ଧର୍ମ ମାସ କାର୍ତ୍ତିକରେ ପରିବା ବଜାର ମହଙ୍ଗା, ଶାଗକୁ ଛାଡ଼ିଲେ ଆଉ ସବୁ ୫୦ ଉପରେ

ରାୟଗଡ଼ା : ପୋଟଳ ୮୦, କାଙ୍କଡ଼ ୧୦୦, ଫୁଲକୋବି ୮୦, ଟମାଟୋ କେଉଁ ଦିନ ୭୦ ତ କେଉଁ ଦିନ ୬୦ ରେ ବିକ୍ରି ହେଉଛି। କେବଳ ଶାଗକୁ ଛାଡ଼ିଲେ ଆଉ ସବୁ ପରିବା ଦର କେଜି ପିଛା ୫୦ରୁ ତଳକୁ ଖସୁନଥିବାରୁ ଚିନ୍ତାରେ ପଡିଛନ୍ତି ଖାଉଟି । ଧର୍ମର ମାସ କାର୍ତ୍ତିକରେ ପରିବା ଦର ଆକାଶଛୁଆଁ ହୋଇଥିବା ବେଳେ ଦର ନିୟନ୍ତ୍ରଣ ଦିଗରେ ଦୃଷ୍ଟି ଦେଉନି ପ୍ରଶାସନ ।

ପାର୍ବଣ ମାସ ଆରମ୍ଭ ହେବା ପରେ ଅକ୍ଟୋବର ପ୍ରଥମ ସପ୍ତାହରୁ ପରିବାର ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ପୋଟଳ ୮୦, ବିନସ୍ ୮୦, କାଙ୍କଡ ୧୦୦, ବାଇଗଣ ୬୦, କୁନ୍ଦୁରୁ ୬୦, ଭେଣ୍ଡି ୫୦, ଗାଜର ୬୦, କଲରା ୫୦, ଜହ୍ନି ୪୦, ଝୁଡଙ୍ଗ କେଜି ୫୦, କାକୁଡ଼ି କେଜି ପିଛା ୪୫, ବନ୍ଧା କୋବି ୪୦ ଟଙ୍କାରେ ବିକ୍ରି ହେଉଛି। କେବଳ ଶାଗ ବିଡ଼ାର ଦର ବଜାରରେ ୧୦ ଟଙ୍କା ରହିଛି। ଶାଗ ବି କମ୍ ପରିମାଣର ମାର୍କେଟକୁ ଆସୁଥିବାରୁ ସକାଳ ୮ଟା ଭିତରେ ସରି ଯାଉଛି। ୧୦ ଟଙ୍କାରେ ଯେଉଁ ଛୋଟ ବିଡ଼ା ଶାଗ ମିଳୁଛି ତାହା କେବଳ ମନକୁ ବୁଝାଇବା ପାଇଁ ଆଣିବା କଥା। ସେହିପରି ଅମୃତଭଣ୍ଡା ଗୋଟିଏ ୨୦ ଟଙ୍କା, ବୋଇତାଳୁ କେଜି ୩୦, କଞ୍ଚା କଦଳୀ ୨୦ ଟଙ୍କାକୁ ୩ଟି, ଧନିଆ ପତ୍ର ବିଡ଼ା ୩୦, କଦଳୀ ମଞ୍ଜା ଖଣ୍ଡ ୨୦, ବୋଇତାଳୁ ଫୁଲ ବିଡ଼ା ୧୦ ଟଙ୍କାରେ ବିକ୍ରି ହେଉଛି। ପନିପରିବାକୁ ଛାଡ଼ିଲେ ଗରିବ ପରିବାରର ପଖାଳ କଂସାର ସାଥୀ ପାଲଟିଥିବା ଆଳୁ ଓ ପିଆଜ ଦର ମଧ୍ୟ ଗ୍ରାହକଙ୍କ ମୁଣ୍ଡବ୍ୟଥା ପାଲଟିଛି। ଆଳୁ କେଜି ୨୫, ପିଆଜି କେଜି ୪୦ ଟଙ୍କାରେ ପହଞ୍ଚିଛି। ଆଉ ସପ୍ତାହକ ମଧ୍ୟରେ ଆଳୁ ଓ ପିଆଜ ଦର ଆହୁରି ବୃଦ୍ଧି ପାଇବ। ବହୁ ମଧ୍ୟବିତ୍ତ ପରିବାରର ଲୋକ ବଜାରରୁ ସର୍ବନିମ୍ନ ପରିବା କିଣି ହାଣ୍ଡିଶାଳ ଚଳାଉଛନ୍ତି ।

ବ୍ୟବସାୟୀଙ୍କ କହିବାନୁଯାୟୀ, ହୋଲେସେଲ୍ ଦରଠୁ ୫ ଟଙ୍କା ଅଧିକରେ ବ୍ୟବସାୟ ଚାଲିଛି। ସେଥିରେ ପୁଣି ଫଟା, ପଚା ଲୋକ ନେଉନଥିବାରୁ କ୍ଷତି ସହିବାକୁ ପଡ଼ୁଛି। ରାୟଗଡ଼ା ଜିଲ୍ଲାରୁ ବର୍ତ୍ତମାନ ପରିବା ଉତ୍ପାଦନ ଆରମ୍ଭ ହୋଇନଥିବାରୁ ବାହାର ଜିଲ୍ଲା ଓ ରାଜ୍ୟରୁ ଆସୁଥିବା ପରିବାକୁ ନେଇ ବଜାର ଚାଲିଛି। ବିଶେଷ କରି ଗଞ୍ଜାମ, କୋରାପୁଟ, ଆନ୍ଧ୍ର ଓ ରାୟପୁରରୁ ମୁଖ୍ୟତଃ ପରିବା ଆସୁଥିବା ବେଳେ ଡିଜେଲ୍ ଦର ବୃଦ୍ଧି ଯୋଗୁ ଏହାର ପ୍ରଭାବ ପରିବା ଉପରେ ପଡିଛି। ଟମାଟକୁ ଛାଡ଼ି ଗଞ୍ଜାମ, କୋରାପୁଟରୁ ଅନ୍ୟ ସବୁ ପରିବା ଆସୁଥିବା ବେଳେ କମ୍ ଉତ୍ପାଦନ ପାଇଁ ଦର ଆକାଶଛୁଆଁ ହୋଇଛି। ପୂର୍ବରୁ ଶହେ ଟଙ୍କାରେ ପରିବା ବ୍ୟାଗ୍ ଭର୍ତ୍ତି ହେଉଥିଲା । ଏବେ କିନ୍ତୁ ୫୦୦ ଟଙ୍କାର ପରିବା କିଣିଲେ ମଧ୍ୟ ବ୍ୟାଗ ଭର୍ତ୍ତି ହେଉନି। ପ୍ରତିଦିନ ଖୁଚୁରା ବ୍ୟବସାୟୀ ନିଜ ଇଚ୍ଛାରେ ଦରବୃଦ୍ଧି କରି ଚାଲିଥିଲେ ମଧ୍ୟ ଏ ଦିଗରେ ଆରଏମସି କର୍ତ୍ତୃପକ୍ଷ ଜମାରୁ ଦୃଷ୍ଟି ଦେଉନଥିବାରୁ ଦର ବୃଦ୍ଧି ବେଲଗାମ ହୋଇ ପଡିଛି। ଅନ୍ୟପକ୍ଷରେ ରାୟଗଡ଼ା ଜିଲ୍ଲାର କୋଲନରା, ରାୟଗଡ଼ା, ପଦ୍ମପୁର ଓ ଗୁଣପୁର ବ୍ଲକରୁ ଉତ୍ପାଦନ ହେଉଥିବା ପରିବାକୁ କିଛି ବ୍ୟବସାୟୀ ଚାଷୀଙ୍କ ଜମିରେ ଗାଡ଼ି ଲଗାଇ କିଣି ନେଇ ପୁଣି ବଜାରକୁ ଆଣି ଦ୍ବିଗୁଣ ଦରରେ ବିକ୍ରି କରୁଛନ୍ତି। ଯାହା ପରିବା ଦର ବୃଦ୍ଧିର ମୁଖ୍ୟ କାରଣ ହୋଇଛି।

ସମ୍ବନ୍ଧିତ ଖବର