ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ଉଦ୍‌ଯାପିତ; କୁଚିପୁଡି, ଶାସ୍ତ୍ରୀୟ ନୃତ୍ୟରେ ମନ୍ତ୍ରମୁଗ୍ଧ ଦର୍ଶକ

ରାଉରକେଲା: ସେକ୍ଟର-୫ସ୍ଥ ଭଞ୍ଜଭବନ ପରିସରରେ ଚାଲିଥିବା ୨୫ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ଉଦ୍‌ଯାପିତ ହୋଇଯାଇଛି। ଶେଷ ସଂଧ୍ୟାରେ କୁଚିପୁଡି ନୃତ୍ୟ, ଯୋଡି ଶଙ୍ଖ, ରଣପା ଓ ଶାସ୍ତ୍ରୀୟ ନୃତ୍ୟରେ ମନ୍ତ୍ରମୁଗ୍ଧ ହୋଇଥିଲେ ଦର୍ଶକ।

ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ମହୋତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ବିଶିଷ୍ଟ କଳାକାର ନିଜର ନୃତ୍ୟସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ଆଜି ଉଦଯାପନୀ ସନ୍ଧ୍ୟାରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ, ଶ୍ରୀ ଅତନୁ ଭୌମିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ। ଭାରତର ସର୍ବୋତ୍କୃଷ୍ଟ କୁଚିପୁଡି ନୃତ୍ୟଗୁରୁଙ୍କ ମଧ୍ୟରେ ପରିଗଣିତ ବେଙ୍ଗାଲୁରୁର ଡକ୍ଟର ବସନ୍ତ କିରଣ ଏବଂ ତାଙ୍କର ସାଥି ନୃତ୍ୟଶିଳ୍ପୀଙ୍କ ଦ୍ଵାରା ମନଛୁଆଁ କୁଚିପୁଡି ନୃତ୍ୟର ପରିବେଷଣ ସହିତ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ପରେ ଭଞ୍ଜ କଳା କେନ୍ଦ୍ରର ପୁରାତନ ଛାତ୍ରୀମାନେ ମନଛୁଆଁ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ ।

ଗଞ୍ଜାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର କଳା କେନ୍ଦ୍ରର କଳାକାରମାନେ ରୋମାଞ୍ଚକର ଯୋଡି ଶଙ୍ଖ ଓ ରଣପ୍ପା ନୃତ୍ୟ ପରିବେଷଣ କରିଥିଲେ। ମହରାଷ୍ଟ୍ରରୁ ଆସିଥିବା ଲୋକନୃତ୍ୟ କଳାକାରଙ୍କ ଦ୍ଵାରା ଲାବଣୀ ନୃତ୍ୟ ପରିବେଷଣ ସହିତ ଉତ୍ସବ ଉଦଯାପିତ ହୋଇଥିଲା। ପ୍ରାରମ୍ଭରେ ଗୁରୁ ବୀଣାପାଣି ରଥଙ୍କ ନିର୍ଦ୍ଦେଶନାରେ ଭଞ୍ଜ କଳା କେନ୍ଦ୍ରର ବିଦ୍ୟାର୍ଥୀଙ୍କ ଦ୍ଵାରା ହିନ୍ଦୁସ୍ତାନୀ ବୃନ୍ଦ ଗାୟନ ସମସ୍ତଙ୍କ ମନକୁ ଛୁଇଁଥିଲା। ଭଞ୍ଜ କଳା କେନ୍ଦ୍ରର ସଭାପତି ତଥା ଆର୍‌ଏସ୍‌ପି କଞ୍ଚାମାଲ ପ୍ରବନ୍ଧନ ବିଭାଗର ସିଜିଏମ, ଶୁଭଶଙ୍କର ରାୟଚୌଧୁରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ତଥା ଆର୍‌ଏସ୍‌ପି ଏଜିଏମ ରାଧାକୃଷ୍ଣ ମହାପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଉପସଭାପତି ତଥା ଆରଏସପି ସାମଗ୍ରୀ ପରିଚାଳନା ବିଭାଗର ଜିଏମ ଆଲୋକ ବେହେରା ଧନ୍ୟବାଦ ଦେଇଥିଲେ। ଆରଏସପି ଲୋକସମ୍ପର୍କ ବିଭାଗର ଶଶାଙ୍କ ପଟ୍ଟନାୟକ ଏବଂ କୋଏନା ଦସ୍ତିଦାର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଉପଦେଷ୍ଟା ଅସୀମ ବେହେରା, କର୍ମକର୍ତ୍ତା ବିବେକାନନ୍ଦ ପରିଡା, ଜ୍ୟୋତିର୍ମୟ ଆଚାର୍ଯ୍ୟ, ପଞ୍ଚାନନ ମଲ୍ଲିକ, ସୁବ୍ରତ ଶତପଥୀ, ସନ୍ତୋଷ ରଥ, ଗଜେନ୍ଦ୍ର ମୁର୍ମୁ, ବସନ୍ତ ସାହୁ, ରସାନନ୍ଦ ମହାନ୍ତ, କନକ ଲତା ମିଶ୍ର, ଡେଜି ଷଡଙ୍ଗୀ, ଏବଂ ପ୍ରବୀଣ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର