ରାସ୍ତାକଡ ପରିବା ବ୍ୟବସାୟୀଙ୍କ ସ୍ଥାନାନ୍ତର କଲା ପ୍ରଶାସନ,ପୁଣି ଫେରିଲେ ଦେବେ ୩୦୦ ଜରିମାନା

ଭଞ୍ଜନଗର: ଭଞ୍ଜନଗର ସହରକୁ ସୁନ୍ଦର ସ୍ବଚ୍ଛ କରିବା ପାଇଁ ପ୍ରୟାଶ ଆରମ୍ଭ ହୋଇଛି। ରାସ୍ତାକଡରେ ବସି ପରିବା ଓ ମାଛ ମାଂସ ବିକ୍ରି କରୁଥିବା ବ୍ୟବସାୟୀମାନଙ୍କୁ ବଳଭଦ୍ର ଆରୁଖ କୃଷକ ବଜାରକୁ ସ୍ଥାନାନ୍ତର କରାଯାଇଛି। ଆଜି ସକାଳୁ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ପ୍ରତ୍ୟକ୍ଷ ତତ୍ବବଧାନରେ ଏନ୍ଏସି କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେ ବସୁଥିବା ପରିବା ବ୍ୟବସାୟୀ ଏବଂ ମାଛ ବ୍ୟବସାୟୀମାନଙ୍କୁ ରାସ୍ତା ଉପରୁ ହଟି କୃଷକ ବଜାରକୁ ସେମାନଙ୍କ ଦୋକାନ ସ୍ଥାନାନ୍ତର କରିବା ନେଇ କହିଥିଲେ।

ତେବେ ଏଥିରୁ ଠେଲା ଗାଡି ଏବଂ ଫୁଟଫାତ୍ ବେପାରୀଙ୍କୁ ବାଦ୍ ଦିଆଯାଇଛି। କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ପୁଲିସ ମଧ୍ୟ ଏହି ସମୟରେ ଉପସ୍ଥିତ ରହିଥିଲେ। ଆଜି ପ୍ରାୟ ୨୦୦ ବ୍ୟବସାୟୀ କୃଷକ ବଜାର ଭିତରେ ଥିବା ପିଣ୍ଡିକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ପୂର୍ବରୁ ବିଭିନ୍ନ ସାହି ଗଳିକନ୍ଦି ଛକରେ ପରିବା ଓ ମାଛ ଅତି ସହଜରେ ମିଳି ପାରୁଥିବା ବେଳେ ବର୍ତ୍ତମାନ ପରିବା ଓ ଆମିଷ ନିମନ୍ତେ ବଳଭଦ୍ର କୃଷକ ବଜାର ଉପରେ ନିର୍ଭର କରିବାକୁ ପଡିବ ବୋଲି ଜଣାପଡିଛି।

ଏଠାରେ ଗୋଟିଏ ଛାତ ତଳେ ସମସ୍ତ ପ୍ରକାର ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବା ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଏହା ଉଦ୍ଘାଟନ ହେବା ପରେ ମଧ୍ୟ ବ୍ୟବସାୟୀ ମାନେ ପୂର୍ବ ଭଳି ରାସ୍ତକଡରେ ବସି ପନିପରିବା ଆମିଷ ବ୍ୟବସାୟ କରୁଥିଲେ। ପୂର୍ବରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଅକ୍ଟୋବର ୨ ସୁଦ୍ଧା ସମସ୍ତ ବ୍ୟବସାୟୀ କୃଷକ ବଜାରକୁ ସ୍ଥାନାନ୍ତର ହେବା ନେଇ ସୂଚନା ଦିଆଯାଇଥିଲା। କିନ୍ତୁ ଏହାପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀ ରାସ୍ତା ଉପରେ ବସି ସେମାନଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଜାରି ରଖିଥିଲେ। ଯାହା ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ପନି ପରିବା ବ୍ୟବସାୟ ଶୃଙ୍ଖଳା ରହୁନଥିଲା।

ଏଥିସହ ଦୋକାନ ଗୁଡ଼ିକରୁ ବାହରୁଥିବା ଅଳିଆ ଆବର୍ଜନା ଗୁଡ଼ିକ ପରିଚାଳନା କରିବା ମଧ୍ୟ ସମସ୍ୟା ସୃଷ୍ଟି ହେଉଥିଲା। ବ୍ୟବସାୟୀ ମାନେ ମନଇଛା ଅଳିଆ ରାସ୍ତାକଡରେ ପକାଉଥିବା ବେଳେ ତାକୁ ଉଠାଇବାରେ ବହୁ ସମୟ ଲାଗୁଥିଲା। ବର୍ତ୍ତମାନ ଗୋଟିଏ ସ୍ଥାନାରୁ ଆର୍ବଜନା ସଂଗ୍ରହ ହେବା ସହ ସହରର ଟ୍ରାଫିକ୍ ସମସ୍ୟା ଦୂର ହେବ ବୋଲି ପ୍ରଶାସନ ପକ୍ଷରୁ ଆଶା ପ୍ରକଟ କରାଯାଇଛି। ଆଜି ସହରର ମୁଖ୍ୟ ରାସ୍ତା ସମେତ କୋର୍ଟ ସାମ୍ନା,ଜେଲ୍ ରୋଡ଼,ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନା,ଏଲ୍ଆଇସି କଲୋନୀ ମୁଖ୍ୟରାସ୍ତା,ଇଲେକ୍ଟି ଅଫିସ୍ ଛକ,ଭେଜିପୁଟ ଠାରୁ ଚକରା ବିଷୋୟୀ ଛକ ପର୍ଯ୍ୟନ୍ତ ବସୁଥିବା ପରିବା ଓ ଆମିଷ ବ୍ୟବସାୟୀଙ୍କୁ ହଟାଇ ଦିଆଯାଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କର ପ୍ରକାଶ କରିଛନ୍ତି।

ଯଦି କେହି ଅମାନ୍ୟ ହୋଇ ପୁଣି ରାସ୍ତା ଉପରେ ଦୋକାନ ଖୋଲେ ତେବେ ତା ନିକଟରୁ ୩୦୦ ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ହଠାତ୍ କୃଷକ ବଜାର ସ୍ଥାନାନ୍ତରଣକୁ କିଛି ବ୍ୟବସାୟୀ ନାପସନ୍ଦ କରିଛନ୍ତି। ରାସ୍ତାକଡରେ ହେଉଥିବା ବ୍ୟବସାୟ ଏଠାରେ ହେବ ନାହିଁ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ କିଛି ବ୍ୟବସାୟୀ ମୁଖ୍ୟସଡ଼କ ଏବଂ ପ୍ରମୁଖ ସ୍ଥାନରେ ଭଡା ଦୋକାନରେ ଦୋକାନ ଖୋଲୁଥିବାରୁ ସହରବାସୀ କୃଷକ ବଜାରକୁ ଆସିବା ଅପେକ୍ଷା ହାତ ପାହାନ୍ତରେ ମିଳୁଥିବା ବ୍ୟବସାୟୀଙ୍କ ଠାରୁ ପରିବା କିଣିବେଛ ବୋଲି କହିଛନ୍ତି। କୃଷକ ବଜାରରେ ସମସ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ ବୋ୍ଲି ପ୍ରାଶାସନ ପକ୍ଷରୁ କୁହାଯାଇଛି।

 

ସମ୍ବନ୍ଧିତ ଖବର