ଯାଜପୁର: ଗ୍ରାମାଞ୍ଚଳରେ ଶୀତଳଭଣ୍ଡାର ସୁବିଧା ନଥିବାରୁ ଚାଷୀ ସେମାନଙ୍କ ଦ୍ବାରା ଉତ୍ପାଦିତ ପନିପରିବା ଅଧିକ ଦିନ ରଖିବାର ସୁଯୋଗ ନାହିଁ। ଅଧିକ ଅମଳ ସମୟରେ ଅଭାବୀ ବିକ୍ରି ତ ପୁଣି ତିରୋଟ ସମୟରେ ଦର ଅଧିକ ​ଏକ ନିୟମିତ ଧାରା​ରେ ପରିଣତ ହୋଇଛି। ମାତ୍ର ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ଯୋଜନା ନାହିଁ କି ଘରୋଇ ଶୀତଳଭଣ୍ଡାରକୁ ପ୍ରୋତ୍ସାହନ ନାହିଁ। ଫଳରେ ଏବେ ଯାଜପୁର ଜିଲ୍ଲାର କୋଣଅନୁକୋଣରେ ପରିବା ଦର ବୃଦ୍ଧି ଖାଉଟିଙ୍କୁ କଷ୍ଟ ଦେଉଛି। ଗୋଟିଏ ପଟେ ଡାଲି, ମଟର ଆଦି ଶସ୍ୟର ଦରବୃଦ୍ଧି ହୋଇଚାଲିଥିବା ବେଳେ ପରିବା ଦର ବଢ଼ିବା ଅଧିକ ବାଧୁଛି।
ଦାନଗଦୀ ବଜାରରେ ଆଜି କଲରା ୧୦୦ ଟଙ୍କା, ବାଇଗଣ, କାକୁଡ଼ି ୫୦ ଟଙ୍କା, ଭେଣ୍ଡି, କୁନ୍ଦୁରି, ବନ୍ଧାକୋବି ୪୦ ଟଙ୍କା; ପୋଟଳ, ଜହ୍ନି, ଗାଜର ୬୦ ଟଙ୍କା; ଫୁଲକୋବି ୭୦ ଟଙ୍କା, କଞ୍ଚାଲଙ୍କା ୨୦୦, ବୋଇତାଳୁ ୩୦ ଟଙ୍କା ରହିଥିଲା। ଖଣି ଅଞ୍ଚଳ କାଳିଆପାଣିରେ ବାଇଗଣ, କାକୁଡ଼ି, ପୋଟଳ, ଭେଣ୍ଡି ୬୦ ଟଙ୍କା, ଜହ୍ନି ୫୦, ଝୁଡ଼ଙ୍ଗ ଓ କଲରା ୮୦ ଟଙ୍କା ରହିଥିଲା। ରସୁଲପୁର ବ୍ଲକର ବିଭିନ୍ନ ହାଟବଜାରରେ ଟମାଟୋ ୮୦, ଝୁଡ଼ଙ୍ଗ ୧୨୦, ଜହ୍ନି, ଭେଣ୍ଡି, ବାଇଗଣ, ପୋଟଳ, ଗାଜର ଓ ଫୁଲ କୋବି ୬୦ ଟଙ୍କା; କଲରା ୮୦, ଅମୃତଭଣ୍ଡା ୩୦, କଖାରୁ ୩୦ ଟଙ୍କା, ପଣସ ମଞ୍ଜି ୩୦, ପୋଇ ୩୦, କଞ୍ଚାଲଙ୍କା ଓ ଧଣିଆପତ୍ର ୨୦୦ ଟଙ୍କା, ଶାଗ ୩ ଟି ଛୋଟବିଡ଼ା ୨୦ ଟଙ୍କା, ବନ୍ଧାକୋବି ୩୦, ଶଜନା ଛୁଇଁ ୧୨୦, କୁନ୍ଦୁରି ୩୦, କାକୁଡ଼ି ୫୦ ଟଙ୍କା ରହିଛି।
ରଗଡ଼ି ଅଞ୍ଚଳରେ ବାଇଗଣ କିଲୋ ୫୫ ଟଙ୍କା, କଲରା ୭୫ ଟଙ୍କା, କୁନ୍ଦୁରି ୩୦ ଟଙ୍କା, ଲେମ୍ବୁ ୬ ଟାକୁ ୧୦ ଟଙ୍କା, ପୋଟଳ ଦେଶୀ ୫୦, ଗାଜର ୩୫, ଫୁଲକୋବି ୭୫ ଟଙ୍କା, ବନ୍ଧାକୋବି ୩୦ ଟଙ୍କା, କାକୁଡ଼ି ୪୦ ଟଙ୍କା, ଝୁଡ଼ଙ୍ଗ ୧୦୦ ଟଙ୍କା, ଭେଣ୍ଡି, ଜହ୍ନି ଓ ବିଟ୍ କିଲୋ ୪୦ ଟଙ୍କା ରହିଛି। ବିଂଝାରପୁର ଅଞ୍ଚଳରେ ମଧ୍ୟ ପରିବା ଦର ଉଚ୍ଚା ରହିଛି। ବାଇଗଣ, ବନ୍ଧାକୋବି, ଭେଣ୍ଡି, ଜହ୍ନି, ପୋଟଳ ଦେଶୀ, ଗIଜର, ବିଟ୍ କିଲୋ ୫୦ ଟଙ୍କା; ଟମାଟର, ଫୁଲକୋବି, ଝୁଡ଼ଙ୍ଗ କେଜି ୧୦୦ ଟଙ୍କା; କଲରା ୮୦, କୁନ୍ଦୁରି ୩୦, ବୋଇତିକଖାରୁ ୨୫, ଲେମ୍ବୁ ଗୋଟା ୫ ଟଙ୍କା, କାକୁଡ଼ି କେଜି ୬୦ ଟଙ୍କା ରହିଛି। ଦଶରଥପୁର ବ୍ଲକ୍ର ମଙ୍ଗଳପୁର ବଜାରରେ ମଧ୍ୟ ପରିବା ଦର ବେଶ୍ ଉଚ୍ଚା ରହିଛି। ବାଇଗଣ, ପୋଟଳ ଦେଶୀ, ଜହ୍ନି, ବିଟ୍ କେଜି ୫୦ ଟଙ୍କା, କଲରା, ଫୁଲକୋବି ୮୦ ଟଙ୍କା, କୁନ୍ଦୁରି ୩୦, ଗାଜର, ବନ୍ଧାକୋବି, ଭେଣ୍ଡି ୪୦ ଟଙ୍କା, ବୋଇତି କଖାରୁ କିଲୋ ୨୦ ଟଙ୍କା, ଝୁଡ଼ଙ୍ଗ ୧୦୦ ଟଙ୍କା, ଲେମ୍ବୁ ଗୋଟା ୪/୫ ଟଙ୍କା, କାକୁଡ଼ି ୬୦ ଟଙ୍କା ରହିଛି। ପ୍ରାୟ ସମସ୍ତ ଜାଗାରେ ଟମାଟର କିଲୋ ୧୦୦ ଟଙ୍କା ଓ ଶଜନା ଛୁଇଁ କିଲୋ ୧୨୦ ଟଙ୍କା ରହିଛି।
ଚାଷୀମାନଙ୍କ କହିବା ଅନୁସାରେ ଅମଳ ସମୟରେ ପରିବା ସୁରକ୍ଷିତ ରହୁନାହିଁ। ସବୁଦିନିଆ ପରିବା ଚାଷ ପାଇଁ ଆଧୁନିକ ବିହନ ବା ଚାରା ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଫଳରେ ଚାଷୀମାନେ ପୂର୍ବ ଭଳି ଅଧିକ ପରିମାଣର ପରିବା ଚାଷ କରୁନାହାନ୍ତି। ଏପଟେ ବାହାରୁ ଆସୁଥିବା ସ୍ୱଳ୍ପ ପରିମାଣର ପରିବା ସମୁଦ୍ରକୁ ଶଙ୍ଖେ ଭଳି। ତାହା ଖାଉଟିଙ୍କ ଚାହିଦା ପୂରଣ କରି ପାରୁନାହିଁ। ଫଳରେ ପରିବା ମୂଲ୍ୟ ହୁ ହୁ ହୋଇ ବୃଦ୍ଧି ପାଉଛି ବୋଲି ବାଲିଚନ୍ଦ୍ରପୁର ବଜାର ଅଞ୍ଚଳର ଜଣେ ଖାଉଟି ଅନନ୍ତ ଦେବଦର୍ଶୀ କହିଛନ୍ତି। ସେହିପରି ଚଣ୍ଡିଖୋଲ ଅଞ୍ଚଳର ଖାଉଟି ପ୍ରଶାନ୍ତ କୁମାର ଜେନାଙ୍କ କହିବା କଥା ବର୍ତ୍ତମାନ ପରିବା ମୂଲ୍ୟ ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କୁ ଏହା ଖୁବ୍ ବାଧୁଛି। ଏଥିପ୍ରତି ସରକାର ଦୃଷ୍ଟି ଦେବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/46-20.jpg)