କେନ୍ଦୁଝର: ମୁମ୍ବାଇ-କୋଲକାତା ୪୯ ନମ୍ବର ଜାତୀୟ ରାଜପଥର କେନ୍ଦୁଝର ଜିଲ୍ଳା ଶଙ୍କରପୁରଠାରେ ଥିବା ପୋଲ ଉପରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହେବାରୁ ଆଜି ପ୍ରାୟ ୬ ଘଣ୍ଟା ଗାଡ଼ିମୋଟର ଚଳାଚଳ ଠପ୍ ହୋଇଯାଇଛି। ବିଶେଷ କରି ରାସ୍ତାର ଉଭୟପାର୍ଶ୍ବରେ ଶତାଧିକ ମାଲ୍ବାହୀ ଗାଡ଼ି ଅଟକି ରହିଥିଲେ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଗର୍ତ୍ତ ମରାମତି କରିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।
କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ମୁମ୍ବାଇ-କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ହୋଇଛି। ପୂର୍ବରୁ ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନଥିଲେ। ଆଜି ସକାଳ ପ୍ରାୟ ୯ଟାବେଳେ କେନ୍ଦୁଝର ସହର ନିକଟସ୍ଥ ଶଙ୍କରପୁର ଅରଡ଼େଇ ନଦୀ ପୋଲରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଲୋକଙ୍କ ମଧ୍ୟରେ ପୋଲ ଭୁଶୁଡ଼ି ପଡ଼ିବାର ଭୟ ସୃଷ୍ଟି ହୋଇଥିଲା। ପୋଲର ଉଭୟପାର୍ଶ୍ବରୁ ଆସୁଥିବା ମାଲ୍ବାହୀ ଗାଡ଼ିଗୁଡିକ ଭୟରେ ପୋଲ ଉପର ଦେଇ ନଯାଇ ଅଟକି ରହିଥିଲେ। ସକାଳ ୯ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା।
ଶେଷରେ ଜାତୀୟ ରାଜପଥ ପ୍ରଧିକରଣ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ରାସ୍ତା ନିର୍ମାଣ କରୁଥିବା ଠିକାସଂସ୍ଥା ଗର୍ତ୍ତ ସ୍ଥାନରେ ମରାମତି କରିଥିଲା। ଏହାପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ପୋଲରେ ସୃଷ୍ଟି ହୋଇଥିବା ଗର୍ତ୍ତକୁ ସାମୟିକ ଭାବେ ମରାମତି କରାଯାଇଛି। ଅନ୍ୟପକ୍ଷରେ ପୋଲର ବିଭିନ୍ନ ସ୍ଥାନରେ ଲୁହାରଡ ବାହାରକୁ ଦିଶୁଥିବାରୁ ଆଗାମୀ ଦିନରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।