ବୈପାରିଗୁଡା: ବର୍ଷବର୍ଷ ଧରି ଅଲୋଡ଼ା ହୋଇ ପଡ଼ି ରହିଛି ପଶୁ ଚିକିତ୍ସା କେନ୍ଦ୍ର। ଯେଉଁ ଉଦ୍ଦେଶ୍ୟରେ ଏହା ଖୋଲା ଯାଇଥିଲା, ତାହା ପୂରଣ ହୋଇପାରୁନାହିଁ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତର ସଦରମହକୁମାରେ ରହିଥିବା ପଶୁ ଚିକିତ୍ସା କେନ୍ଦ୍ର ଗୃହଟି ନିର୍ମାଣ ହେବା ପରଠାରୁ ଆଜିଯାଏ ବିଭାଗୀୟ କର୍ମଚାରୀ ଏଠାରେ ପାଦ ଦେଇନାହାନ୍ତି ବୋଲି ପଞ୍ଚାୟତବାସୀ ଅଭିଯୋଗ ଆଣିଛନ୍ତି। ମୁଖ୍ୟତଃ ପଶୁ ଚିକିତ୍ସା କେନ୍ଦ୍ରରେ ଜଣେ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ପାଇବା କଥା। କିନ୍ତୁ ସରକାରଙ୍କ ତରଫରୁ ଆଜିଯାଏ ବାଲିଗାଁ ପଶୁ ଚିକିତ୍ସା କେନ୍ଦ୍ର ପାଇଁ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ପାଇଛନ୍ତି କି ନାହିଁ, ତାହା କେହି ଜାଣନ୍ତି ନାହିଁ। ବାଲିଗାଁ ଏବଂ ଚେରକା ପଞ୍ଚାୟତବାସୀ ଏହି କେନ୍ଦ୍ର ଉପରେ ନିର୍ଭର କରୁଥିଲେ ମଧ୍ୟ କର୍ମଚାରୀ ଅଭାବରୁ ରୋଗାକ୍ରାନ୍ତ ଗୃହପାଳିତ ପଶୁଙ୍କର ଚିକିତ୍ସା ସୁବିଧାରୁ ବଞ୍ଜିତ ହୋଇଛନ୍ତି।
ଏହି ଦୁଇଟି ପଞ୍ଚାୟତରେ ଅନ୍ୟୁନ୍ୟ ତିନି ହଜାରରୁ ଅଧିକ ଗୃହପାଳିତ ପଶୁ ରହିଥିବା ଗ୍ରାମବାସୀ ମାନେ ପ୍ରକାଶ କରିବା ସହ ଜରୁରୀ ଚିକିତ୍ସା ପାଇଁ ସୁବିଧା ନଥିବାରୁ ପ୍ରତିବର୍ଷ ବହୁ ସଂଖ୍ୟାରେ ଗାଈ, ବଳଦ, ମଇଁଷି ଏବଂ ଛେଳି ମେଣ୍ଢା ଅକାଳରେ ମୃତ୍ୟୁ ବରଣ କରୁଛନ୍ତି। ଏହାକୁ ଆଖି ଆଗରେ ରଖି ଏହି ଅଞ୍ଚଳବାସୀ ଏକାଧିକବାର ବୈପାରିଗୁଡା ପଶୁ ଚିକିତ୍ସା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି। କେନ୍ଦ୍ରର ଗୃହଟି ବର୍ଷବର୍ଷ ଧରି ଅବ୍ୟବହୃତ ହୋଇ ପଡ଼ିଥିବାରୁ ଚାରିପଟେ ଅନାବନା ଗଛ ଉଠି ଜଙ୍ଗଲ ସୃଷ୍ଟି ହେବାକୁ ବସିଲାଣି। ସରକାର ବିଭିନ୍ନ ବିକାଶ ମୁଳକ ଯୋଜନା କରାଯାଉଥିବା ନେଇ ପ୍ରଚାର କରୁଥିବା ବେଳେ ନିରୀହ ଗୃହପାଳିତ ପଶୁଙ୍କର ଜୀବନ ରକ୍ଷା ପାଇଁ କର୍ମଚାରୀ ନିଯୁକ୍ତି ନଦେବା ଦୁଃଖର ବିଷୟ ବୋଲି କ୍ଷୋଭ ପ୍ରକାଶ କରାଯିବା ସହ ଅନ୍ୟୁନ୍ୟ ଜଣେ ପ୍ରାଣୀଧନ ନିରୀକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦେଇ ଗୃହପାଳିତ ପଶୁଙ୍କର ଜୀବନ ରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।