ଝାରସୁଗୁଡ଼ା: ଗ୍ରାହକଙ୍କୁ ସେବା ପ୍ରଦାନରେ ବିଫଳ ଅଭି‌ଯୋଗରେ ରୁଜୁ ହୋଇଥିବା ୨ଟି ମାମଲାର ବିଚାର କରି ବୁଧବାର ଝାରସୁଗୁଡ଼ା ଜିଲ୍ଲା ଖାଉଟି ଅଦାଲତ ୨ଟି ଘରୋଇ ସଂସ୍ଥାକୁ ଦଣ୍ଡିତ କରିଛନ୍ତି। ପ୍ରଥମ ଘଟଣାରେ ଝାରସୁଗୁଡ଼ା ସହରର ମଙ୍ଗଳବଜାର ରୋଡ୍‌ରେ ଥିବା ଏକ ନର୍ସିଂହୋମ୍‌ ମାଲିକ ପ୍ରଭାତ ଜୈନ ୬ ମାର୍ଚ୍ଚ ୨୦୨୦ରୁ ୫ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ତାଙ୍କ ତାଙ୍କ ସିଟି ସ୍କାନ୍‌ ମେସିନ୍‌ର ବାର୍ଷିକ ରକ୍ଷଣାବେକ୍ଷଣ ପାଇଁ କୋଲକାତାର ଗ୍ଲୋବାଲ ହେଲ୍ଥ କେଆର ନାମକ ସଂସ୍ଥା ସହ ଚୁକ୍ତି କରି ୧ ଲକ୍ଷ ଟଙ୍କା ପୈଠ କରିଥିଲେ। ଜୁନ୍ ୨୦୨୦ରେ‌ ସ୍କାନରରେ ସମସ୍ୟା ଦେଖାଦେବାରୁ ସେ ପରିଚାଳନା ଦାୟିତ୍ବ ନେଇଥିବା ସଂସ୍ଥାକୁ ଯୋଗାଯୋଗ କରିବା ପରେ ଫୋନ୍‌ ଯୋଗେ ଜଣେ ଇଞ୍ଜିନିଅର ସମାଧାନ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ସେଠାରୁ ଜଣେ ଇଞ୍ଜିନିଅର ଝାରସୁଗୁଡ଼ା ଆସି ମେସିନ୍‌ ଯାଞ୍ଚ କରି ୧୫ ହଜାର ଟଙ୍କାର ଡିସ୍କ୍ ଓ ୯୦ ହଜାର ଟଙ୍କାର ଏନ୍‌ପିଆର୍‌ ବୋର୍ଡ ବଦଳାଇବାକୁ ପରାମର୍ଶ ଦେଇଥିଲେ। ତେବେ, ଉଭୟ ଯନ୍ତ୍ରାଂଶ ବଦଳାଇବା ପରେ ବି ସ୍କାନର କାମ କରି ନ ଥିଲା। ଏହାପରେ ସଂସ୍ଥାରୁ ଆଉ ଜଣେ ଇଞ୍ଜିନିୟର ଆସି ଯାଞ୍ଚ କରିବା ପରେ ନୂଆକରି ଲାଗିଥିବା ହାର୍ଡ ଡିସ୍କ କାମ କରୁ ନ ଥିବା କହି ୩୫ ହଜାର ଟଙ୍କାର ଆଉ ଏକ ଡିସ୍କ୍ ମଗାଇଥିଲେ। କିନ୍ତୁ ୩/୪ଟି ସ୍କାନିଂ ପରେ ମେସିନ୍‌ ପୁଣି ଅଚଳ ହୋଇଯାଇ ଥିଲା। ଏ ନେଇ ସେ କମ୍ପାନିକୁ ଯୋଗାଯୋଗ କରିବାରେ କମ୍ପାନି ଆଉ ଅଭିଯୋଗ ଶୁଣି ନ ଥିଲା। ଶେଷରେ ନିରାଶ ହୋଇ ଶ୍ରୀ ଜୈନ୍‌ ଖାଉଟି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ଅଦାଲତ ଏହି ମାମଲାର ବିଚାର କରି ଶ୍ରୀ ଜୈନ୍‌ ପୈଠ କରିଥିବା ୧ ଲକ୍ଷ ଟଙ୍କା ୧ ମାସ ମଧ୍ୟରେ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମାନସିକ ନିର୍ଯାତନା ବାବଦକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଓ ୧୦ ହଜାର ଟଙ୍କା ମାମଲା ଖର୍ଚ୍ଚ ପ୍ରଦାନ କରିବାକୁ ମଧ୍ୟ କୋର୍ଟ ଗ୍ଲୋବାଲ ହେଲ୍‌ଥ କେଆରକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅନ୍ୟ ଏକ ମାମଲାରେ ଝାରସୁଗୁଡ଼ା ବୁରୋମାଲର ଡା. ସୁନୀଲ ନନ୍ଦ ୨୮ ଫେବ୍ରୁଆରି ୨୦୨୦ରେ ତାଙ୍କ ପୁଅର ବିବାହ ଉତ୍ସବ ପାଇଁ କିର୍ମିରାର ମହେଶ୍ବର ପ୍ରସାଦ ପାଣିଗ୍ରାହୀଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାକୁ ଯୋଗାଯୋଗ କରିଥିଲେ। ବିବାହ ଉତ୍ସବର ଟେଣ୍ଟ, ଲାଇଟ୍‌ ଆଦି ପାଇଁ ୪ ଲକ୍ଷ ୮୦ ହଜାର ଟଙ୍କାର ଚୁକ୍ତି ହୋଇଥିବା ବେଳେ ଡା. ନନ୍ଦ ଦେଢ଼ଲକ୍ଷ ଟଙ୍କା ଅଗ୍ରିମ ଦେଇଥିଲେ। କିନ୍ତୁ ବିବାହର ୫ ଦିନ ପୂର୍ବରୁ ଡା. ନନ୍ଦଙ୍କ ମା’ଙ୍କର ଦେହାନ୍ତ ହେବାରୁ ବିବାହ ଉତ୍ସବ ବାତିଲ ହୋଇଯାଇ ଥିଲା। ପରେ କରୋନା ସଂକ୍ରମଣ ଯୋଗୁ କାର୍ଯ୍ୟକ୍ରମ ବିଳମ୍ବିତ ହୋଇ ସେହିବର୍ଷ ୯ ଡିସେମ୍ବରକୁ ସ୍ଥିର ହୋଇଥିଲା।

ଏ ନେଇ ଡା. ନନ୍ଦ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାକୁ ଅବଗତ କରାଇଥିଲେ ସୁଦ୍ଧା ସେ ରିସେପ୍ସନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ରାଜି ହୋଇ ନ ଥିଲେ କି ଅଗ୍ରିମ ଟଙ୍କା ଫେରାଇ ନ ଥିଲେ। ଡା. ନନ୍ଦ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥି‌ଲେ। ଅଦାଲତ ଏହି ମାମଲାର ବିଚାର କରି ମହେଶ୍ବର ପ୍ରସାଦ ପାଣିଗ୍ରାହୀଙ୍କ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାକୁ ଦଣ୍ଡିତ କରିଥିବା ବେଳେ ୧ ମାସ ମଧ୍ୟରେ ଅଗ୍ରିମ ଦେଇଥିବା ଦେଢ଼ ଲକ୍ଷ ଟଙ୍କା, ୨୦ ହଜାର ଟଙ୍କା ମାନସିକ ନିର୍ଯାତନା ବାବଦକୁ କ୍ଷତିପୂରଣ ଓ ୧୦ ହଜାର ଟଙ୍କା ମାମଲା ଖର୍ଚ୍ଚ ବାବଦକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଖାଉଟି ଅଦାଲତର ସଭାପତି ଜିଗୀଷା ମିଶ୍ର ଓ ସଦସ୍ୟ ଅଞ୍ଜୁ ଅଗ୍ରୱାଲ ମାମଲା ଦୁଇଟିର ପରିଚାଳନା କରିଥିଲେ।