ଝାରସୁଗୁଡ଼ା: ବେଦାନ୍ତ ଆଲୁମିନିୟମ୍‌ ଲିମିଟେଡ୍‌ର ଲେବର ସେସ୍‌ ଠକେଇ ପ୍ରସଙ୍ଗରେ ଏକ ନୂଆ ଦିଗ ସାମ୍ନାକୁ ଆସିଛି। ଓପିଜିସିଠାରୁ ୨ଗୁଣା ବଡ଼ କମ୍ପାନି ହୋଇଥିବା ସତ୍ତ୍ବେ ଓପିଜିସି ୫ ବର୍ଷରେ ଯେତିକି ଲେବର ସେସ୍‌ ପ୍ରଦାନ କରିଛି ବେଦାନ୍ତ ୧୨ ବର୍ଷରେ ତାହାର ୩୦ ପ୍ରତିଶତ ଟଙ୍କା ବି ସରକାରଙ୍କୁ ଦେଇନାହିଁ। ବେଦାନ୍ତର ମୂଳ ପ୍ରକଳ୍ପ ମୂଲ୍ୟର ପୁନଃ ଆସେସମେଣ୍ଟ ନ କରାଇବା ଓ ସରକାରଙ୍କ ରାଜକୋଷକୁ ଯିବାକୁ ଥିବା ପାଣ୍ଠି ଠକିବା ପାଇଁ କମ୍ପାନି, ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର କିଛି ଅଧିକାରୀଙ୍କ ଅସାଧୁ ମେଣ୍ଟ ଆଜି ବି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଯାହାଦ୍ବାରା ବେଦାନ୍ତ ସରକାରୀ ନିର୍ଦ୍ଦେଶକୁ ବାରମ୍ବାର ଫାଙ୍କି ଆସିଛି। ଏ ସମ୍ପର୍କରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କୁ ପଚାରିବାରେ କହିଛନ୍ତି, ‘ଏହି ଘଟଣାର ତଦନ୍ତ ହେବ ଓ ଆଇନ୍‌ ଅନୁସାରେ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।’
ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ସୂଚନା ଅନୁସାରେ, ବେଦାନ୍ତ ୨୦୧୯ ମସିହା ସୁଦ୍ଧା ଲେବର ସେସ୍‌ ବାବଦକୁ ୬୭ କୋଟି ନୁହେଁ ମାତ୍ର ୬ କୋଟି ଟଙ୍କା ଦେଇଛି। ସେଥିରୁ ୨୦୧୮ ମସିହାରେ ଗୋଟିଏ କିସ୍ତିରେ ଓ ୨୦୧୯ ମସିହାରେ ୨ଟି କିସ୍ତିରେ ଆର୍‌ଟିଜିଏସ୍‌ ଯୋଗେ ଏହି ଟଙ୍କା ପୈଠ କରିଛି। କିନ୍ତୁ ଜିଲ୍ଲା ଶ୍ରମ ବିଭାଗ ନିକଟରେ ଏ ନେଇ କୌଣସି ରସିଦ୍‌ ନାହିଁ। ୨୦୧୮ ମସିହାରେ ତତ୍କାଳୀନ ଝାରସୁଗୁଡ଼ା ଡିଏଲ୍‌ଓ ବେଦାନ୍ତକୁ ୩ ଥର ଚିଠି କରି ଏହି ସେସ୍‌ ପୈଠ ନ କରିବା ନେଇ ତଲବ କରିଥିଲେ। ଏହାପରେ ୭ ସେପ୍ଟେମ୍ବର ୨୦୧୯ରେ ପୁଣିଥରେ ବେଦାନ୍ତ ଦୁର୍ନୀତି କରୁଥିବା ନେଇ ତତ୍କାଳୀନ ଡିଏଲ୍‌ଓ ତାଙ୍କ ଚିଠି ସଂଖ୍ୟା ୨୩୫୨ରେ ଦର୍ଶାଇଥିଲେ। ବେଦାନ୍ତ ନିୟମିତ ଭାବରେ ଏହାର ପ୍ଲାଣ୍ଟ ସମ୍ପ୍ରସାରଣ କରୁଥିବା ବେଳେ ପ୍ରତିବର୍ଷ ଟାଉନ୍‌ସିପ୍‌ ଭିତରେ ଓ ବାହାରେ କନଷ୍ଟ୍ରକସନ୍‌ କାମ କରୁଛି। ଏଥିସହ ବେଦାନ୍ତ ନିଜ ପାଇଁ କୋଠା ଓ ରାସ୍ତା ନିର୍ମାଣ କରୁଥିବା ସତ୍ତ୍ବେ ସରକାରଙ୍କୁ ୧% ଲେବର ସେସ୍‌ ପ୍ରଦାନ କରୁ ନ ଥିବା ବେଳେ କୌଣସି ସୂଚନା ମଧ୍ୟ ଦେଉ ନ ଥିବା ଚିଠିରେ ଉଲ୍ଲେଖ କରାଯାଇ ଥିଲା। ନିୟମାନୁସାରେ, ସରକାରଙ୍କୁ ଏହି ସେସ୍‌ ପଇଠ ନ କରି କୋଠା ବା ଅନ୍ୟାନ୍ୟ କନଷ୍ଟ୍ରକସନ କାମ କଲେ ୩ ମାସ ଜେଲ୍‌ ଓ ଅର୍ଥଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିପାରେ ବୋଲି ତତ୍କାଳୀନ ଜିଲ୍ଲା ଶ୍ରମ ଅଧିକାରୀ ବେଦାନ୍ତକୁ ଅବଗତ କରିଥିଲେ।
ଓଡ଼ିଶା ପାୱାର ଜେନେରେସନ୍‌ କର୍ପୋରେସନ୍‌ ଉଦ୍ୟୋଗ (ଓପିଜିସି)କୁ ଉଦାହରଣ ଭାବରେ ନେଲେ ଏହି ପ୍ରକଳ୍ପର ମୂଲ୍ୟ ପ୍ରାୟ ୪୫ ହଜାର କୋଟି ଟଙ୍କା ହେବ। ଯାହାର ୧୭୦୦ ମେଗା‌ୱାଟ୍‌ ବିଶିଷ୍ଟ ବିଦ୍ୟୁତ୍‌ ଉତ୍ପାଦନକାରୀ ପ୍ଲାଣ୍ଟ ରହିଛି। ଓପିଜିସି ୨୦୧୫ରୁ ୨୦୨୦ ମସିହା ମଧ୍ୟରେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଏହି ଲେବର ସେସ୍‌ ବାବଦକୁ ୧୭ କୋଟି ଟଙ୍କା ପ୍ରଦାନ କରିଛି। କିନ୍ତୁ ବେଦାନ୍ତର ୯୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟ ସମ୍ବଳିତ ୨୪୦୦ ମେଗାୱାଟ୍‌ ବିଶିଷ୍ଟ ବିଦ୍ୟୁତ୍‌ ଉତ୍ପାଦନକାରୀ ପ୍ଲାଣ୍ଟ ସାଙ୍ଗକୁ ୧୮ ଏଲ୍‌ଟିପିଏ ଆଲୁମିନିୟମ୍‌ ପ୍ଲାଣ୍ଟ ଏବଂ ୪ରୁ ଅଧିକ ପାଉଁଶ ପୋଖରୀ ଥାଇ ମଧ୍ୟ ୨୦୧୯ ସୁଦ୍ଧା ମାତ୍ର ୬ କୋଟି ଟଙ୍କା ଲେବର ସେସ୍ ଦେଇଛି। ଅର୍ଥ ହେଲା, ଓପିଜିସି ଦେଇଥିବା ସେସ୍ ଅର୍ଥର ୩୦% ବି ବେଦାନ୍ତ ଦେଇନାହିଁ।