ଚନ୍ଦାହାଣ୍ଡି: କରୋନା ତାଡନାରେ ବହୁ ପରିବାର ଏବେ ରାସ୍ତାକୁ ଚାଲି ଆସିଛନ୍ତି। ପେଟର ଜ୍ଵାଳା ସେମାନଙ୍କୁ ଆଉ ବହୁ ଦିନ ଧରି ଘର ମଧ୍ୟରେ ଆବଦ୍ଧ କରି ରଖି ପାରି ନାହିଁ। କ’ଣ ଅବା କରିବେ ସର୍ବହରା ପରିବାର । ଆଜି ଏହି ଭଳି ଏକ ସର୍ବହରା ପରିବାରକୁ ଚନ୍ଦାହାଣ୍ଡି ବ୍ଲକର ବିଭିନ୍ନ ଗ୍ରାମରେ ବୁଲିବୁଲି କଳାକୌତୁକ ପ୍ରଦର୍ଶନ କରି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବାର ଦ୍ଵାରା ସୁଣ୍ଢିପିଣ୍ଡା ହେଉଥିବା ଦେଖିବାକୁ ମିଳିଛି।
ଛତିଶଗଡ଼ ରାଜ୍ୟ ମୈନପୁର୍ ବ୍ଲକ ମଣ୍ଡାଙ୍ଗମୁଣ୍ଡା ଗ୍ରାମର ଲକ୍ଷ୍ମଣଙ୍କ ପରିବାରର ପ୍ରତ୍ୟେକ ସଦସ୍ୟ ମୁଠାଏ ଦାନା ପାଇଁ ରାସ୍ତାକୁ ଚାଲି ଆସିଛନ୍ତି। ସ୍ତ୍ରୀ ଗୀତା ଓ ତିନିଟି ଛୋଟ ଛୋଟ ଶିଶୁଙ୍କୁ ଧରି ଲକ୍ଷ୍ମଣ ଜୀବିକା ନିର୍ବାହ ପାଇଁ ଏକ ନୂଆ ଉପାୟ ଅବଲମ୍ବନ କରିଛନ୍ତି। ଛୋଟ ଦୁଇ ଝିଅ ପୂର୍ଣ୍ଣିମା ଓ ଜ୍ୟୋତି ସହ ଛୋଟ ପୁଅ ରାଜାକୁ ବିଭିନ୍ନ କଳାକୌତୁକ ପ୍ରଦର୍ଶନ କରି ଜୀବନ ଜୀବିକା ଲାଗି ସଂଗ୍ରାମ କରୁଛନ୍ତି।
ତେବେ କରୋନାଜନିତ ଲକଡାଉନ୍ ପୂର୍ବରୁ ଏମାନେ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ଲକଡାଉନ୍ ଓ କରୋନା ଏମାନଙ୍କ ଜୀବନ ଜୀବିକା ଛଡେଇ ନେଇଛି। ଏମାନେ ଗୋଟିଏ ଦିନରେ ଦୁଇ ଚାରିଟି ଗ୍ରାମରେ ବିଭିନ୍ନ ପ୍ରକାର ଦୁଃସାହସିକ ଖେଳ ପ୍ରଦର୍ଶନ କରି ନିଜର ଆହାର ଯୋଗାଡ କରୁଥିବା ଦେଖିବାକୁ ମିଳିଛି। ଏମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ସାଧାରଣରେ ଦାବି ହୋଇଛି।