ଘୁ.ଉଦୟଗିରି: କରୋନା ଭୁତାଣୁ ସଂକ୍ରମଣ ରୋକିବା ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି ଏବଂ ଟଙ୍କା ଖର୍ଚ୍ଚ କରୁଛନ୍ତି। ପ୍ରତ୍ୟକ ପଞ୍ଚାୟତକୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଅସହାୟ ବୃଦ୍ଧ-ବୃଦ୍ଧାଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିବା, ଜିଲ୍ଲା ଏବଂ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧ ଗୃହରେ, ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପ ଗୃହରେ ରଖି ଖାଦ୍ୟ ପାନୀୟ ଯୋଗାଇ ବା ବ୍ୟବସ୍ଥା କରାଯାଇଛି। ହେଲେ କିଛି ସ୍ଥାନରେ ସରକାରୀ ଅନୁଦାନ ଠିକ ଭାବେ ବ୍ୟୟ ହେଉନଥିବା ଏବଂ ସଙ୍ଗରୋଧ ଗୃହରେ ରହୁଥିବା ଲୋକଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ ସହ ଖାଦ୍ୟରେ ପୋକ ବାହାରିବା ଖବର ଭିଡିଓ ଭାଇରାଲ ହେବା ପରେ ସଙ୍ଗରୋଧ ଗୃହ ଭିତର ରହସ୍ୟ ପଦାକୁ ଆସିଛି।

Advertisment

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଂଚାୟତର କଳିଙ୍ଗା ନୋଡାଲ ଉଛପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ସଙ୍ଗରୋଧ ଗୃହରେ ଥିବା ଲୋକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି  ପ୍ରଶାସନ ପକ୍ଷରୁ ଦିଆଯାଉଥିବା ଖାଦ୍ୟରେ ପୋକ ଥିବା ଭିଡିଓ ଭାଇରାଲ କରିଥିଲେ। ଏହି ଭିଡ଼ିଓ ଦେଖିବା ପରେ ସ୍ଥାନୀୟ ବିଡିଓ ଶାନ୍ତନୁ କୁମାର ନାୟକଙ୍କୁ ଘଟଣା ସଂପର୍କରେ ପଚରାଯାଇଥିଲା।  ସେ ଡାଲିରେ ପଡିଥିବା ବାଇଗଣରୁ ପୋକ ବାହାରିଥିବା କଥାକୁ ସ୍ୱୀକାର କରିଥିଲେ। ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା କଥାରେ କହିଥିଲେ ସରକାର ଆମକୁ ଗୋଟିଏ ଓଳି ଖାଦ୍ୟ ନିମନ୍ତେ  ୩୦ଟଙ୍କା ଦେଉଛନ୍ତି ତାକୁ ଧରି ଖାଦ୍ୟ ଦିଆଯାଉଛି।

କଳିଙ୍ଗା ସଙ୍ଗରୋଧ ଗୃହରେ ରହି ଭିଡିଓ ଭାଇରାଲ କରିଥିବା ଉକ୍ତ ପରିବାରକୁ ସେଠାରୁ ବିଦା କରିଦିଆଯାଇଥିବା ସୂଚନା ମିଳୁଛି। ସେଇ ପରିବାରକୁ ତାଙ୍କ ନିଜ ଗାଁକୁ ପଠେଇ ଦିଆଯାଇଛି। ଆଶ୍ଚର୍ଯ୍ୟ ବିଷୟ ବର୍ତ୍ତମାନ ସୁଦ୍ଧା କରୋନା ସମ୍ପର୍କିତ କୌଣସି ତଥ୍ୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦିଆଯାଉନାହିଁ। ବ୍ଲକରେ କେତୋଟି ସଙ୍ଗରୋଧ ଗୃହ ଅଛି, ଅସ୍ଥାୟୀ ମେଡ଼ିକାଲ କେମ୍ପ କେତୋଟି ଅଛି, ହୋମ କ୍ୟାରେଣ୍ଟାଇନରେ କେତେ ଜଣ ଅଛନ୍ତି। ବାହାର ରାଜ୍ୟରୁ କେତେ ଜଣ ଆସିଛନ୍ତି, ବାହାର ଜିଲ୍ଲାରୁ କେତେଜଣ ଆସିଛନ୍ତି ଏଭଳି ବହୁ ତଥ୍ୟ ସ୍ଥାନୀୟ ପ୍ରଶାସନ ଜଣାଉନାହାନ୍ତି।ଅଞ୍ଚଳବାସୀ ନିଜ ଅଞ୍ଚଳ ବିଷୟରେ ଅଜ୍ଞ।ଭାରତ ଓଡ଼ିଶାର ତଥ୍ୟ ପେପର ଏବଂ ଟିଭି ମାଧ୍ୟମରେ ପାଇବେ ହେଲେ ନିଜ ନିଜ ଅଂଚଳ କଥା ଜାଣି ପାରିବେ ନାହିଁ। ଏଭଳି ମାନସିକତାରେ ରହିଛି ଆମ ପ୍ରଶାସନ।