ରାୟଗଡା: ରାୟଗଡା ଜିଲ୍ଲାର କାଶୀପୁର ଅଂଚଳରେ ପୁଣି ଅଶାନ୍ତ ଦେଖାଦେଇଛି। ଘରୋଇ କମ୍ପାନୀ ମୈତ୍ରୀ ଓ ବେଦାନ୍ତ କମ୍ପାନୀକୁ ବିରୋଧ କରି କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ୪୦ ଖଣ୍ଡ ଗ୍ରାମର ଲୋକେ ଥାନା ଘେରାଉ କରିଥିଲେ। କମ୍ପାନୀର କିଛି ଅସାଧୁ ଲୋକେ ସୁଙ୍ଗେର ଗ୍ରାମ ସହ ଏହାର ଆଖପାଖ ଗ୍ରାମରେ ବୁଲି ଲୋକଙ୍କୁ ଭତ୍ତା କରାଇ ଦେବା ନାମରେ ଆଧାର କାର୍ଡ ଏବଂ ବ୍ୟାଙ୍କ ପାସବୁକ ମାଗିବା ସହ ଲୋକଙ୍କ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି। ଆମ ଅଂଚଳରେ କୌଣସି ବାହାର କମ୍ପାନୀକୁ କିମ୍ବା ଘରୋଇ କମ୍ପାନୀକୁ ଭର୍ତ୍ତି ହେବାକୁ ଦେବୁ ନାହିଁ ବୋଲି ଲୋକେ ଅଭିଯୋଗ କରିଥିଲେ। ଶତାଧିକ ମହିଳା ପୁରୁଷ ପ୍ରାୟ ୨୦ କିଲୋମିଟର ଚାଲି ଚାଲି କାଶୀପୁର ଥାନାରେ ପହଞ୍ଚିଥିଲେ। ପୁଲିସ କମ୍ପାନୀକୁ ସହଯୋଗ କରୁଥିବା ଅଭିଯୋଗ କରିଥିଲେ। ଗ୍ରାମର କିଛି ଲୋକଙ୍କ ନାମରେ କମ୍ପାନୀ କର୍ତ୍ତୃପକ୍ଷ କେଶ ଦେବା ପରେ ପୁଲିସ ସେମାନଙ୍କ ହଇରାଣ କରୁଥିବା ଅଭିଯୋଗ କରିଥିଲେ। କିନ୍ତୁ ଦୁଇ ଦୁଇ ଥର କମ୍ପାନୀ କର୍ତ୍ତୃପକ୍ଷଙ୍କ ନାମରେ ଏତଲା ଦିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ କରିଥିଲେ।ବର୍ଷା ଲାଗି ରହିଥିଲେ ମଧ୍ୟ ଲୋକଙ୍କର ଜୋସ କମିନଥିଲା। ଲୋକେ ଜଳ-ଜଂଗଲ-ଜମି ପାଇଁ ଲଢେଇ କରିଆସୁଛନ୍ତି ଏବଂ ଲଢେଇ କରିବେ ବୋଲି କହିଥିଲେ।

Advertisment

ଲୋକେ ଥାନା ସମ୍ମୁଖରେ ଗୋ ବ୍ୟାକ ମୈତ୍ରୀ ଏବଂ ଗୋ ବ୍ୟାକ ବେଦାନ୍ତ ବୋଲି ନାରା ଦେଉଥିଲେ। ଏହି ଦୁଇ କମ୍ପାନୀ ବିରୋଧରେ ଯେତେ ଅଭିଯୋଗ କଲେ ମଧ୍ୟ ପୁଲିସ ସହଯୋଗ କରୁନଥିବା ଲୋକେ କହିଥିଲେ। ଏଠାରେ ଖଣି ଖନନ ହେଲେ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ସହ ଅଂଚଳର ପ୍ରଦୂଷିତ ହେବ ବୋଲି ଗ୍ରାମବାସୀ କହିଥିଲେ। ଯଦି କମ୍ପାନୀ ଗାଁରେ ପଶେ ତେବେ ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଲୋକେ ଧମକ ଦେଇଥିଲେ। ବାରମ୍ବାର ଥାନା ଘେରାଉ କରି ନ୍ୟାୟ ମଗାଯାଉଥିଲେ ମଧ୍ୟ ନ୍ୟାୟ ମିଳୁନଥିବା ଲୋକେ କହିଥିଲେ। ପୁଣି ଏହି କମ୍ପାନୀ ବିରୋଧରେ ଏତଲା ଦିଆଯାଇଥିଲା। ଏଥର କୌଣସି କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବା ସହ ଆଗାମୀ ନିର୍ବାଚନରେ ଏହାର ଫଳ ସରକାର ଦେଖିବେ ବୋଲି ଚେତାବନୀ ଦେଇଛନ୍ତି। କମ୍ପାନୀର ଲୋକମାନେ ସୁଙ୍ଗେର ଅଂଚଳର ରେଙ୍ଗାଠାରେ ଗୁପ୍ତ ବୈଠକ କରି ଲୋକଙ୍କ ମଧ୍ୟରେ ଗଣ୍ଡଗୋଳର ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ। ଏହି ଅଂଚଳରେ ଖଣି ଖନନ ବନ୍ଦ କରିବା ସହ କମ୍ପାନୀର ଗୁଣ୍ଡାମାନେ ଗୁଣ୍ଡାରାଜ ବନ୍ଦ ନକରନ୍ତି ତେବେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ। ପୁଲିସ ତରଫରୁ ଏସଡିପିଓ ଏବଂ ଆଇଆଇସି ଘଟଣାସ୍ଥଳରେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରି ଫେରାଇଥିଲେ।