ଜୟପୁର: ବେଙ୍ଗାଲୁରୁର ଟମାଟୋ, ଆନ୍ଧ୍ରର କଂଚା ଲଙ୍କା, ଛତିଶଗଡ ଜଗଦଲପୁରର ଫୁଲକୋବି, ନାସିକରୁ ପିଆଜ ଓ ଆଳୁ ଏବେ ଜୟପୁର ବଜାରରେ ରାଜ କରୁଛି। ଗତ କିଛି ମାସ ହେବ ନିୟମିତ ଭାବେ ସେଠାରୁ ଆସୁଥିବା ଟମାଟୋ ହିଁ ଜୟପୁର ବଜାରରେ ବିକ୍ରି କରୁଥିବା କହିଛନ୍ତି ପନିପରିବା ବ୍ୟବସାୟୀ। କିଲୋ ପ୍ରତି ଶହେ ଟଙ୍କାରୁ ତଳକୁ ଓହ୍ଲାଇବା ନାଁ ନେଉନି। ବଜାରର ଅଳ୍ପ କିଛି ବ୍ୟବସାୟୀ ହିଁ ଟମାଟୋ ବିକ୍ରି କରୁଛନ୍ତି। ହୋଲସେଲର ବି କିଛି ଖୁଚୁରା ବ୍ୟବସାୟୀଙ୍କୁ ଟମାଟୋ ବିକ୍ରି କରିବାକୁ ଦେଉଛନ୍ତି। ଧିରେ ଧିରେ ଦେଶି ଟମାଟୋ ବାହାରୁଥିଲେ ହେଁ ଏହା ବି ଏହି ଶହେ ଟଙ୍କାରେ ବିକ୍ରି କରୁଛନ୍ତି। ଗତ ୧୫ ଦିନ ଯେଉଁ ପରିବା କିଲୋ ପିଛା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା, ତାହା ଏବେ ୪୦ରୁ ଉପରେ ହିଁ ବିକ୍ରି ହେଉଛି। ଜୟପୁର ଦୈନିକ ବଜାରରେ ବିନ୍ସ କିଲୋ ୧୦୦ ଟଙ୍କା ରହିଛି। ସେହିପରି ଝୁଡଙ୍ଗ କିଲୋ ୪୦ରୁ ୫୦ଟଙ୍କା, କ୍ୟାପସିକମ୍ କିଲୋ ପ୍ରତି ୭୦ଟଙ୍କା, ଫୁଲକୋବି କିଲୋ ୧୦୦ ଟଙ୍କା, ବାଇଗଣ କିଲୋ ୩୦ରୁ ୪୦ଟଙ୍କା, ଦେଶୀ ପୋଟଳ କିଲୋ ୫୦ ଟଙ୍କା ଓ ହାଇବ୍ରିଡ୍ ପୋଟଳ ୪୦ରୁ ୫୦ଟଙ୍କା, ଭେଣ୍ଡି କିଲୋ ୫୦ଟଙ୍କା, ବଡ଼ କାଙ୍କଡ଼ କିଲୋ ୮୦ଟଙ୍କା, ସାନ କାଙ୍କଡ଼ କିଲୋ ୧୨୦ଟଙ୍କା, କାକୁଡ଼ି କିଲୋ ୬୦ଟଙ୍କା, କଲରା କିଲୋ ୯୦ଟଙ୍କା, କଞ୍ଚା ଲଙ୍କା କିଲୋ ୧୫୦ ଟଙ୍କା ଓ ସାରୁ କିଲୋ ୪୦ ଟଙ୍କା ରହିଛି।

Advertisment

କଞ୍ଚା କଦଳୀ ଗୋଟାକୁ ୧୦ ଟଙ୍କା। ଅଦା କିଲୋ ପ୍ରତି ୧୮୦ରୁ ୨୦୦ଟଙ୍କା। ଆଳୁ କିଲୋ ପ୍ରତି ୨୦ଟଙ୍କା ରହିଥିବା ବେଳେ ପିଆଜ କିଲୋ ପ୍ରତି ୨୫ରୁ ୩୦ଟଙ୍କା ରହିଛି। ଏନେଇ ପରିବା ବ୍ୟବସାୟୀଙ୍କ କହିବା କଥା ବଜାରକୁ ଏବେ ସ୍ଥାନୀୟ ଚାଷୀଙ୍କଠାରୁ ପରିବା ଆସୁନାହିଁ। କୋରାପୁଟ ଜିଲ୍ଲାର ଚାଷୀ ନୂଆ ଫସଲ ଅମଳ କରିନାହାନ୍ତି। ଫଳରେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ, ରାୟପୁର, ଜଗଦଲପୁରରୁ ଚଢ଼ା ଦରରେ ପରିବା କିଣା ଯାଉଥିବାରୁ ଏଠି ଦର ବଢ଼ୁଛି। ବର୍ଷାଦିନିଆ ନୂଆ ଅମଳ ଆସିବା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ। ତେଣୁ ଆହୁରି ମାସେ କିମ୍ବା ତା’ଠୁ ଅଧିକ ଦିନ ପରିବା ଦର ଉଚ୍ଚା ରହିବ ବୋଲି କହିଛନ୍ତି। ସ୍ଥାନୀୟ ପନିପରିବା ଚାଷୀଙ୍କଠାରୁ ବିନସ୍, ଦେଶୀ ପୋଟଳ ଓ ଝୁଡଙ୍ଗ ଆଦି ଆସୁଛି। ଅଦା କୁନ୍ଦୁଲିରୁ ଆସୁଥିଲେ ହେଁ କମ୍ ଉତ୍ପାଦନ ହେଉଥିବାରୁ ଏବଂ ଭଲ ଅଦା, ବିନସ୍, ଝୁଡଙ୍ଗ ବାହାର ରାଜ୍ୟକୁ ଚାଲାଣ ହେଉଥିବାରୁ ଏଠାକାର ବଜାର ଦର ଅଧିକା ରହୁଛି ବୋଲି କହିଛନ୍ତି ବ୍ୟବସାୟୀ।