ରାଇରଙ୍ଗପୁର: ଗୋଟିଏ ପଟେ ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଦର ବୃଦ୍ଧିକୁ ନେଇ ଲୋକେ ଚିନ୍ତାରେ ଥିବାବେଳେ ବର୍ତ୍ତମାନ ପନିପରିବାର ଆକାଶ ଛୁଆଁ ଦର ବୃଦ୍ଧି ଖାଉଟିଙ୍କ ନିମନ୍ତେ ବୋଝ ଉପରେ ନଳିତା ବାଡ଼ି ସାଜିଛି। ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ପରିବାର ମହଙ୍ଗା ମାଡ଼ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ସୁଲଭ ମୂଲ୍ୟରେ ସମସ୍ତ ପ୍ରକାର ସୁସ୍ୱାଦୁ ଦେଶୀ ତଟକା ଖାଦ୍ୟ ନିମନ୍ତେ ଜିଲ୍ଲାରେ ରାଇରଙ୍ଗପୁର ଅଞ୍ଚଳର ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ବେଳେ ବର୍ତ୍ତମାନ ବଜାରରେ ବିକ୍ରୟ ହୋଉଥିବା ପନିପରିବାର ଆକାଶ ଛୁଆଁ ଦରକୁ ଲୋକେ ମାନେ ସହଜରେ ହଜମ କରି ପାରୁ ନାହାନ୍ତି। ପନିପରିବାର ଏହି ଆକାଶ ଛୁଆଁ ଦରବୃଦ୍ଧି ଯୋଗୁ ଗରିବ ଖଟିଖିଆ ଓ ମଧ୍ୟବିତ୍ତ ପରିବାର ବେଶ ପ୍ରଭାବିତ ହୋଉଛନ୍ତି। ବର୍ତ୍ତମାନର ସମୟରେ ଆମିଷ ଖାଦ୍ୟର ଚାହିଦା ବଢ଼ିଥିବା ବେଳେ ପନିପରିବା ଦର ମୂଲ୍ୟବୃଦ୍ଧି ପକେଟକୁ ବେଶ ବାଧୁଛି। ଦୈନିକ ଓ ସାପ୍ତାହିକ ହାଟ ଉପରେ ଯଦି ନଜର ପକାଯାଏ ସମସ୍ତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯଥା ବାଇଗଣ କିଲୋ ୮୦, ବିଲାତି ୧୪୦, କ୍ୟାପ୍ସିକମ ୧୪୦, ଫୁଲକୋବି ୫୦, ବନ୍ଧା କୋବି ୫୦, ଝୁଡ଼ଙ୍ଗ ୮୦, ଭେଣ୍ଡି ୮୦, ପୋଟଳ ୮୦, କୁନ୍ଦୁରି ୬୦, ଗାଜର ୮୦, କାକୁଡି ୬୦, କନ୍ଦମୂଳ ୮୦, ଆଳୁ ୨୦, ପିଆଜ ୩୦, ରସୁଣ ୧୦୦, ଅଦା ୧୮୦, ବୈତାଳୁ ୪୦, ଲାଉ ୩୦, ଖମ୍ବ ଆଳୁ ୫୦, ବିଟ ୧୦୦, ସଜନା ଛୁଇଁ ୨୨୦, କାଙ୍କଡ ୧୨୦, ଜହ୍ନି ୧୦୦ ଟଙ୍କା ମୂଲ୍ୟରେ ବିକ୍ରି ହେବାର ଜଣାପଡିଛି।
ଏହି ମହଙ୍ଗା ମାଡ଼ ଯୋଗୁ ଗ୍ରାହକମାନେ ପରିବା ହାଟ ଯିବାକୁ ଭୟ କରୁଛନ୍ତି। କେବଳ ସେତିକି ନୁହଁ ଆଗରୁ ୨ ଶହ ଟଙ୍କାରେ ପରିବା କିଣି ବ୍ୟାଗ ଭରି ଯାଉଥିବା ବେଳେ ଏବେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ ଭରୁନାହିଁ ବୋଲି ଗ୍ରାହକ ମାନେ କହିଛନ୍ତି। ଫଳରେ ଦୈନିକ ପରିବା ଓ ସାପ୍ତାହିକ ହାଟରେ ଗ୍ରାହକଙ୍କ ଭିଡ କ୍ରମଶଃ କମିବାକୁ ଲାଗିଲାଣି।ମହଙ୍ଗା ମାଡ଼ ଯୋଗୁ ଖୁଚୁରା ପରିବା ବେପାରୀ ମଧ୍ୟ ବହୁ କ୍ଷତି ସହୁଛନ୍ତି। ଏହି ଚଢା ଦର ସମ୍ପର୍କରେ ଆମେ କିଛି ପରିବା ବେପାରୀଙ୍କୁ ପଚାରି ବୁଝିବାରୁ ସେମାନେ କହିବା ମୁତାବକ ଏହି ଅଞ୍ଚଳରେ ପରିବା ଚାଷ କମ ପରିମାଣରେ ହେଉଥିବାରୁ ଅନ୍ୟ ରାଜ୍ୟରୁ ପରିବା ଆଣି ବିକ୍ରି କରିବାକୁ ପଡୁଛି। ଯାହାର ପରିଣାମ ସ୍ୱରୂପ ପରିବା ଉତ୍ପାଦନରେ ଶଙ୍କଟ ଉପୁଜିଛି। ତେବେ ଆଗାମୀ ଦିନରେ ଉତ୍ପାଦନ ଅଧିକ ହେବାକୁ ଥିବା ବେଳେ ପରିବା ଦରରେ ସମ୍ପୁର୍ଣ୍ଣ ନିୟନ୍ତ୍ରଣରେ ଆସିବ ବୋଲି ବ୍ୟବସାୟୀ ମାନେ କହିଛନ୍ତି।