ସ୍ମାର୍ଟସିଟିରେ ଗାଡି ଯାଞ୍ଚ : ସାଧାରଣ ଜନତାଙ୍କ ଉପରେ ଜୁଲମ, ବାବୁଙ୍କୁ ମାଫ୍‌

ରାଉରକେଲା : ଆଇନ ସମସ୍ତଙ୍କ ପାଇଁ ସମାନ। ସିଏ ସାଧାରଣ ଜନତା ହୁଅନ୍ତୁ ଅବା ସରକାରୀ ବାବୁ। ସ୍ମାର୍ଟସିଟି ରାଉରକେଲାରେ କିନ୍ତୁ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେବ ସହରର ପ୍ରମୁଖ ଛକରେ ହେଲ୍‌ମେଟ୍‌ ଯାଞ୍ଚ ହେଉଛି। ଗାଡି ଚାଳକଙ୍କ ସୁରକ୍ଷା ଦୃଷ୍ଟିରୁ ପରିବହନ ବିଭାଗ ଓ ଟ୍ରାଫିକ୍‌ ପୁଲିସର ଏଭଳି ପଦକ୍ଷେପ ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। ମାତ୍ର ଗାଡି ଯାଞ୍ଚ ନାଁରେ ଏବେ ସାଧାରଣ ନିରୀହ ଜନତା ଉପରେ ଯେଉଁ ଜୁଲମ୍‌ ହେଉଛି, ତା’କୁ ସାଧାରଣ ଜନତା ଆଦୌ ଗ୍ରହଣ କରି ପାରୁ ନାହାନ୍ତି। ହେଲ୍‌ମେଟ୍‌ ଯାଞ୍ଚ ନାଁରେ ଗାଡି ଚାଳକଙ୍କ ଠାରୁ ୨ ହଜାର ଟଙ୍କାରୁ ଆରମ୍ଭ କରି ୮ରୁ ୧୦ ହଜାର ଟଙ୍କା ଜରିମାନା କଟାଯାଉଛି। ଯଦି ହେଲ୍‌ମେଟ୍‌ ନାହିଁ ସବୁ କାଗଜତ୍ର ଯାଞ୍ଚ କରି ମୋଟା ଅଙ୍କର ଜରିମାନା ଜୋରଜବରଦସ୍ତ କାଟି ଦେଉଛନ୍ତି। ‌ମହାମାରୀ କରୋନା ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଥିବାବେଳେ ପରିବହନ ବିଭାଗ ହେଲମେଟ୍‌ ଯାଞ୍ଚ ନାଁରେ ଜୋରଜବରଦସ୍ତ ଜରିମାନା ଆଦାୟ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି।

ତେବେ ଆଶ୍ଚର୍ଯ୍ୟର ବିଷୟ, ଉଭୟ ପରିବହନ ବିଭାଗ ଓ ପୁଲିସ ବଡ ବଡିଆ ସରକାରୀ ବାବୁଙ୍କୁ ମାଫ୍‌ କରି ଦେଉଛନ୍ତି। ଗାଡି ଯାଞ୍ଚ କରିବା ତ ଦୂରର କଥା ସେମାନଙ୍କ ପାଖ ପଶିପାରୁ ନାହାନ୍ତି। ତେଣୁ ବିଭିନ୍ନ ସରକାରୀ ବିଭାଗରେ ଲାଗିଥିବା ଘରୋଇ ଓ ସରକାରୀ ଗାଡିଗୁଡିକ ବିନା ଇନ୍ୟୁରାନ୍ସ ଓ ପଲ୍ୟୁସନ୍‌ ସାଟିଫିକେଟ୍‌ ଚାଲିଛି। କେବଳ ଏତିକି ନୁହେଁ କିଛି ସରକାରୀ ଗାଡିର ଫିଟ୍‌ନେସ୍‌ ମଧ୍ୟ ନାହିଁ। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ପାନପୋଷ ଉପଜିଲ୍ଲାପାଳ, ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି), ରାଉରକେଲା ତହସିଲଦାର, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡିଏ) ସମେତ ଅନ୍ୟାନ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ବିଭାଗ ପରିବହନ ବିଭାଗର ନୀତି ନିୟମକୁ ଯେମିତି ଫୁଃ କରି ଉଡାଇ ଦେଇଛନ୍ତି। ଗତ କିଛ ଦିନ ହେବ ପରିବହନ ବିଭାଗ, ଟ୍ରାଫିକ୍‌ ପୁଲିସର ଏଭଳି ନୀତିକୁ ସାଧାରଣ ଜନତା, ବୁଦ୍ଧିଜୀବୀ ଏପରିକି ରାଜନୈତିକ ଦଳଗୁଡ଼ିକ ନାପସନ୍ଦ କରିଛନ୍ତି। କେନ୍ଦ୍ର ସରକାରଙ୍କ ‘ଏମ୍‌ ପରିବହନ୍‌’ଆପ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ସହରର ବଡ ବଡିଆ ବାବୁମାନେ ଚଢ଼ୁଥିବା ଗାଡିର ବହୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅତିରିକ୍ତ ଜିଲ୍ଲାପାଳ (ଏଡ଼ିଏମ୍‌) ଯେଉଁ (ଓଡି ୧୪ କ୍ୟୁ-୧୮୨୧) ଇନୋଭା ଗାଡି ଚଢ଼ୁଛନ୍ତି ଏଥିରେ ଇନ୍ୟୁରାନ୍ସ ନାହିଁ। ଗତ ୨୦୧୯ ଅକ୍ଟୋବର ୧୩ରୁ ଅବଧି ଶେଷ ହୋଇଯାଇଛି। ପଲ୍ୟୁସନ୍‌ ସାର୍ଟିଫିକେଟ ମଧ୍ୟ ନାହିଁ। ଆର୍‌ଏମ୍‌ସି କମିଶନଙ୍କର (ଓଡି୦୨ଏଜେଡ୍‌-୧୨୧୩) ଇନୋଭା ଗାଡିରେ ମଧ୍ୟ ପଲ୍ୟୁସନ୍‌ ଅବଧି ଶେଷ ହୋଇଯାଇଛି। ପାନପୋ‌ଷ ଉପଜିଲ୍ଲାପାଳଙ୍କ ଗାଡି ନଂ (ଓଡି ୧୪-୩୦୦୩)। ଏଥିରେ ଇନ୍ୟୁରାନ୍ସ ନାହିଁ। ଗତ ୨୦୧୩ ଅକ୍ଟୋବର ୨୧ରୁ ଶେଷ ହୋଇଯାଇଛି। ପଲ୍ୟୁସନ୍‌ ଅବଧି ମଧ୍ୟ ଶେଷ ହୋଇ ଯାଇଛି। ରାଉରକେଲା ତହସିଲଦାରଙ୍କ ଗାଡି ନଂ (ଓଆର୍‌୧୪ପି-୫୫୧୧)। ଏହି ଗାଡିର ଗତ ୨୦୦୯ ଅପ୍ରିଲ ୨୦ରୁ ଫିଟ୍‌ନେସ୍‌ ଶେଷ ହୋଇଯାଇଛି। ଉଭୟ ଇନ୍ୟୁରାନ୍ସ ଓ ପଲ୍ୟୁସନ୍‌ ନାହିଁ। ଆର୍‌ଡିଏ ଗାଡି ନଂ (ଓଆର୍‌୧୪ ଏଲ୍‌-୦୯୯୯)। ଏହି ବୋଲେରୋ ଗାଡିର ଇନ୍ୟୁରାନ୍ସ ଗତ ୨୦୨୦, ସେପ୍ଟେମ୍ବର ୧୬ରୁ ଶେଷ ହୋଇଯାଇଛି। ପଲ୍ୟୁସନ୍‌ ମଧ୍ୟ ନାହିଁ। କେବଳ ଏତିକି ନୁହେଁ ଆର୍‌ଏମ୍‌ସି, ଆର୍‌ଡିଏ, ତହସିଲଦାର, ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍‌ରେ ଲାଗିଥିବା ଅଧିକାଂଶ ଘରୋଇ ଗାଡିର ସେହି ସମାନ ଅବସ୍ଥା। ଏସବୁ ଗାଡି ପରିବହନ ନିୟମ ଫାଙ୍କି ସହରରେ ବୁଲୁଛନ୍ତି। କାର୍ଯ୍ୟାନୁ୍ଷ୍ଠାନ ଶୂନ। ପରିବହନ ବିଭାଗ ଅଧିକାରୀ, ଟ୍ରାଫିକ୍‌ ପୁଲିସ ଏସବୁ ଗାଡିକୁ ଯାଞ୍ଚ କରିବା ତ ଦୂରର କଥା, ଦେଖିବା ମାତ୍ରେ ଛାଡି ଦେଉଥିବା ସାଧାରଣ ଲୋକ ଅଭିଯୋଗ କରିଛନ୍ତି। ଗତ ୫ ଦିନ ତଳେ ଡିଏଭି ଛକରେ ଗାଡି ଯାଞ୍ଚରୁ ସାଧାରଣ ଜନତା, ଟ୍ରାଫିକ୍‌ ପୁଲିସ ମଧ୍ୟରେ ମାଡପିଟ୍‌ ହୋଇଥିଲା। ଅତୀତରେ ଏମିତି ଅନେକ ଘଟଣା ଘଟିଛି। ରାଜସ୍ବ ଆଦାୟ ଟାର୍ଗେଟରେ ପରିବହନ ଯେତିକି ଗୁରୁତ୍ବ ଦେଉଛି, ସଚେତନତାକୁ ଯେତିକି ଗୁରୁତ୍ବ ଦେଉ ନାହିଁ। ଏ ସଂକ୍ରାନ୍ତରେ ରାଉରକେଲା ଆର୍‌ଟିଓ ବିଶ୍ବରାଜ ବେହେରାଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରା ଯାଇଥିଲେ ମଧ୍ୟ ମିଳି ପାରିନାହିଁ। ପରିବହନ ବିଭାଗର ଏଭଳି ଜୁଲମ୍‌, ପାତରଅନ୍ତର ନୀତିକୁ ବିଜେପିର ବରିଷ୍ଠ ନେତା ନିହାର ରାୟ, କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ବିରେନ ସେନାପତିଙ୍କ ସମେତ ଅନେକ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି। ସେମାନେ କହିଛନ୍ତି, ଆଇନ ସମସ୍ତଙ୍କ ପାଇଁ ସମାନ, ସେ ସରକାରୀ ବାବୁ ହୁଅନ୍ତୁ ଅବା ସାଧାରଣ ଜନତା।

ସମ୍ବନ୍ଧିତ ଖବର