ପନିପରିବା ଦର ଆକାଶଛୁଆଁ: ଲୋକେ ହନ୍ତସନ୍ତ, ବଢ଼ୁଛି ଅସନ୍ତୋଷ

ତିଗିରିଆ: ତିଗିରିଆ ବ୍ଲକ୍‌ରେ ବର୍ତ୍ତମାନ ପନିପରିବା ଦର ଆକାଶଛୁଆଁ ହୋଇଯାଇଛି। ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡ଼ିଛି। ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କରୋନା ମହାମାରୀ ଯୋଗୁଁ ଲୋକଙ୍କ ଆୟ କମି ଯାଇଛି। ବିଶେଷ କରି ବ୍ଲକ୍‌ର ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ଏଥିଯୋଗୁଁ ହନ୍ତସନ୍ତ ହେଉଛନ୍ତି। ଦୀର୍ଘଦିନ ଧରି ଅତ୍ୟାବଶ୍ୟକ ସାମଗ୍ରୀ ଖାଇବା ତେଲ ସହ ଅନ୍ୟ ଖାଦ୍ୟ ସାମଗ୍ରୀର ଦରଦାମ ବଢ଼ି ଚାଲିଛି। ପେଟ୍ରୋଲ୍‌, ଡିଜେଲ୍‌ ଓ ରନ୍ଧନ ଗ୍ୟାସ୍‌ର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବଢ଼ି ଯାଇଛି। ପନିପରିବା ପାଇଁ ସମଗ୍ର ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତିଗିରିଆ ବ୍ଲକ୍‌ରେ ଏବେ ପରିବା ଦରବୃଦ୍ଧି ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଥିବା ସ୍ଥାନୀୟ ଜନସାଧାରଣ ପ୍ରକାଶ କରିଛନ୍ତି। ବ୍ୟବସାୟୀଙ୍କ ଠାରୁ ପରିବା ଦର ଶୁଣି ଲୋକମାନେ ଖାଲି ବ୍ୟାଗ୍‌ ନେଇ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି।

ବର୍ତ୍ତମାନ ବଜାରରେ ଆଳୁ କିଲୋ ୧୮ ଟଙ୍କା ରହିଥିଲା ବେଳେ ପିଆଜ ୪୦, ଟମାଟୋ ୬୦, ବାଇଗଣ ୫୦, ଝୁଡ଼ଙ୍ଗ ୪୦, ପୋଟଳ ୬୦, କାଙ୍କଡ଼ ୭୦, ସଜନା ଛୁଇଁ ୧୦୦, କଲରା ୫୦, ଗୁଆଁର ୬୦, ସାରୁ ୪୦, ଭେଣ୍ଡି ୫୦, ଖମ୍ବଆଳୁ ୮୦, ବିନ୍‌ ୧୦୦, କାକୁଡ଼ି ୪୦ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି। ଫଳରେ ୫୦୦ ଟଙ୍କା ନେଇ ପରିବା କିଣିବା ପାଇଁ ବଜାରକୁ ଗଲେ ବ୍ୟାଗ ଭର୍ତ୍ତି ହେଉ ନ ଥିବା ଖାଉଟିମାନେ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ପଞ୍ଚାୟତରେ ପନିପରିବା ଚାଷ କ୍ଷତିଗ୍ରସ୍ତ ହେବାରୁ ଏଭଳି ଦରବୃଦ୍ଧି ହୋଇଥିବା କୁହାଯାଉଛି। ଏହାର ସୁଯୋଗ ନେଇ କିଛି ଲାଭଖୋର ବ୍ୟବସାୟୀ କୃତ୍ରିମ ଅଭାବ ସୃଷ୍ଟି କରି ମନଇଚ୍ଛା ଦର କଷୁଥିବା ସାଧାରଣରେ ଅଭିଯୋଗ କରାଯାଇଛି। ଏ ନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଦରବୃଦ୍ଧି ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ନେବା ସହ ଲାଭଖୋର ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର