୧୩୦୦ ଟଙ୍କା ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିକୋ ଆରଆଇ ଓ ପିଅନ

ଖୋର୍ଦ୍ଧା/ବେଗୁନିଆ: ଏକ ମ୍ୟୁଟେସନ୍ ରିପୋର୍ଟ ପ୍ରସ୍ତୁତ କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୩ଶହ ଟଙ୍କା ଲାଂଚ ନେଇ ବେଗୁନିଆ ତହସିଲର ଜଣେ ଆରଆଇ ଓ କାର୍ଯ୍ୟାଳୟର ପିଅନ୍ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡ଼ିଛନ୍ତି। ସୂଚନାନୁସାରେ, ଗଡ଼କିଲୋ ଗାଁର ତ୍ରିନାଥ ଛୁଆଳ ସିଂହ ତହସିଲ କାର୍ଯ୍ୟାଳୟରେ ମ୍ୟୁଟେସନ୍ ପାଇଁ ଆବେଦନ କରିଥିଲେ। ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ସିକୋ ଆର୍ଆଇ ମନୋଜ କୁମାର ନାୟକଙ୍କୁ ନିର୍ଦେଶ ଦିଆଯାଇଥିଲା। ତେବେ ମନୋଜ ନାୟକ ଏହି ରିପୋର୍ଟ ଦେବା ପାଇଁ ତ୍ରିନାଥଙ୍କୁ ୨ହଜାର ଟଙ୍କା ଲାଂଚ ମାଗିଥିଲେ। ତ୍ରିନାଥ ଏତେ ପରିମାଣରେ ଟଙ୍କା ଦେବା ପାଇଁ ଅକ୍ଷମତା ପ୍ରକାଶ କରିଥିଲେ। କିନ୍ତୁ ଆର୍ଆଇ ମନୋଜ ନାୟକ ୧୩ଶହ ଟଙ୍କା ନଦେଲେ ରିପୋର୍ଟ ଦିଆଯିବ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଏନେଇ ତ୍ରିନାଥ ଭିଜିଲାନ୍ସଙ୍କ ଦ୍ୱାରସ୍ଥ ହୋଇଥିଲେ।

Sambad

ଆଜି କାର୍ଯ୍ୟାଳୟରେ ଆରଆଇ ଶ୍ରୀ ନାୟକ ତ୍ରିନାଥଙ୍କ ଠାରୁ ୧୩ଶହ ଟଙ୍କା ନେଇଥିଲେ ଓ କାର୍ଯ୍ୟାଳୟ ପିଅନ ରାଜ କିଶୋର ସାମନ୍ତରାୟଙ୍କୁ ରଖିବା ପାଇଁ ବଢ଼ାଇଥିଲେ। ଏହି ସମୟରେ ଉଭୟ ଭିଜିଲାନ୍ସ ହାତରେ ରଙ୍ଗେହାତ ଧରାପଡ଼ିଥିଲେ। ସେମାନଙ୍କ ଠାରୁ ରଙ୍ଗ ଲାଗିଥିବା ନୋଟ୍ ଜବତ କରାଯାଇଛି। ଉଭୟଙ୍କ ବିରୋଧରେ ୧୧/୨୦୨୧ରେ ମାମଲା ରୁଜୁ କରାଯିବା ସହ ସେମାନଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିବା ଭିଜିଲାନ୍ସ ଡିଏସ୍ପି ସୁଶାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର