ପନିପରିବା ଦର ଆକାଶଛୁଆଁ

ଜୟପୁର: ଏବେ କାର୍ତ୍ତିକ ମାସ ଚାଲିଛି।  ଲୋକେ ନିରାମିଷ ଖାଇବାକୁ ପ୍ରାଥମିକତା ଦେଉଛନ୍ତି। ଏହି ସ୍ଥିତିରେ ଜୟପୁର ସହରରେ ସବୁ ପନିପରିବା ଦର ଆକାଶ ଛୁଆଁ ହୋଇଯାଇଛି। ଜୟପୁର ବଜାରରେ ଫୁଲକୋବି କିଲୋ ପ୍ରତି ୬୦ରୁ ୮୦ଟଙ୍କା ରହିଥିଲା। ସେଭଳି ଟମାଟ କିଲୋ ପ୍ରତି ୪୦ରୁ ୬୦ଟଙ୍କା, ପୋଟଳ କିଲୋପ୍ରତି ୬୦ରୁ ୮୦ଟଙ୍କା, ବାଇଗଣ କିଲୋ ପ୍ରତି ୪୦ଟଙ୍କା, ସେମି ମଂଜି କିଲୋ ପ୍ରତି ୨୪୦ଟଙ୍କା, ୩ଟି କଂଚା କଦଳୀ ୨୦ଟଙ୍କା, ତୁଣ୍ଡରୀ କିଲୋ ପ୍ରତି ୩୦ରୁ ୪୦ଟଙ୍କା, ଭେଣ୍ଡି କିଲୋ ପ୍ରତି ୫୦ରୁ ୬୦ଟଙ୍କା, ବିନ୍‌ସ କିଲୋ ପ୍ରତି ୬୦ରୁ ୮୦ଟଙ୍କା, କଲରା କିଲୋ ପ୍ରତି ୪୦ଟଙ୍କା, ଗାଜର କିଲୋ ପ୍ରତି ୪୦ରୁ ୫୦ଟଙ୍କା, କ୍ୟାପ୍‌ସିକମ୍‌ ୬୦ରୁ ୮୦ଟଙ୍କା, ପତ୍ର(ବନ୍ଧା)କୋବି କିଲୋ ପ୍ରତି ୨୦ଟଙ୍କା, ମୁନିଗା କିଲୋ ପ୍ରତି ୮୦ଟଙ୍କା, ସାରୁ କିଲୋ ପ୍ରତି୨୦ଟଙ୍କା, ଖମ୍ବଆଳୁ ୨୦ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ସେଭଳି ବଡ଼ ଆଳୁ କିଲୋ ପ୍ରତି ୨୦ରୁ ୨୫ଟଙ୍କା, ସାନ ଆଳୁ ୧୦ଟଙ୍କା, ପିଆଜ କିଲୋ ପ୍ରତି ୩୦ଟଙ୍କା ରହିଛି।

ଡିଜେଲ ଦର ବଢ଼ୁଥିବାରୁ ପନିପରିବା ଆଣୁଥିବା ଗାଡ଼ି ମାଲିକ ମାନେ ପରିବହନ ଭଡ଼ା ବଢ଼ାଇ ଦେଇଛନ୍ତି। ଏହା ସାଙ୍ଗକୁ ପନିପରିବା ଏବଂ ଆଳୁ, ପିଆଜରେ ବି ଧାର୍ଯ୍ୟ ଓଜନ ଠାରୁ କମ୍ ରହିବା ସହ ବହୁ ଖରାପ ବି ରହୁଛି। ଏସବୁକୁ ପିଙ୍ଗିବାକୁ ପଢ଼ୁଛି। ଜୟପୁରରେ ଶୀତଳ ଭଣ୍ଡାର ନଥିବାରୁ ପନିପରିବା ଆଗରୁ ଆଣି ଜମା କରି ରଖି ବିକ୍ରି କରିହେଉନି। ଅଳ୍ପ କିଛି ଲାଭ ମିଳୁଥିଲେ ହେଁ ପୂର୍ବରୁ କରି ଆସୁଥିବା ବେପାରକୁ ଛାଡ଼ି ହେଉନି ବୋଲି କହିଛନ୍ତି ଦୈନିକ ବଜାରର ପନିପରିବା ବେପାରୀ ସଂଘର ସଭାପତି ରଂଜନ କୁମାର ପାଣିଗ୍ରାହୀ, ଅନିଲ ପାଣିଗ୍ରାହୀ, ଟି. ଚିରଂଜିବୀ, ହରିଶ୍ଚନ୍ଦ୍ର ଖରା। ପନିପରିବା ଦର ନିୟନ୍ତ୍ରଣ ପ୍ରଶାସନ କରିବା କଥା କିଛି ପଦକ୍ଷେପ ନେଉ ନଥିବାରୁ ମନ ଇଛା ଦରରେ ବେପାରୀ ମାନେ ବିକ୍ରୀ କରୁଛନ୍ତି। ୫୦୦ଟଙ୍କା ଧରି ଗଲେ ମଧ୍ୟ ବ୍ୟାଗରେ ପନି ପରିବା ଭର୍ତ୍ତି ହେଉନି ବୋଲି କହିଛନ୍ତି ଗ୍ରାହକ ରମେଶ ଜୈନ, ସୁବାସ ପାଢ଼ୀ, ଆରତୀ ନାୟକ।

ସମ୍ବନ୍ଧିତ ଖବର