ଭିଡ଼ିଓ ଭାଇରାଲ୍ ଧମକ ଦେଇ ଦୁଷ୍କର୍ମ ଓ ଧର୍ମ ପରିବର୍ତ୍ତନ ମାମଲା: ଅଭିଯୁକ୍ତକୁ ଖସାଇଦେବାକୁ ଉଦ୍ୟମ କରୁଛି ପୁଲିସ

ଖୋର୍ଦ୍ଧା: ମୁସଲିମ ସମ୍ପ୍ରଦାୟର ଜଣେ ଯୁବକ ଅଲ୍ଲୀମୁଦ୍ଦିନ ସାହା ବିବାହର ପ୍ରଲୋଭନ ଦେଖାଇ ଜଣେ ହିନ୍ଦୁ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ପରବର୍ତ୍ତୀ ସମୟରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ୍ କରିବାର ଭୟ ଦେଖାଇ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିବା ଅଭିଯୋଗରେ ବୁଧବାର ପୁଲିସ ମାମଲା ରୁଜୁ କରିଛି। କିନ୍ତୁ ପୀଡ଼ିତାଙ୍କ ଅଭିଯୋଗ ମୁତାବକ ଦଫା ନଲଗାଇ ଅଭିଯୁକ୍ତକୁ ଖସାଇ ଦେବାକୁ ପୁଲିସ ଉଦ୍ୟମ କରୁଛି ବୋଲି ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି।

ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ପାଇଁ ସକାଳେ ଥାନାକୁ ଡକାଯାଇଥିଲା। ଦୀର୍ଘ ସମୟ ଥାନାରେ ବସାଇବା ପରେ ଯାଇ ଡାକ୍ତରୀ ମାଇନା ପାଇଁ ନିଆଯାଇଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ, ପୁଲିସର ସୂଚନାନୁସାରେ, ଅଭିଯୁକ୍ତଙ୍କ କେତେକ ସମ୍ପର୍କୀୟଙ୍କୁ ଡକାଇ ପଚରାଉଚୁରା କରାଯାଇଛି। ଏନେଇ ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିଲ୍ଲୀପ କୁମାର ଦାସ କହିଛନ୍ତି ଯେ ନଂ. ୩୨୦/୨୩, ଦଫା ୩୭୬(୨-ଏନ୍) ଓ ୫୦୬ରେ ମାମଲା ରୁଜୁ ହୋଇଛି।

ତେବେ ପୀଡ଼ିତାଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଳାର ଜଣେ ବିଧାୟକଙ୍କ ଖାସ ଲୋକ। ଏହି କାରଣରୁ ପୁଲିସ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରୁଛି। ହତ୍ୟା ଧମକ ଦେବା, ଓଡ଼ିଶାରେ ବଳପୂର୍ବକ ଓ ପ୍ରୋଲଭିତ କରି ଧର୍ମ ପରିବର୍ତ୍ତନ କରିବା ବେଆଇନ ହୋଇଥିଲେ ମଧ୍ୟ ସେଭଳି ସଙ୍ଗିନ ଦଫା ଲଗାଇନାହିଁ । ଅଭିଯୁକ୍ତ ନିକଟରେ ଥିବା ଅଶ୍ଲୀଳ ଭିଡ଼ିଓ, ମୋବାଇଲ୍ ଫୋନ୍ ଆଦି ଜବତ କରିନାହିଁ କି ଏନେଇ କୌଣସି ଦଫା ଲଗାଇନାହିଁ। ଯଦି ପୁଲିସ ମାମଲା ଦୁର୍ବଳ କରିବାକୁ ଉଦ୍ୟମ କରିବ ତେବେ ସେମାନେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ମହାବିଦ୍ୟାଳୟରେ ପଢ଼ିବା ସମୟରେ ପ୍ରେମ କରିବା ପରେ ଅଲ୍ଲୀମୁଦ୍ଦିନ ଦୀର୍ଘ ୮ ବର୍ଷ ଶାରୀରିକ ସମ୍ପର୍କ ରଖିଥିଲା। ଯେତେବେଳେ ସେ ବିବାହ ପାଇଁ ଚାପ ପକାଇଲେ ଅଲ୍ଲୀମୁଦ୍ଦିନ୍ ତାଙ୍କୁ ଗୋମାଂସ ଖାଇ ମୁସଲିମ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ। ଏଥିରେ ପୀଡ଼ିତା ଜଣକ ଅମଙ୍ଗ ହେବାରୁ ଅନ୍ତରଙ୍ଗ ମୂହୂର୍ତ୍ତର ଭିଡ଼ିଓ ଭାଇରାଲ୍ କରିଦେବାର ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲା। ଏନେଇ ସେ ରାଜ୍ୟ ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର