ପାଟଣାଗଡ଼: ବ୍ଲଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଭଇଁଷା ଛକ ନିକଟରେ ବୁଧବାର ଏକ ଟାଟା ଏସିଓ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଏକ ସଂକୀର୍ତ୍ତନ ଦଳର ମୁକେଶ ଆଡସୁଲିଆ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ୧୪ ଜଣ ଆହତ ହୋଇଥିଲେ। ଗୁରୁବାର ଆହତମାନଙ୍କ ମଧ୍ୟରୁ ଭାଗ୍ୟଲକ୍ଷ୍ମୀ ବା‌ଗ ନାମ୍ନୀ ଜଣେ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତଦେହ ଦ୍ବୟ ରାମପୁର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦାବି କରି ସଂପର୍କୀୟ ଓ ରାମପୁରବାସୀ ଦୁଇ ଶବ ରଖି ପାଟଣାଗଡ଼- ବଲାଙ୍ଗୀର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଏହି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଘଟଣାସ୍ଥଳରେ ପାଟଣାଗଡ଼ ଥାନାଧିକାରୀ, ମାଜିଷ୍ଟ୍ରେଟ ଦାୟିତ୍ବରେ ଅତିରିକ୍ତ ତହସିଲଦାର ଧୀରଜ ପାତ୍ର ପହଞ୍ଚି ଆଲୋଚନା କରିଥିଲେ। ରେଡକ୍ରସ ପାଣ୍ଠିରୁ ଉୟଭ ପରିବାରକୁ ୨୦ ହଜାର ଟଙ୍କା ଲେଖାଏଁ ଦେବାକୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

Advertisment

ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ବ୍ଲକ୍‌ ବାନ୍ଧନବାଡ଼ି ଗାଁରେ ଚଳିତ ବର୍ଷ ପ୍ରଥମଥର ପାଇଁ ରଥଯାତ୍ରା ହେଉଥିଲା। ବୁଧବାର ବାହୁଡ଼ାଯାତ୍ରାରେ ସଂକୀର୍ତ୍ତନ ପରିବେଷଣ ପାଇଁ ସ୍ଥାନୀୟ ରାମପୁରର ଏକ ସଂକୀର୍ତ୍ତନ ଦଳ ଟାଟା ଏସିଇ ଗାଡ଼ିରେ ଯାଉଥିଲେ। ଭଇଁଷା ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।