ଶିଆଳି ଭ୍ୟୁ ଟାୱାର ବିପଦରେ, ଭାରତମେଳା ଯୋଜନା ନେଇ ତେଜୁଛି ଅସନ୍ତୋଷ, ଆନ୍ଦୋଳନ ସଜବାଜ

ଏରସମା: ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକରେ ଉପକୂଳ ଅଂଚଳରେ ପଦ୍ମପୁର ପଂଚାୟତରେ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ଶିଆଳି ବେଳାଭୂମି ଏବେ ସମୁଦ୍ର ଜୁଆର ମାଡ଼ରେ ପୁଣି ଥରେ କ୍ଷତବିକ୍ଷତ ହୋଇଛି। ସୁରକ୍ଷା ପାଇଁ ଗଚ୍ଛିତ ବାଲିବସ୍ତା କିଛି କାମ ଦେଉ ନାହିଁ। ସେଠାରେ ଥିବା ଭ୍ୟୁ ଟାୱାର ପ୍ରତି ବିପଦ ଦେଖାଦେଇଛି। ଲଘୁଚାପ ବର୍ଷା ପାଣି ନିଷ୍କାସନ ହୋଇ ପାରୁ ନଥିବା ବେଳେ ଗଡ଼ ହରିଶପୁର ପଂଚାୟତର ନୋଳିଆସାହି ଠାରୁ ରାମତରା ପର୍ଯ୍ୟନ୍ତ ସମୁଦ୍ର ଜୁଆର ମାଡ଼ିଯିବା ଫଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। କୂଳ ଲଂଘି ଜୁଆର ମାଡ଼ି ଆସୁଥିବାରୁ ଗଡ଼ ହରିଶପୁରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ତେଣୁ ଗଡ଼ହରିଶପୁର ଠାରୁ ରାମତରା ପର୍ଯ୍ୟନ୍ତ ପଥର ବନ୍ଧ ନିର୍ମାଣ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି। ଏଣେ ଭାରତମାଳା ଯୋଜନାରେ ସମୁଦ୍ର କୂଳେକୂଳେ ଉପକୂଳ ରାଜପଥ ନିର୍ମାଣ କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। କାରଣ ପ୍ରସ୍ତାବିତ ଏହି ରାଜପଥ ସମୁଦ୍ର ତଟବର୍ତୀ ସ୍ଥାନରେ ନିର୍ମାଣ କରାନଯାଇ ସମୁଦ୍ରକୂଳ ଠାରୁ ୨୦ କି.ମି ଦୂରରେ ଗାଁଗଣ୍ଡା ଭିତରେଦେଇ ନେବାକୁ ଯୋଜନା କରାଯାଇଛି।

ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ରାଜନେତା, ପରିବେଶବିତ୍‌ ଓ ବୁଦ୍ଧିଜୀବୀ। ଭାରତମେଳା ଯୋଜନାରେ ଉପକୂଳ ରାଜପଥ ଯିବା ପ୍ରସ୍ତାବ ରହିଛି। ଉପକୂଳ ସୁରକ୍ଷା ମଂଚ ପକ୍ଷରୁ ଆଗାମୀ ଦିନରେ ଏଥିପାଇଁ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଆସନ୍ତା ୧୪ ତାରିଖରେ ସିଆଳି ବେଳାଭୂମି ଠାରେ ଗଡ଼ ହରିଶପୁର, ଗୋଡ଼ା,ପଦ୍ମପୁର, ଜାନକାଦେଇପୁର, ଗଡ଼ବିଶୁନପୁର, ଆମ୍ବିକି ଓ ସମୁଦ୍ରକୂଳ ପଂଚାୟତ ଗୁଡ଼ିକର ସରପଂଚ ଓ ସମିତିସଭ୍ୟ ଓ ଅଚଳବାସୀ ଏକତ୍ରିତ ହୋଇ ଆନ୍ଦୋଳନକୁ ଆଗେଇ ନେବାକୁ ଗଡ଼ ହରିଶପୁର ପଂଚାୟତର ସରପଂଚ ପାର୍ବତୀ ଗୁଡ଼ିଆ, ସମିତିସଭ୍ୟ ପ୍ରିୟତମା ରାଉତ, ପଦ୍ମପୁର ସରପଂଚ ପ୍ରତିଭାରାଣୀ ପାତ୍ର, ସୁରକ୍ଷାମଂଚର ଆବାହକ ଅରୁଣ କୁମାର ବେହେରା ଓ ପୂର୍ବତନ ସରପଂଚ କେଶବ ପାତ୍ର, ଭୀମଶେନ ରାଉତ ପ୍ରମୁଖ ଆହ୍ବାନ ଦେଇଛନ୍ତି। ପ୍ରତିବର୍ଷ ଜୁଲାଇ ମାସଠାରୁ ସେପ୍ଟେମ୍ବର ମଧ୍ୟରେ ନୋଳିଆ ସାହି, କଳାବେଦି, ଶିଆଳି, ରାମତରାରେ ସମୁଦ୍ର ଜୁଆର ମାଡ଼ିଆସୁଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ୁଛନ୍ତି। ତୁରନ୍ତ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି କରାଯାଇଅଛି।

ସମ୍ବନ୍ଧିତ ଖବର