ଜୟପୁର: ଗତ ଦୁଇଦିନ ହେବ ଆସିଥିବା କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଳାୟର ଟିମ୍ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣର ନିର୍ବାହୀ ଯନ୍ତ୍ରୀ ଇଂ. ଶାଶ୍ବତ ମହାପାତ୍ର ମଙ୍ଗଳବାର ଜୟପୁର ସହର ପାର୍ଶ୍ବ ଦେଇ ଯିବାକୁ ଥିବା ପ୍ରସ୍ତାବିତ ବାଇପାସ୍ ରାସ୍ତା ସହ ମୁଖ୍ୟକେନାଲରେ ସତସଙ୍ଗକୁ ଯିବା ରାସ୍ତାରେ ନିର୍ମାଣ ହେବାକୁ ଥିବା ଉଚ୍ଚତମ ପୋଲର ସ୍ଥାନ ନିରୀକ୍ଷଣ କରିଛନ୍ତି। ଏହା ସହ କୋରାପୁଟ ଜିଲ୍ଲାର ବାରିଣୀପୁଟ-ବୋରିଗୁମ୍ମା ପ୍ରଶସ୍ତିକରଣ ଓ ବୋରିଗୁମ୍ମା-ନବରଙ୍ଗପୁର ପ୍ରଶସ୍ତୀକରଣ କାମର ନିରୀକ୍ଷଣ କରିଛନ୍ତି।
ସୂଚନା ଅନୁଯାୟୀ, କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଳାୟର ଅନୁଦାନରେ ନିର୍ମାଣ ଜୟପୁର-ଉମୁରୀ ବାଇପାସ ରାସ୍ତାର ନିର୍ମାଣ ହେବ। ଏହି ରାସ୍ତାରେ ଗାନ୍ଧୀଛକରୁ ଆସି ସତସଙ୍ଗ ଯିବା ରାସ୍ତାରେ ନିର୍ମାଣ ହେବ ପୋଲ। ଏଥିପାଇଁ ହୋଇ ସାରିଛି ଟେଣ୍ଡର। ଟେଣ୍ଡର ବି ଏକ ସଂସ୍ଥା ନେବା ସହ ପୋଲର ଡିଜାଇନ୍ ଆଦି କରିସାରିଲାଣି। ୬୩ମିଟର ଲମ୍ବ ଓ ୨୪ମିଟର ଓସାରର ପୋଲ ନିର୍ମାଣ ହେବ। ଉପରକୋଲାବ ଜଳସେଚନ ବିଭାଗ କେନାଲ ମଧ୍ୟରେ କିଛି ନ କରି ଏହା ଉପରେ କରିବାକୁ କହିଥିବାରୁ ଏଠାରେ କିଭଳି ଉକ୍ତ ଠିକା ସଂସ୍ଥା ପୋଲ ନିର୍ମାଣ କରିବ, କେଉଁ ରାସ୍ତା ଦେଇ ପୋଲ ଯିବ ଆଦିର ନିରୀକ୍ଷଣ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଳାୟର ଟିମ୍ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣର ନିର୍ବାହୀ ଯନ୍ତ୍ରୀ ଇଂ. ଶାଶ୍ବତ ମହାପାତ୍ର କରିଥିଲେ।
ବାରିଣୀପୁଟ-ବୋରିଗୁମ୍ମା-ନବରଙ୍ଗପୁର ପ୍ରଶସ୍ତିକରଣ ଓ ପୁନଃରୁଦ୍ଧାର କାମ ନିରୀକ୍ଷଣ କରିଥିଲେ। ଜୟପୁରରୁ ବୋରିଗୁମ୍ମା ମଧ୍ୟରେ ନିର୍ମାଣ ହୋଇଥିବା ଉମୁରୀ ପୋଲର ତଦାରଖ କରିଥିଲେ। ଅପ୍ରୋଚ ରୋଡର ମାଟି ଯେଭଳି ଦସିବ ନାହିଁ ସେ ଦିଗରେ ଦୃଷ୍ଟି ଦେବା ସହ ତୁରନ୍ତ ନିର୍ମାଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଭଳି ରଣ୍ଡାପାଲ୍ଲୀ ପୋଲର କାମ ତୁରନ୍ତ ଆରମ୍ଭ କରିବାକୁ କହିଥିଲେ। ଜୟନ୍ତଗିରୀ ନିକଟସ୍ଥ ମୁଖ୍ୟ କେନାଲ ନିକଟରେ ଠିକାସଂସ୍ଥା ପୋଲ କରିବାକୁ ମନା କରିଥିବା ସ୍ଥାନର ବି ନିରୀକ୍ଷଣ କରିଥିଲେ ନିର୍ବାହୀ ଯନ୍ତ୍ରୀ ଇଂ. ମହାପାତ୍ର। ତାଙ୍କ ସହ ଜୟପୁର ଏନଏଚ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ରବିନ୍ଦ୍ର କୁମାର ବେହେରା, ଏସଡିଓ ରାଜେନ୍ଦ୍ର ବେହେରା, କନିଷ୍ଠ ଯନ୍ତ୍ରୀ ଗୌତମ ପ୍ରକାଶ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।