ପେଟ୍ରୋଲ ଏବଂ ପରିବାରେ ହାତ ମାରି ହେଉନାହିଁ, ଦରଦାମ ବୃଦ୍ଧି ଯୋଗୁଁ ଜନ ଅସଂତୋଷ ବଢୁଛି

ମାଲକାନଗିରି: ସମଗ୍ର ଦେଶ ସମେତ ମାଲକାନଗିରି ଜିଲ୍ଲାରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଦର ହୁ ହୁ ହୋଇ ବଢୁଥିବା ବେଳେ ସାଧାରଣ ଜନତା ତ୍ରାହୀ ତ୍ରାହୀ ଡାକ ଛାଡିଲେଣି। ଆଜି ମାଲକାନଗିରିରେ ପେଟ୍ରୋଲ ପିଛା ଟଂକା ୧୧୪.୪୮ ପଇସା ଥିବା ବେଳେ ଡିଜେଲ ୧୧୦ ଟଂକା ୮୬ ପଇସା ରହିଛି। ସେହିପରି ଏକ୍ସଟ୍ରା ପ୍ରିମିୟମ ପେଟ୍ରୋଲ ୧୧୮ ଟଂକା ୩୨ ପଇସା ରହିଥିବା ବେଳେ ଡିଜେର ଦର ଲିଟର ପିଛା ୧୧୮ ଟଂକା ୬୯ ପଇସା ରହିଛି। ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ ଦର ବଢୁଥିବାରୁ ସାଧାରଣ ଜନତା ଏବେ ନାହିଁ ନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାୟାଇଛି। ଆଉ କିଛି ଦିନ ମଧ୍ୟରେ ପେଟ୍ରୋଲ ୧୫୦ ଟଂକା ଛୁଇଁବ ବୋଲି ଚର୍ଚ୍ଚା ଜୋର ଧରିଛି।

ତେବେ ମଟର ସାଇକେଲରେ ବ୍ୟବସାୟ କରୁଥିବା ଲୋକେ ଆଉ ମଟର ସାଇକେଲନ ନନେଇ ସାଇକେଲରେ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ସେହିପରି ଯେଉଁମାନେ ମଟର ସାଇକେଲରେ ଅଫିସ ଯିବା ଆସିବା କରୁଥିଲେ ସେମାନେ ଏବେ ସାଇକେଲରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ଅତି ଜରୁରୀ ନହେଲେ ଘରୁ ମଟର ସାଇକେଲ ଲୋକେ କାଢୁନାହାନ୍ତି। ତେବେ ମାଲକାନଗିରି ଜିଲ୍ଲାର କାଲିମେଳାରେ କିନ୍ତୁ ପେଟ୍ରୋଲ ଦର ୧୧୫ ଟଂକା ଉର୍ଦ୍ଧ୍ବ ହୋଇଛି, ଯାହା ସାରା ଓଡିଶା ସହ ଦେଶରେ ପ୍ରଥମ ହେବ ବୋଲି କୁହାଯାଇଛି। ପେଟ୍ରୋଲ ଏବଂ ଡିଜେଲ ଦର ବଢୁଥିବାରୁ ଦୈନନ୍ଦିନ ସାମଗ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଥିବା ଲକ୍ଷ୍ୟ କରାଯାଇଛି।

ମାଲକାନଗିରିରେ ପନିପରିବାକୁ ହାତ ମାରି ହେଉ ନାହିଁ। ଫୁଲକୋବି କିଲୋ ପିଛା ୧୦୦ ଟଂକା ରହିଥିବା ବେଳେ ବିନସ୍ ୮୦ ଟଂକା, ଟମାଟୋ ୫୦ ଟଂକା, ବାଇଗଣ ୪୦ ଟଂକା, ଭେଣ୍ଡି ୫୦ ଟଂକା, କୁନ୍ଦୁରୁ ୫୦ ଟଂକା, କଲରା ୫୦ ଟଂକା, ଜହ୍ନି ୪୦ ଟଙ୍କା, ପୋଟଳ ୮୦ ଟଂକା, ଅମୃତ ଭଣ୍ଡା ୫୦ ଟଂକା ରହିଛି। ଦୈନିକ ବଜାରରେ ପନିପରିବା ଦର ପ୍ରତିଦିନ ବଢୁଥିବା ବେଳେ ସାପ୍ତାହିକ ହାଟରେ ମଧ୍ୟ ପନିପରିବା ଦର କମିବାର ନାମ ନେଉ ନାହିଁ। ବାହାର ଅଂଚଳରୁ ପନିପରିବା ଆସୁଥିବାରୁ ଦରଦାମ ବୃଦ୍ଧି ହେଉଥିବା କୁହାଯାଇଛି।

ଡିଜେଲ ଦର ଦିନକୁ ଦିନ ବଢୁଥିବାରୁ ପନିପରିବା ଉପରେ ଏହାର ପ୍ରଭାବ ପଡୁଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି। ମାଲକାନଗିରି ଜିଲ୍ଲାରେ ପନିପରିବା ଚାଷ ଜୋରସୋରରେ ହେଉଥିଲେ ମଧ୍ୟ ବେପାରୀ ବଜାରକୁ ଦେଖି ଦର ଲଗାଉଛନ୍ତି। ପୁଣି କାର୍ତ୍ତିକ ମାସରେ ଲୋକେ ଆମଷ ଭୋଜନ ତ୍ୟାଗ କରି କେବଳ ନିରାମିଶ ଭୋଜନ କରୁଥିବାରୁ ପନିପରିବା ବେପାରୀ ମଧ୍ୟ ଏହାର ଫାଇଦା ଉଠାଇବାକୁ ଭୁଲନ୍ତି ନାହିଁ। ମାଲକାନଗିରି ସଦର ମହକୁମାର ଡିଏନକେ ଠାରେ ରହିଥିବା ପରିବା ଦୋକାନରେ ସବୁଠାରୁ ଦାମୀ ପରିବା ମିଳେ।ଆଳୁ ଆଉ ପିଆଜ ଦର ମଧ୍ୟ ବଢୁଥିବାରୁ ଲୋକେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପିଆଜ କିଲୋ ୬୦ ଟଂକା ହୋଇଥିବା ବେଳେ ଆଳୁ କିଲୋ ପିଛା ୨୦ ଟଂକା ହୋଇଛି। ଆଗକୁ ଆହୁରି ପିଆଜ କନ୍ଦାଇବ ବୋଲି ଶୁଣିବାକୁ ମିଳୁଛି। ମାଲକାନଗିରି ଓଡିଶାର ଶେଷ ମୁଣ୍ଡରେ ରହିଥିବାରୁ ଏଠାକୁ ଆସୁଥିବା ତେଲ ସବୁଠାରୁ ମହଙ୍ଗା ହେଉଥିବା କୁହାଯାଇଛି। ସାଧାରଣ ଲୋକେ ବିନା ପିଆଜରେ କେବଳ ଆଳୁ ଭଜାରେ କାମ ଚଳାଉଥିବା କହିଛନ୍ତି। ଆଗକୁ ଦର କମିଲେ ସେମାନେ ପନିପରିବା ଖାଇବେ ବୋଲି ମଧ୍ୟ କହନ୍ତି। ପ୍ରଶାସନ ତରଫରୁ ତୁରନ୍ତ କୌଣସି ପଦକ୍ଷେପ ନନେଲେ ଆଗକୁ ପନିପରିବା ଦର ଅଣାୟତ୍ତ ହେବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର