ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍, ଥାନାରେ ମାମଲା; ପିଲା ଚୋର ସନ୍ଦେହ; ଦୁଇ ସ୍କୁଲ କର୍ମଚାରୀ ଓ ଅଟୋ ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼

ବାଙ୍କୀ: ପିଲା ଚୋର ସନ୍ଦେହରେ ସ୍କୁଲର ଦୁଇ ଜଣ କର୍ମଚାରୀ ଓ ସେମାନେ ଆସିଥିବା ଅଟୋର ଡ୍ରାଇଭରଙ୍କୁ ନିସ୍ତୁକ ପିଟିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଜି ବାଙ୍କୀ ସହରରେ। ୩ ଜଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ନିସ୍ତୁକ ମାଡ଼ ମାରିବାର ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ ଏ ସଂପର୍କରେ ବାଙ୍କୀ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ଏଭଳି ଘଟଣାକୁ ଅଞ୍ଚଳର ଶିକ୍ଷକ ଓ ବୁଦ୍ଧିଜୀବୀମାନେ ନିନ୍ଦା କରିଛନ୍ତି।
ସୂଚନା ଅନୁଯାୟୀ ସରକାରଙ୍କ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀମାନଙ୍କୁ ମାଗଣାରେ ଯୋଗାଇ ଦିଆଯାଉଥିବା ‘ପରୀକ୍ଷା ଦର୍ପଣ’ ପୁସ୍ତିକା ସଂଗ୍ରହ କରିବା ଲାଗି ଆଜି କଳାପଥର-ଧଳାପଥର ଉଚ୍ଚବିଦ୍ୟାଳୟର ଦୁଇ ଜଣ କର୍ମଚାରୀ ଅଟୋ ଯୋଗେ ବାଙ୍କୀସ୍ଥିତ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠକୁ ଆସୁଥିଲେ।

କଳାପଥର-ବାଙ୍କୀ ରାସ୍ତାର ବ୍ରହ୍ମପୁରା ଗ୍ରାମ ଛକରେ ବାଙ୍କୀ ସହର ନିକଟ ଗୋପାଳପୁରକୁ ଯିବା ପାଇଁ ଜଣେ ମହିଳା ତାଙ୍କ ଦୁଇ ଝିଅଙ୍କ ସହ ଅଟୋରେ ବସିଥିଲେ। ସହରର କଚେରୀ ପଡ଼ିଆରେ ମହିଳା ଜଣକ ଅଟୋରୁ ଓହ୍ଲାଇ କିଛି ସଉଦା କିଣିବା ପାଇଁ ଯାଇଥିଲେ। ତାଙ୍କର ଫେରିବାରେ ବିଳମ୍ବ ହେବାରୁ ଦୁଇ କର୍ମଚାରୀଙ୍କୁ ନିକଟସ୍ଥ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠରେ ଛାଡ଼ି ଦେଇ ଆସିବା ପାଇଁ ଚାଳକ ଗଗନ ମାନସିଂହ ଅଟୋ ଚଳାଇ ଯାଉଥିଲେ। ଏହା ଦେଖି କିଛି ଦୂରରେ ଥିବା ମହିଳା ଜଣକ ପିଲାଚୋର ବୋଲି ଚିତ୍କାର କରିଥିଲେ। ପାଟି ଶୁଣି ଅଟୋଚାଳକ ପୁନର୍ବାର ଅଟୋ ମହିଳାଙ୍କ ନିକଟକୁ ଫେରାଇ ଆଣିଥିଲେ। କିନ୍ତୁ ନିକଟରେ ଥିବା ଲୋକମାନେ ପିଲାଚୋର ସନ୍ଦେହରେ ଶିକ୍ଷାନୁଷ୍ଠାନର ଦୁଇ କର୍ମଚାରୀଙ୍କ ସହ ଅଟୋ ଚାଳକଙ୍କୁ ମାଡ଼ ମାରି ଆହତ କରିବା ସହିତ ଅଟୋ ଭଙ୍ଗାରୁଜା କରିଥିଲେ। ପୁଲିସ ପହଞ୍ଚି ସମସ୍ତଙ୍କୁ ଥାନାକୁ ନେଇଥିଲା। ପରେ ପରୀକ୍ଷା ଦର୍ପଣ ପୁସ୍ତିକା ବଣ୍ଟନ ଦାୟିତ୍ବରେ ଥିବା ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଜଣେ ଶିକ୍ଷକ ବାଙ୍କୀ ଥାନାକୁ ଆସି ଉଭୟ କର୍ମଚାରୀଙ୍କୁ ଚିହ୍ନଟ କରିବା ପରେ ସତ ସାମାନାକୁ ଆସିଥିଲା। ଦୁର୍ବୃତ୍ତଙ୍କ‌ ଠେଲାପେଲା, ମାଡ଼, ଅଟୋ ଭଙ୍ଗାରୁଜା ଭିତରେ ଦୁଇ କର୍ମଚାରୀଙ୍କ ମନିପର୍ସ, ମୋବାଇଲ୍‌, ଏଟିଏମ୍‌ ଓ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ହଜି ଯାଇଛି। ପୁଲିସ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର