାର୍ମେଣ୍ଟ, ବାଜାଜ ସୋରୁମ୍‌, ବିଶ୍ୱଜିତ ଭେରାଇଟି ଷ୍ଟୋର, ଦୁରାନି ଟ୍ରେଡର୍ସ, ଗୋଟିଏ ହୋଟେଲ ଭଣ୍ଡାରଘରଣୀ ହୋଟେଲ, ନୂଆ ଗ୍ୟାଲେକ୍ସି ଷ୍ଟୋର ଆଦି ଦୋକାନ ଗୁଡିକ ଲକଡାଉନ ଆଇନ ଉଲଙ୍ଘନ ଆଇନ ବଳରେ ୬ ଗୋଟି ଦୋକାନକୁ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ସିଲ୍‌ କରାଯାଇଥିଲା।

ହୋଟେଲରେ କେବଳ ପାର୍ସଲ ଦେବା ପାଇଁ ଆଇନରେ ଥିବା ବେଳେ ହୋଟେଲ ମଧ୍ୟରେ ପ୍ରାୟ ୮ ଜଣ ଗ୍ରାହକ ବସି ଖାଉଥିବା ଦେଖିବାକୁ ପାଇଥିଲେ। ଏହି ଦୋକାନ ଗୁଡିକ ସିଲ୍‌ ବେଳେ ଜିଲ୍ଲାପାଳ ଓ ଏସପିଙ୍କ ସହିତ ତହସିଲଦାର ରବିନ୍ଦ୍ର କୁମାର ରାଉତ, ପୌରନିର୍ବାହୀ ଅଧିକାରୀ ବିନୟ କୁମାର ପଟେଲ, ଥାନା ଅଧିକାରୀ ତାରିକ ଅହମ୍ମଦ ପ୍ରମୁଖ ଉପସ୍ଥିତ ରହିଥିଲେ। ଜିଲ୍ଲାପାଳଙ୍କ ପୁନଃ ଆଦେଶ ପର୍ଯ୍ୟନ୍ତ ଏହି ଦୋକାନ ସିଲ୍‌ ହୋଇ ରହିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର