୩୭ ବର୍ଷ ପରେ ଆସିଲା ରାୟ, ୯ ଅଭିଯୁକ୍ତଙ୍କୁ ୩ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ

ଚିତ୍ରକୋଣ୍ଡା ରେଂଜରୁ ୪୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର କାଠ ଚୋରି କରି  ଆନ୍ଧ୍ର ଚାଲାଣ ମାମଲା: 

ଜୟପୁର: ୧୯୮୪ ମସିହାରେ ଚିତ୍ରକୋଣ୍ଡା ରେଂଜ ବନବିଭାଗର ଅଧିକାରୀ, କର୍ମଚାରୀ  ଓ ଠିକାଦାରଙ୍କ ମିଳିତ ଚକ୍ରାନ୍ତରେ ଜଙ୍ଗଲରୁ ଗଛ ସବୁ କାଟିଥିଲେ।  ବିନା ଟ୍ରାନଜିଟ୍ ପରମିଟରେ ଏଠାରୁ କାଠ ସବୁ ଆନ୍ଧ୍ରକୁ ଚାଲାଣ କରିଥିଲେ। ରାଜ୍ୟ ସରକାର ୪୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ରାଜସ୍ବ ହରାଇଥିଲେ। ଦୀର୍ଘ ୩୭ବର୍ଷ ତଳର ଏହି ଚର୍ଚ୍ଚିତ ମାମଲାର ଶୁଣାଣୀ ଆଜି ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା କରି ରାୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ୧୧ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୯ଜଣଙ୍କୁ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ହଜାର ଲେଖାଏଁ ଜରିମାନା ଦେବାକୁ ରାୟ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ୧୯୮୪ମସିହାରେ ତତ୍କାଳୀନ କୋରାପୁଟ ଜିଲ୍ଲା ଅର୍ନ୍ତଗତ ଚିତ୍ରକୋଣ୍ଡା ରେଂଜରେ କାର୍ଯ୍ୟରତ ଥିବା ବନବିଭାଗ ଓ ବନ ଉନ୍ନୟନ ନିଗମର ଅଧିକାରୀ, କର୍ମଚାରୀ ଓ ୪ଜଣ କାଠ ଠିକାଦାର ମିଳିମିଶି ଚିତ୍ରକୋଣ୍ଡା ଜଙ୍ଗଲର କାଠ ସବୁ ଲୁଟି  ନେଇଥିଲେ। ଏହି ଜଙ୍ଗଲରୁ ବହୁ ମୂଲ୍ୟବାନ କାଠ ସବୁ କାଟି ପଡୋଶୀ ଆନ୍ଧ୍ରପ୍ରଦେଶକୁ ବିନା ଟ୍ରାନଜିଟ୍ ପରମିଟରେ ଚାଲାଣ କରିଥିଲେ।

ଏ ନେଇ ଅଭିଯୋଗ ହେବା ପରେ ତତ୍କାଳୀନ ଭିଜିଲାନସ୍ ଡିଏସପି ନିରଂଜନ ଜେନା ୧୯୮୭ମସିହା ଫେବୃୟାରୀ ୨୧ତାରିଖ ଦିନ ମାମଲା ରୁଜୁ କରିଥିଲେ। ଘଟଣାର ତଦନ୍ତ କରି ଏହି ମାମଲାରେ ରାଜ୍ୟ ସରକାର ୪୩ଲକ୍ଷ ୫୨ହଜାର ୮୩୧ଟଙ୍କା ରାଜସ୍ବ ହରାଇବା ସହ ବ୍ୟାପକ ଜଙ୍ଗଲ ସଂପତ୍ତି ନଷ୍ଟ ହୋଇଥିବାକୁ ନେଇ ମାମଲା ରୁଜୁ କରିଥିଲେ। ସେ ୧୩ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଏହି ଅଭିଯୁକ୍ତ ମାନେ ହେଲେ ତତ୍କାଳୀନ ଓଏଫଡିସିର ଡିଭିଜନ ପରିଚାଳକ ବେଣୁଧର ପ୍ରଧାନ, ତତ୍କାଳୀନ ଉପଖଣ୍ଡ ଡିଭିଜନ ପରିଚାଳକ ଯୋଗିନ୍ଦ୍ରନାଥ ସ୍ବାଇଁ, ତତ୍କାଳୀନ ଫରେଷ୍ଟର ବି.ପୁରୁଷୋତ୍ତମ, ଚିତ୍ତରଂଜନ ସାମଲ, ବଳରାମ ପଟ୍ଟନାୟକ, ଫରେଷ୍ଠ ଗାର୍ଡ଼ ବିଦ୍ୟାଧର ଜେନା, ମେଟ୍ ଭଗବାନ ଗୋଲରୀ,ରବିନ୍ଦ୍ର ନାଥ ମଣ୍ଡଳ, କୁଳମଣି ବାରିକ,ଠିକାଦାର କାର୍ତ୍ତିକ ନାଗେଶ୍ବର ରାଓ, ଏମ୍ .ଶିବ ଶଙ୍କର, ଚିତ୍ରବତୀ ଗାନ୍ଧୀ ଓ ବୃନ୍ଦାବନ ସାଇବାବାଙ୍କ ନାଁରେ ମାମଲା ରୁଜୁ କରିଥିଲେ।

ଏହାରି ମଧ୍ୟରେ ଏହି ୧୩ଜଣଙ୍କ ମଧ୍ୟରୁ ବେଣୁ ଚରଣ ପ୍ରଧାନ ଓ  ରବିନ୍ଦ୍ର ନାଥ ମଣ୍ଡଳଙ୍କର ମୃତ୍ୟୁ ହୋଇଯାଇଛି। ଆଜି ବଳକା ୧୧ଜଣ ଅଭିଯୁକ୍ତଙ୍କର ଶୁଣାଣୀ ମାନ୍ୟବର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ କରିଥିଲେ। ୨୪ଜଣ ସାକ୍ଷ୍ୟଙ୍କ ପ୍ରମାଣ ଗ୍ରହଣ କରି ରାୟ ପ୍ରକାଶ କରିଥିଲେ। ଏହି ୧୧ଜଣଙ୍କ ମଧ୍ୟରୁ ଫରେଷ୍ଠର ବଳରାମ ପଟ୍ଟନାୟକ ଓ ଠିକାଦାର ଚିତ୍ରବତୀ ଗାନ୍ଧୀଙ୍କ ବିରୋଧରେ ସେଭଳି ସାକ୍ଷ୍ୟ ପ୍ରମାଣ ନ ମିଳିବାରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ବଳକା ଆଉ ୯ଜଣ ଅଭିଯୁକ୍ତ ଯୋଗିନ୍ଦ୍ର, ବି.ପୁରୁଷୋତ୍ତମ, ଚିତ୍ତରଂଜନ, ବିଦ୍ୟାଧର , ଭଗବାନ, କୁଳମଣି, କାର୍ତ୍ତିକ ନାଗେଶ୍ବର, ଏମ୍ .ଶିବ ଶଙ୍କର, ଓ ବୃନ୍ଦାବନ ସାଇବାବାଙ୍କୁ ୩ବର୍ଷର ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ରାୟ ଦେଇଛନ୍ତି। ଏହା ବାଦ ଅଭିଯୁକ୍ତମାନେ ୧୦ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ବର୍ଷକ ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ଏଭଳି ଏହି ମାମଲାରେ ଜଡ଼ିତ ଥିବା ଅଭିଯୁକ୍ତମାନେ ବୟସର ସାୟାହ୍ନରେ ଉପନୀତ ଓ ଅବସର ନେଇ ସାରିଛନ୍ତି।

ନିର୍ଦ୍ଦୋଷ ଫରେଷ୍ଟର ବଳରାମଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଲାଲମୋହନ (ଲାଲୁ) ମିଶ୍ର ଓ ଠିକାଦାର ଚିତ୍ରବତୀ ଗାନ୍ଧୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କେଏନ୍ ସାମନ୍ତରାୟ ମାମଲା ପରିଚାଳନା କରୁଥିଲେ। ସେଭଳି ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଏମ୍. ବାଲାଜୀ ରାଓ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର