ଖୋର୍ଦ୍ଧା: ଖୋର୍ଦ୍ଧାଗଡ଼ର ବିକାଶ ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ପ୍ରାଥମିକ ପଦକ୍ଷେପ ସ୍ବରୂପ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଖୋର୍ଦ୍ଧା ଗଡ଼ ପରିଦର୍ଶନ କରିଛନ୍ତି। ଅନୁଧ୍ୟାନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ବିଭାଗୀୟ ସୂତ୍ରରୁ ଜଣାଯାଇଛି ଯେ, ଗଡ଼ଖୋର୍ଦ୍ଧା ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ବ ବିଭାଗ ଅଧୀନରେ ରହିଛି। ଏହା ଏକ ସୁରକ୍ଷିତ କୀର୍ତିରାଜି ଥିବାରୁ ଏହାର ବିକାଶ ପାଇଁ ଏକ ସ୍ବତନ୍ତ୍ର ଅନୁମୋଦନ ଓ ଡିପିଆର୍ ଆବଶ୍ୟକ। ତେବେ ଜିଲ୍ଲାପାଳ ଖୋର୍ଦ୍ଧା ଗଡ଼, ଗଡ଼ ମଧ୍ୟରେ ଥିବା ଅତିଥି ଗୃହ, ମନ୍ଦିର ସମସ୍ତ ବୁଲି ଦେଖିଥିଲେ। ମନ୍ଦିର କେତେ ପରିମାଣରେ ଜମି ରହିଛି, ଏହାର ବିନିଯୋଗ କିଭଳି ହେଉଛି ସେନେଇ ଉପସ୍ଥିତ କର୍ମଚାରୀ ଓପୂଜକଙ୍କ ଠାରୁ ପଚାରି ବୁଝିଥିଲେ।
ଏହି ଅନୁଧ୍ୟାନ ସମୟରେ ଖୋର୍ଦ୍ଧା ବିକାଶ ମଞ୍ଚର ନରେନ୍ଦ୍ର ପୃଷ୍ଟି ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ନିକଟରେ ୫-ଟି ସଚିବ ଭି. କାର୍ତେକେୟନ ପାଣ୍ଡିଆନ୍ ଖୋର୍ଦ୍ଧା ଗସ୍ତ ସମୟରେ ଖୋର୍ଦ୍ଧା ବିକାଶ ମଞ୍ଚ, ଖୋର୍ଦ୍ଧା ଗଡ଼ ବିକାଶ ପରିଷଦ ଓ ବିଭିନ୍ନ ପାଇକ ସଂଗଠନ ପକ୍ଷରୁ ଐତିହାସିକ ଖୋର୍ଦ୍ଧାଗଡ଼ର ବିକାଶ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ସଚିବ ୭ ଦିନ ମଧ୍ୟରେ ପାଇକ ଗବେଷଣା ଅନୁଷ୍ଠାନ ଓ ଡିପିଆର୍ ପଠାଇବାର ୧ ମାସ ମଧ୍ୟରେ ଖୋର୍ଦ୍ଧା ଗଡ଼ର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ଘୋଷଣା କରିବେ ବୋଲି କହିଥିଲେ। ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ କହିଥିଲେ। ଗସ୍ତର ୫ ଦିନ ପରେ ଆଜି ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଖୋର୍ଦ୍ଧାଗଡ଼ର ପ୍ରଥମ ଅନୁଧ୍ୟାନ କରାଯାଇଛି।