ଜାଲ୍ ସାର୍ଟିଫିକେଟରେ ଚାକିରି ଅଭିଯୋଗ, ଡିଇଓ ଅଫିସରେ ଭିଜିଲାନସର ଖୋଳତାଡ଼

ବାଳିକା ହାଇସ୍କୁଲ୍ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ହୋଇଛି ମାମଲା

ରାୟଗଡ଼ା: ରାୟଗଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ସଙ୍ଗୀତା କୁମାରୀ ସାହୁ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଅଭିଯୋଗର ତଦନ୍ତ କରିଛି ଭିଜିଲାନସ୍। ଜୟପୁର ଭିଜିଲାନସ୍ ବିଭାଗ ଇନସପେକ୍ଟର୍ ବଙ୍କିମ ବବାଲି ରାୟଗଡ଼ା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କିତ ସମସ୍ତ ସାର୍ଟିଫିକେଟର ଯାଞ୍ଚ କରିଛନ୍ତି। ଏଥି ସହିତ ମାମଲାର ଚାର୍ଜସିଟ୍ ଦାଖଲ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ନିକଟରୁ ଆବଶ୍ୟକ ସମସ୍ତ ପ୍ରମାଣପତ୍ର ସଂଗ୍ରହ କରିଛନ୍ତି।

୨୦୧୩ ମସିହାରେ ଶିକ୍ଷୟିତ୍ରୀ ଜୀବନ ଆରମ୍ଭ କରିଥିବା ସଙ୍ଗୀତା ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ୨୦୧୫ ମସିହାରେ ତତ୍କାଳୀନ ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କ କୋର୍ଟରେ ମାମଲାର ବିଚାର ହୋଇଥିଲା। ବିଚାର ସମୟରେ ଶିକ୍ଷୟିତ୍ରୀ ସଙ୍ଗୀତା ମୁନିଗୁଡ଼ା କଲେଜରୁ ଯୁକ୍ତ ଦୁଇ ପାସ୍ କରିଥିବା ନେଇ ଶିକ୍ଷା ବିଭାଗକୁ ଦେଇଥିବା ସାର୍ଟିଫିକେଟ୍ ଜାଲ୍ ବୋଲି ଜଣା ପଡିଥିଲା। ମୁନିଗୁଡ଼ା ମହାବିଦ୍ୟାଳୟକୁ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ପଠାଯିବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିଠି ନଂ-୯୩୪, ତା:୨୯.୫.୨୦୧୫ରେ ସଙ୍ଗୀତା ସାହୁ ନାମରେ କୌଣସି ଛାତ୍ର ମହାବିଦ୍ୟାଳୟରେ ପଢ଼ିନଥିବା ସ୍ପଷ୍ଟ କରିଥିଲେ।

ଏହା ପରେ ଜିଲ୍ଲାପାଳ ସଙ୍ଗୀତାଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। କିନ୍ତୁ ସଙ୍ଗୀତା ହାଇକୋର୍ଟରେ ମାମଲା ରୁଜୁ କରି ଜିଲ୍ଲାପାଳଙ୍କ ରାୟ ବିରୁଦ୍ଧରେ ରହିତାଦେଶ ଆଣିଥିଲେ। ଏହା ପରେ ଭିଜିଲାନସ୍ ନିଜ ଆଡ଼ୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ଭିଜିଲାନସ୍ ଏହି ମାମଲାର ଚାର୍ଜସିଟ୍ ଦାଖଲ କରିବାକୁ ଯାଉଥିବାରୁ ଆଜି ଡିଇଓ ଅଫିସକୁ ଆସି ସଙ୍ଗୀତାଙ୍କ ମାଟ୍ରିକ, ଯୁକ୍ତ ଦୁଇ, ଯୁକ୍ତ ତିନି, ବିଇଡ଼ି ସାର୍ଟିଫିକେଟ୍ ଯାଞ୍ଚ କରିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ସଙ୍ଗୀତା ୧୯୯୩ ମସିହାରେ କନ୍ଧମାଳ ଜିଲ୍ଲାର ଶଙ୍କରାଖୋଲ ହାଇସ୍କୁଲରୁ ଦଶମ, ୧୯୯୫ରେ ଟିକାବାଲି ଆଞ୍ଚଳିକ ମହାବିଦ୍ୟାଳୟରୁ ଯୁକ୍ତ ଦୁଇ, ୨୦୦୨ରେ କୋରାପୁଟ ଜିଲ୍ଲା ନନ୍ଦପୁର ସିନ୍ଧେଦେବୀ ମହାବିଦ୍ୟାଳୟରୁ ଯୁକ୍ତ ତିନି ପାସ୍ କରିଥିଲେ। କିନ୍ତୁ ଚାକିରି କରିବା ସମୟରେ ସଙ୍ଗୀତା ମୁନିଗୁଡା କଲେଜରୁ ଯୁକ୍ତ ଦୁଇ, ୨୦୧୦ ମସିହାରେ ବାଲେଶ୍ବର ଜିଲ୍ଲା ସୋର ମଧୁସୂଦନ ସଂସ୍କୃତ ମହାବିଦ୍ୟାଳୟରୁ ଯୁକ୍ତ ତିନି ଏବଂ ଆନ୍ଧ୍ର ବିଶ୍ବବିଦ୍ୟାଳୟରୁ ବିଇଡ଼ି ପାସ୍ କରିଥିବା ନେଇ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।

ଜାଲ୍ ସାର୍ଟିଫିକେଟ୍ ଅଭିଯୋଗ ଆସିବା ପରେ ଯାଞ୍ଚ ସମୟରେ ଯୁକ୍ତ ଦୁଇ ସାର୍ଟିଫିକେଟ୍ ଜାଲ୍ ଥିବା ଜଣା ପଡିଥିଲା। ଭିଜିଲାନସ୍ ଏହି ମାମଲାର ତଦନ୍ତ କରୁଥିବା ବେଳେ ଚାର୍ଜସିଟ୍ ପରେ ମାମଲାର ବିଚାର କରି କୋର୍ଟ ଯାହା ନିର୍ଦେଶ ଦେବେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବରିହା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର