ରବିବାର ଛୁଟିରେ ଛାତ୍ରଙ୍କୁ ଶ୍ରମ ଭିତ୍ତିକ କାମରେ ନିୟୋଜନ, ଭିଡିଓ ଭାଇରାଲ

ନବରଙ୍ଗପୁର: ରବିବାର ଛୁଟିରେ ଛାତ୍ରଙ୍କୁ ସ୍କୁଲ ଡକାଇ ଶ୍ରମ ଭିତ୍ତିକ କାମରେ ନିୟୋଜିତ । ଭିଡିଓ ଭାଇରାଲ ପରେ ଏବେ ହରଡଘଣାରେ ପ୍ରଧାନଶିକ୍ଷକ। ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିବା ସହ ଶିଶୁ ଶ୍ରମିକ ନିୟୋଜିତକୁ ସମ୍ପୁର୍ଣ୍ଣ ଭାବେ ବାରଣ କରାଯାଇଛି। ତେବେ ରବିବାର ଛୁଟିରେ ସ୍କୁଲର ଛାତ୍ରମାନଙ୍କୁ ଶ୍ରମ କାମରେ ନିୟୋଜିତ ହୋଇଥିବା ନେଇ ଏକ ଭିଡିଓ ଭାଇରାଲ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ପାପଡାହାଣ୍ଡି ବ୍ଲକ ନୂଆକୋଟ ପଂଚାୟତର ପିତାରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନେ ସ୍କୁଲ ଛାତ କାମ କରୁଥିବା ଏକ ଭିଡ଼ିଓ ଭାଇରାଲ ହୋଇଛି | ସୂଚନା ଅନୁସାରେ, ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଅଛି | ସ୍କୁଲରେ ୧୨୨ ଜଣ ଛାତ୍ର ଏହି ବିଦ୍ୟାଳୟରେ ପାଠ ପଢ଼ନ୍ତି |

ଛାତରୁ ବର୍ଷା ଦିନେ ପାଣି ଗଳୁଥିବାରୁ ଛାତ ମରାମତି ଚାଲିଛି | ଗତକାଲି ରବିବାର ଛୁଟି ଥିବାରୁ ପ୍ରଧାନଶିକ୍ଷକ ଗୌତମ ସାହୁ ସ୍କୁଲକୁ ଯାଇଥିଲେ | ସ୍କୁଲରେ କାମ ଚାଲିଥିବା ସମୟରେ କିଛି ଛାତ୍ରମାନେ କାମ କରୁଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଘୁରିବୁଲୁଛି l ଏ ନେଇ ଆମେ ପ୍ରଧାନଶିକ୍ଷକ ଗୌତମ ସାହୁଙ୍କୁ ପଚାରିବାରୁ ସେ କହିଥିଲେ, ସ୍କୁଲରେ ପାଚେରୀ ନ ଥିବା ଯୋଗୁଁ ପିଲାମାନେ ଖେଳୁଥିଲେ | ମୁଁ ଶ୍ରମିକମାନଙ୍କୁ ଖୋଜିବା ପାଇଁ କମିଟି ସଭାପତିଙ୍କ ଘରକୁ ଯାଇଥିଲି l ଉକ୍ତ ସମୟରେ କେହି ଫସାଇବା ପାଇଁ ପିଲାମାନଙ୍କ ଦ୍ୱାରା କାମ କରି ଭିଡ଼ିଓ ଭାଇରାଲ କରିଛି | ଅନ୍ୟପକ୍ଷେ ପିଲାମାନଙ୍କ ଅଭିଭାବକମାନେ ଶିକ୍ଷକ କାମ କରିବାକୁ ଡାକିନେଇଥିବା କହିଛନ୍ତି l ଏ ନେଇ ବିଇଓ ବୀରେନ୍ଦ୍ର କୁମାର ପାଢ଼ୀ ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l

ସମ୍ବନ୍ଧିତ ଖବର