ମାଗଣା ପରିବା ବାଣ୍ଟିଲେ ଚାଷୀ

ରାଉରକେଲା: ଝାଳବୁହା ପରିଶ୍ରମ କରି କ୍ଷେତରୁ ଅମଳ ପନିପରିବାର ଉପଯୁକ୍ତ ମୂଲ୍ୟ ପାଉନି ଚାଷୀ। ଫୁଲ କୋବି, ବନ୍ଧାକୋବି, କ୍ୟାପିସ୍‌କମ୍‌ ହେଉ ଅବା ଟମୋଟୋ ସବୁ ପନିପରିବାର ଦେଖାଦେଇଛି ଅଭାବିବିକ୍ରୀ। ମଣ୍ଡି, ଶୀତଳଭଣ୍ଡାର ନଥିବାରୁ ନୂଆଗାଁ ବ୍ଲକର ଶହ ଶହ ଚାଷୀ ଏମିତି ଅଭାବିବିକ୍ରୀର ସମ୍ମୁଖୀନ ହୋଇଛନ୍ତି।

ବଜାରରେ ଟମାଟୋ କେଜି ପ୍ରତି  ୧ ଟଙ୍କାରେ ଗ୍ରାହକ ନେବାକୁ ଅରାଜି ହେଉଛନ୍ତି। ସେମିତି ବନ୍ଧାକୋବି କେଜି ୩ରୁ ୪ ଟଙ୍କାରେ ନେଉ ନାହାନ୍ତି। ଫଳରେ କ୍ବିଣ୍ଟାଲ କ୍ବିଣ୍ଟାଲ ପନିପରିବା ଧରି ହାଟକୁ ଆସିଥିବା ଚାଷୀ ଶେଷରେ ମାଗଣାରେ ବିକିବାକୁ ବାଧ୍ୟ ହେଉଛି। ଗତକାଲି ବୀରମିତ୍ରପୁର ପୌରପାଳିକା ସାପ୍ତାହିକୀ ହାଟରେ ଚାଷୀମାନେ କ୍ବିଣ୍ଟାଲ କ୍ବିଣ୍ଟାଲ ଟମୋଟୋକୁ ମାଗଣାରେ ଲୋକମାନଙ୍କୁ ବାଣ୍ଟି ଦେଇଥିଲେ। ଆଜି ନୂଆଗାଁର ଚାଷୀମାନେ ରାଉରକେଲା ଟ୍ରାଫିକ୍‌ ଗେଟ୍‌ ପରିବା ବଜାରକୁ ବିକିବାକୁ ଆଣିଥିବା ଶହ ଶହ କ୍ବିଣ୍ଟାଲ, କୋବିକୁ ବ୍ୟବସାୟୀ ନ ହେବାରୁ ମାଗଣାରେ ବାଣ୍ଟିଦେଇଥିଲେ। ମାଗଣାରେ ମିଳୁଥିବାରୁ ଟମାଟୋ, କୋବି ଗାଡି ନିକଟରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଷୀମାନେ ପ୍ରାୟ ଦୁଇ ଟାଟା ଏସି ବୋଝେଇ ପନିପରିବାକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ଚାଷୀଙ୍କ ସହ କିଛି ବ୍ୟବସାୟୀ ପନିପନିବା ମାଗଣାରେ ବାଣ୍ଟି ଦେଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର