ରାୟଗଡା: ରାୟଗଡ଼ା ଜିଲ୍ଲାରେ ପନିପରିବା ଦର ଆକାଶ ଛୁଆଁ ହୋଇଯାଇଛି। ପରିବାର ଦର ଶୁଣିଲେ ଲୋକେ ମୁହଁ ମୋଡ଼ି ଚାଲିଯାଉଛନ୍ତି। ଯେଉଁ ପରିବା ଦର ଅଳ୍ପ କମ୍ ଥିବା ବା ନିଜର ପକେଟକୁ ବାଧୁନଥିବା ସେହି ପରିବା ଗ୍ରାହକ କିଣୁଥିବା ଲକ୍ଷ୍ୟ କରାଯାଇଛି। ଆଜି ବଜାରରେ ଫୁଲକୋବି ୧୦୦ ଟଙ୍କା ଥିବା ବେଳେ ପୋଟଳ ୧୦୦, ଭେଣ୍ଡି ୮୦,ଜହ୍ନି ୮୦, କୁନ୍ଦୁରୁ ୬୦, ବାଇଗଣ ୬୦, ଝୁଡୁଙ୍ଗ ୬୦, କଞ୍ଚା କଦଳି କିଲୋ ୪୦, କାଙ୍କଡ ୮୦, ଗାଜର ୭୦, କାକୁଡି ୬୦, କଞ୍ଚା ମରିଚ ୨୦୦, ଅଦା ୨୪୦ ଟଙ୍କା ରହିଛି। ଟମାଟୋ ପାଖକୁ ଲୋକେ ଯାଉ ନହାନ୍ତି। ଟମାଟୋ କିଲୋ ୧୨୦ ରହିଥିବା ବେଳେ ବଇତାଳୁ କିଲୋ ୬୦ ଟଙ୍କା ରହିଛି। ଦାମୀ ପରିବାକୁ କିଣିପାରୁନଥିବା ଲୋକେ ଅନ୍ତତଃ ବଇତାଳୁ ନେଇ ରାନ୍ଧି ଖାଇବାକୁ ଆଗ୍ରହ ଦେଖାଉଥିବା ଲୋକେ କିଲୋ ୬୦ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଭଳି ଅବସ୍ଥା ଆହୁରି କେତେ ଦିନ ଲାଗି ରହିବ ବୋଲି ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଧନୀ ଶ୍ରେଣୀର ଲୋକେ ଯେତେ ଦାମ ହେଲେ ପରିବା କିଣି ନେଉଥିବାବେଳେ ମଧ୍ୟମ ଓ ଗରିବ ଶ୍ରେଣୀର ଲୋକେ ପରିବା କିଣିବା ଏକ ପ୍ରକାର ଛାଡି ଦେଇଥିବା ଦେଖିବାକୁ ମିଳିଛି। ଏବେ କିଛି ଦିନ ଘରେ ପରିବା ତରକାର ନଥିଲେ ବି ଚଳିବ ବୋଲି ଲୋକେ କଥାବାର୍ତ୍ତା ହେଉଥିଲେ।
ଟମାଟୋ ଗୋଟିଏକୁ ୧୦ରୁ ୧୨ ଟଙ୍କା ପଡୁଛି। ଲୋକ ଦୁଇଟି ଟମାଟୋ କିଣି ନେଉଥିବା ମଧ୍ୟ ଦେଖିବାକୁ ମିଳିଛି। ରାୟଗଡା ବଜାରରେ ପ୍ରତିଦିନ ପରିବା ଆସେ କିନ୍ତୁ ଦାମ ଶୁଣିଲେ ମୁଣ୍ଡ ଘୁରିଯାଏ। ସରକାର କିମ୍ବା ପ୍ରଶାସନ ଦରଦାମ ରୋକିବାରେ ବିଫଳ ହୋଇଥିବା ଚର୍ଚ୍ଚା ହେଉଥିଲା। ବିରୋଧୀ ମଧ୍ୟ ଏଭଳି ଦରଦାମକୁ ନେଇ ସରକାରଙ୍କୁ ପ୍ରଶ୍ନ କରୁନାହାନ୍ତି। ଯାହା ବିଡମ୍ବନାର ବିଷୟ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଯେଉଁ ଲୋକେ ପୂର୍ବେ ପରିବା ଅଧ କିଲୋରୁ ଏକ କିଲୋ ଖରିଦ କରୁଥିଲା ସେ ଏବେ ପାଏ ବା ଅଧ ପାଏ ପରିବା ମାଗୁଥିବା ଦେଖିବାକୁ ମିଳିଛି। ଶହେ ଟଙ୍କାର ପରିବା କିଣିଲେ ଦଶ ଟଙ୍କା ବ୍ୟାଗର ଅଧା ମଧ୍ୟ ହେଉ ନାହିଁ। ତେଣୁ ଲୋକେ ଆଚାର ସହ ଭାତ ଖାଇବା ଭଲ ବୋଲି କୁହାକୁହି ହେଉଥିବା ଦେଖିବାକୁ ମିଳିଥିଲା। ମାଛ,ମାଂସ ସହ ପରିବାର ଦର ସମାନ ହେଉଥିବାରୁ ବାର ଦେଖି ଲୋକେ ଆମିଷ କିଣି ନେଇ ଖାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଏଭଳି ଅବସ୍ଥା କେବଳ ରାୟଗଡାରେ ନୁହେଁ ବରଂ ସାରା ରାଜ୍ୟରେ ଏଭଳି ଅବସ୍ଥା ରହିଥିବା ଜଣାପଡିଛି। ତେବେ ବ୍ୟବସାୟୀମାନେ ମଧ୍ୟ ଚାଷୀଙ୍କ ଠାରୁ କମ୍ ଦାମରେ ପରିବା କିଣି ବଜାରରେ ଦାମ ଅଧିକା ଥିବା ଜାଣି ଚଢା ଦରରେ ପରିବା ବିକ୍ରି କରିବା କେତେ ଯୁକ୍ତିଯୁକ୍ତ ବୋଲି ମଧ୍ୟ ଲୋକେ ପ୍ରଶ୍ନ କରିଛନ୍ତି।