ବାଲେଶ୍ବର : ଭାରତୀୟ ନୌବାହିନୀର ଅବସରପ୍ରାପ୍ତ ଭାଇସ୍ ଆଡମିରାଲ୍ ଡାକ୍ତର ବରୁଣିକାନ୍ତ ରକ୍ଷିତଙ୍କର ବୁଧବାର ସନ୍ଧ୍ୟାରେ ଦିଲ୍ଲୀସ୍ଥିତ କୈଳାସ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କୁ ୮୯ ବର୍ଷ ହୋଇଥିଲା।
ସ୍ବର୍ଗତ ରକ୍ଷିତଙ୍କ ଘର ବାଲେଶ୍ବର ସହର ମାକଲପୁରସ୍ଥିତ କୁନ୍ତଳାକୁମାରୀ ସାବତ ମହିଳା ମହାବିଦ୍ୟାଳୟ ନିକଟରେ । ୧୯୩୩ ମସିହାରେ ଡାକ୍ତର ରଜନୀକାନ୍ତ ରକ୍ଷିତ ଓ ମାନସମୋହିନୀ ରକ୍ଷିତଙ୍କ ଔରସରୁ ଜନ୍ମଲାଭ କରିଥିବା ବରୁଣକାନ୍ତି ବାଲେଶ୍ବର ଚାଟଶାଳୀରୁ ଶିକ୍ଷାରମ୍ଭ କରି ଜିଲ୍ଲା ହାଇସ୍କୁଲରେ ପଢ଼ିଥିଲେ । ପରେ ଡାକ୍ତରୀ ଶିକ୍ଷା ଲାଭ କରି ୧୯୬୦ ମସିହାରେ ଭାରତୀୟ ନୌସେନାରେ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ । ବିଭିନ୍ନ ସମୟରେ ପଦୋନ୍ନତି ପାଇ ଶେଷରେ ନୌସେନାର ମେଡିକାଲ ୱିଙ୍ଗ୍ରେ ଭାଇସ ଆଡ୍ମିରାଲ୍ ପଦରେ ଅବସ୍ଥାପିତ ହୋଇଥିଲେ। ନୌସେନାରେ ଏହି ଦ୍ବିତୀୟ ସର୍ବୋଚ୍ଚ ପଦ ଅଳଙ୍କୃତ କରିବାରେ ସେ ହେଉଛନ୍ତି ଓଡ଼ିଶାର ପ୍ରଥମ ବ୍ୟକ୍ତି। ୧୯୯୩ ମସିହାରେ ଅବସର ନେବା ପରେ ସପରିବାର ଦିଲ୍ଲୀରେ ରହୁଥିଲେ। ତାଙ୍କର ଦୁଇ ପୁଅ କୌଶିକ୍, କିଂସୁକ ଉଚ୍ଚଶିକ୍ଷିତ । ଉଭୟ ଲଣ୍ଡନ ଓ ଆମେରିକାରେ ରହୁଛନ୍ତି। ଦୁଇବର୍ଷ ପୂର୍ବରୁ ବରୁଣିକାନ୍ତ ସପରିବାର ବାଲେଶ୍ବର ଘରକୁ ବୁଲି ଆସିଥିଲେ।
ଆଜି ଅପରାହ୍ନ ୩ଟାରେ ଦିଲ୍ଲୀ ନୋଏଡାସ୍ଥିତ ଜଲ୍-ବାୟୁ ବିହାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅନ୍ତ୍ୟେଷ୍ଟିକ୍ରିୟାରେ ପତ୍ନୀ ସୁଚିତ୍ରା, ବୋହୂ ଅନୁରାଧା, ଝିଆରୀ ସୁଚେତାଙ୍କ ସହ ନୌସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/WhatsApp-Image-2021-02-11-at-20.22.01.jpeg)