ଜୟପୁର: ଗତ ବର୍ଷ ଜୟପୁର ଦୁର୍ନୀତି ନିବାରଣ ଡିଭିଜନ ଅର୍ନ୍ତଗତ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ନବରଙ୍ଗପୁର , କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ୪୧ଟି ମାମଲା ରୁଜୁ ହୋଇଛି। ଗତ ୨୦୧୯ ମସିହାରୁ ୨୦୨୪ ଆଜି ପର୍ଯ୍ୟନ୍ତ ୧୮୬ଟି ମାମଲା ରୁଜୁ ହୋଇଛି। ୨୦୧୯ ମସିହାରେ ୩୬ଟି, ୨୦୨୦ ମସିହାରେ ୩୨ଟି, ୨୦୨୧ମସିହାରେ ୩୪ଟି, ୨୦୨୨ମସିହାରେ ୪୧ଟି ,୨୦୨୩ ମସିହାରେ ୪୧ଟି ଏଭଳି ପାଂଚ ବର୍ଷରେ ୧୮୪ଟି ମାମଲା ରୁଜୁ ହୋଇଛି। ନୂଆବର୍ଷ ଆରମ୍ଭରେ ଆଉ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଏଯାଏଁ ୧୮୬ଟି ମାମଲା ରୁଜୁ କରାଯାଇଥିବା ଜୟପୁର ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ଏଦିଗରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରୁଥିବା ଦେଖିବାକୁ ମିଳିଛି। ଗତ ୨୦୨୧ରେ ଏହି ଡିଭିଜନ ପକ୍ଷରୁ ଧରାପଡ଼ିଥିବା ଜଣେ ସିଡିଭିଓ (ଜିଲ୍ଲା ମୁଖ୍ୟ ପଶୁ ସଂପଦ ଅଧିକାରୀ)ଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେଭଳି ଲାଂଜିଗଡ଼ ସିଡିପିଓ ମୀନା ପାତ୍ର ଓ ଥୁଆମୁଳରାମପୁର ସିଡିପିଓ ସୁଷମା ରଥ, ଗତ ବର୍ଷ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କୁ ରାଜ୍ୟ ସରକାର ସରକାରୀ ଚାକିରିରୁ ବିଦା କରିଥିବା କହିଛନ୍ତି ଜୟପୁର ଭିଜିଲାନସ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ । ଗତ ବର୍ଷକ ମଧ୍ୟରେ ୪୧ଟି ମାମଲା ମଧ୍ୟରୁ ୧୭ଟି ଲାଂଚ ନେଉଥିବା ବେଳେ ଏବଂ ୧୩ଟି ମାମଲା ଆୟ ବର୍ହିଭୁତ ଓ ୧୧ଟି ସରକାରୀ ଅର୍ଥ ତୋଷାରପାତ ମାମଲା ରହିଛି।

Advertisment

୫୬ଜଣ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଅଧିକାରୀ ଓ ସାଧାରଣ ଲୋକ ଲାଂଚ ନେଉଥିବା ବେଳେ ଭିଜିଲାନସ୍ ହାତରେ ଧରା ପଡ଼ିଛନ୍ତି। ବିଭିନ୍ନ ଦୁର୍ନୀତି ମାମଲା‌ରେ ୩୦ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରାଯାଇଛି। ଏମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ, ସିଡିଭିଓ, ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ସହକାରୀ ଯନ୍ତ୍ରୀ, ଜିଲ୍ଲା ଆକାଉଣ୍ଟସ ଅଫିସର, ସିଡିପିଓ, ରେଂଜର, ପୁଲିସ ସବଇନିସପେକ୍ଟର, ପୁଲିସ ଆଇଆଇସି, ଏଏସଆଇ, ଅଙ୍ଗନୱାଡି ସୁପରଭାଇଜର, ସାଉଥକୋ ଏସଡିଓ ଆଦି ରହିଛନ୍ତି। ଏହା ବାଦ ଆରଆଇ, ବନବିଭାଗର କର୍ମଚାରୀ, ପିଇଓ, ଜିଆରଏସ୍ କିରାଣୀ ଆଦି ବି ଭିଜିଲାନସ୍ ଜାଲରେ ପଡ଼ିଛନ୍ତି। ଏହାରି ମଧ୍ୟରେ ୧୧୧ଟି ମାମଲା ମଧ୍ୟରୁ ୪୭ଟି ପୁରୁଣା ଓ ନୂଆ ମାମଲାର ଚାର୍ଜସିଟ୍ ବି ଦାଖଲ କରାଯାଇଛି। ଗତ ବର୍ଷକ ମଧ୍ୟରେ ଜୟପୁର ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍ ଓ ଭବାନୀପାଟଣା ଭିଜିଲାନ୍ସ ସ୍ବତନ୍ତ୍ର ଜଜ୍ ଗତ ବର୍ଷ ମଧ୍ୟରେ ୧୪ଟି ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ଲୋକେ ଭିଜିଲାନସକୁ ବ୍ୟାପକ ଭାବେ ସୂଚନା ଦେବାକୁ ଏବଂ ସୂଚନାକୁ ଗୋପନୀୟ ରଖି ଲାଂଚୁଆ ଅଧିକାରୀ, ସରକାରୀ ଅର୍ଥ ତୋଷାରପାତ କରିଥିବା ଏବଂ ଆୟବର୍ହିଭୁତ କରିଥିବା ଅଧିକାରୀ, ଲୋକପ୍ରତିନିଧିଙ୍କ ଉପରେ ଚଢ଼ାଉ କରାଯିବ ବୋଲି କହିଛନ୍ତି ଏସପି ଶ୍ରୀ ଦ୍ବିବେଦୀ।