ଜୟପୁର: ସ୍କୁଟି ମୁକୁଳାଇ ନେବା ପାଇଁ ଜୟପୁର ଟାଉନଥାନା ଏଏସଆଇ ଅନିଲ ନାୟକ ଜୟପୁର ଜୟନଗର ପାଇକ ସାହିର ରିଙ୍କେଶ ଗୌଡ଼ଙ୍କ ଠାରୁ ୫ହଜାର ଟଙ୍କା ଲାଂଚ ନେବା ମାମଲାରେ ଜୟପୁର ଭିଜିଲାନସ୍ ଏଏସଆଇ ଓ ସହଯୋଗୀ କମ୍ବଳ ବିକ୍ରେତା ମହମ୍ମଦ ନାଜାରୁଲଙ୍କୁ ଅଟକ ରଖି ପଚାରାଉଚରା କରୁଥିବା କହିଛନ୍ତି ଭିଜିଲାନସ୍ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ। ଟାଉନଥାନା ପରିସରରେ ଥିବା ସ୍କୁଟିକୁ ଭିଜିଲାନସ୍ ଜବତ କରିବା ସହ ଏଏସଆଇ ଟାଉନଥାନାରେ ବସୁଥିବା ଟେବୁଲର କାଗଜପତ୍ର ଆଦି ଯାଂଚ କରିଛନ୍ତି। ଏହା ସହ ସେ ରହୁଥିବା ସଦରଥାନା ନିକଟ କ୍ବାର୍ଟର, ନବରଙ୍ଗପୁରସ୍ଥ ଘରେ ଚଢ଼ାଉ ଜାରି ରହିଥିବା କହିଛନ୍ତି ଭିଜିଲାନସ୍ ଏସପି । ମିଳିଥିବା ସୂଚନା ମୁତାବକ, ଗତ ୫ତାରିଖ ରାତିରେ ଜୟପୁର ଟାଉନଥାନାର ପିସିଆର ଗାଡ଼ିରେ ପାଟ୍ରୋଲିଂ କରୁଥିଲେ ଏଏସଆଇ ଅନିଲ ନାୟକ। ଛୋଟ ମୋଟ ଠିକାଦାରୀ କରୁଥିବା ରିଙ୍କେଶ ନିଜ ଠିକା କାମରୁ ନିଜ ସ୍କୁଟିରେ ଅର୍ଦ୍ଧରାତ୍ରରେ ଘରକୁ ଫେରୁଥିଲେ।

Advertisment

ପିସିଆର ଗାଡ଼ି ଅଟକାଇ ଏଏସଆଇ ଶ୍ରୀନାୟକ ରିଙ୍କେଶଙ୍କ ଗାଡ଼ିର କାଗଜପତ୍ର ଯାଂଚ କରିଥିଲେ। ତେବେ ସେ ଗାଡ଼ିରେ କେବଳ ଗାଡ଼ି କିଣିଥିବା ଇନଭଏସ୍ ଓ ସର୍ଭିସ କରିଥିବା କାଗଜ ଦେଖାଇଥିଲେ। ଏହି ଦୁଇ କାଗଜପତ୍ରକୁ ନେଇକି ଯାଇଥିଲେ ଏଏସଆଇ। ଏହାକୁ ନେବା ପାଇଁ ତାଙ୍କୁ ୪ହଜାର ଟଙ୍କା ଲାଂଚ ଦେବାକୁ ରିଙ୍କେଶଙ୍କୁ କହିଥିଲେ ଏଏସଆଇ। ଫୋନ କରି ଏଏସଆଇ ରିଙ୍କେଶକୁ ଟଙ୍କା ମାଗିଥିଲେ। ଦୁଇ ଦିନ ପରେ ଅର୍ଥାତ ଗତକାଲି ରାତିରେ ଏଏସଆଇ ଶ୍ରୀ ନାୟକ ପାଇକସାହିରେ ପାଟ୍ରୋଲିଂ କରୁଥିବା ବେଳେ ରାତିରେ ଘର ସମ୍ମୁଖରେ ସ୍କୁଟି ରଖି ମୋବାଇଲରେ ଗପୁଥିବା ରିଙ୍କେଶକୁ ଦେଖିଥିଲେ। ସେ ଥାନାକୁ ଟଙ୍କା ଧରିକି ଆସିବାକୁ କହିବା ପରେ ସେ କାହିଁକି ଆସିଲେ ନାହିଁ ବୋଲି ପଚାରିବା ସହ ସେ ଧରିଥିବା ସ୍କୁଟି ରିଙ୍କେଶଙ୍କ ଠାରୁ ନେଇ ଆସିଥିଲେ ଏଏସଆଇ ଶ୍ରୀ ନାୟକ। ଗାଡ଼ି ଓ କାଗଜପତ୍ର ନେବା ପାଇଁ ତାଙ୍କୁ ୫ହଜାର ଟଙ୍କା ଲାଂଚ ଦେବାକୁ ଦାବି କରିଥିଲେ। ଆଜି ସକାଳୁ ରିଙ୍କେଶ ଭିଜିଲାନସ୍ ଏସପିଙ୍କ ଦ୍ବାରସ୍ଥ ହୋଇ ଉପରୋକ୍ତ ସମସ୍ତ ଘଟଣା ଜଣାଇଥିଲେ। ଭିଜିଲାନସ୍ ପକ୍ଷରୁ ରଙ୍ଗବୋଳା ୫ହଜାର ଟଙ୍କା ରିଙ୍କେଶକୁ ଲାଂଚ ଆକାରରେ ଦେବା ପାଇଁ ଭିଜିଲାନସ୍ ପକ୍ଷରୁ ଦିଆଯାଇଥିଲା। ଏଏସଆଇ ଜଣକ ଏହି ଟଙ୍କା ନିଜେ ନ ନେଇ ରିଙ୍କେଶକୁ ଫୋନ କରି ପୁରୁଣା ଏସଡିପିଓ କାର୍ଯ୍ୟାଳୟ ସମ୍ମୁଖରେ କମ୍ବଳ ବ୍ୟବସାୟ କରୁଥିବା ମହମ୍ମଦ ନାଜରୁଲଙ୍କୁ ଦେବାକୁ କହିଥିଲେ।

ଆଜି ମଧ୍ୟାହ୍ନ ସାଢ଼େ ୪ଟା ବେଳେ ଏହି ଟଙ୍କା ନାଜୁରୁଲ ନେଉଥିବା ବେଳେ ତାଙ୍କୁ ଭିଜିଲାନସ୍ ଧରି ତାଙ୍କ ଠାରୁ ଏହି ଟଙ୍କା ପାଇଥିଲା। ରାସ୍ତା ଉପରେ ହିଁ ନାଜୁରୁଲର ହାତ ଧୋଇବାରେ ହାତ ରଙ୍ଗ ହୋଇଥିଲା। ସେ ଏଏସଆଇଙ୍କ ନିର୍ଦ୍ଦେଶରେ ଏହି ଟଙ୍କା ନେଇଥିବା ଭିଜିଲାନସକୁ କହିଥିଲେ। ଭିଜିଲାନସ୍ ଟିମ୍ ଏହା ପରେ ଏଏସଆଇ ରହୁଥିବା ପୁରୁଣା ପୁଲିସ ଏସଡିପିଓ କାର୍ଯ୍ୟାଳୟ ପରିସରରେ ଚଢ଼ାଉ କରି ଧରିଥିଲେ। ଏଏସଆଇ ଶ୍ରୀ ନାୟକ ଓ କମ୍ବଳ ବ୍ୟବସାୟୀ ନାଜୁରୁଲଙ୍କୁ ଭିଜିଲାନସ୍ କାର୍ଯ୍ୟାଳୟକୁ ଅଣାଯାଇଛି। କମ୍ବଳ ବ୍ୟବସାୟୀ ଏଥି ପୂର୍ବରୁ ଏଭଳି ଲାଂଚ କାରବାରରେ ଲିପ୍ତ ନା ନାହିଁ ତାହାର ଯାଂଚ ଚାଲିଛି ବୋଲି କହିଛନ୍ତି ଭିଜିଲାନସ୍ ଏସପି । ଉଭୟଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି ଏସପି ।