ରାୟଗଡ଼ା: ରାୟଗଡ଼ା ପୌର ପରିଷଦରେ ଭତ୍ତା ବଣ୍ଟନରେ ହୋଇଛି ଅନିୟମିତତା। ମୃତ ଓ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ହିତାଧିକାରୀଙ୍କ ନାଁରେ ହଡପ କରାଯାଇଛି ଲକ୍ଷାଧିକ ଟଙ୍କା। ୨୦୧୮-୧୯ ଆର୍ଥିକ ବର୍ଷରେ ହୋଇଥିବା ଏହି ଅନିୟମିତତାର ତଦନ୍ତ ଆରମ୍ଭ କରିଛି ରାୟଗଡ଼ା ଭିଜିଲାନସ୍। ଆଜି ପୌର ପରିଷଦ କାର୍ଯ୍ୟାଳୟରେ ଭିଜିଲାନସ୍ ଡିଏସପି ଅନନ୍ତ ପ୍ରସାଦ ମଲ୍ଲିକ୍ ଓ ଟିମ୍ ପହଞ୍ଚି ଭତ୍ତା ବଣ୍ଟନର ସମସ୍ତ ନଥିପତ୍ର ଯାଞ୍ଚ କରିବା ସହ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ କେଉଁ କେଉଁ ହିତାଧିକାରୀଙ୍କୁ ଭତ୍ତା ବଣ୍ଟା ଯାଇଥିବା ତାହାର ସବିଶେଷ ବିବରଣୀ ମାଗିଛନ୍ତି।

Advertisment

ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନାନୁସାରେ, ୨୦୧୯-୨୦ ଆର୍ଥିକ ବର୍ଷ ଅପେକ୍ଷା ୨୦୧୮-୧୯ ରେ ହିତାଧିକାରୀଙ୍କ ତୁଳନାରେ ଅଧିକ ଲୋକଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ଯାହାଙ୍କ ମଧ୍ୟରେ ମୃତ ଓ ସହର ଛାଡ଼ି ଚାଲି ଯାଇଥିବା ହିତାଧିକାରୀ ଅଛନ୍ତି। କିନ୍ତୁ ଉକ୍ତ ହିତାଧିକାରୀଙ୍କୁ ତାଲିକାରୁ ବାଦ୍ ନ ଦେଇ ଜାଲ୍ ଦସ୍ତଖତରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଛି। ପ୍ରତି ମାସରେ ୧ ଲକ୍ଷରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କିକବ୍ୟାକ୍ ହୋଇଥିବା ନେଇ ଭିଜିଲାନସରେ ଅଭିଯୋଗ ହୋଇଛି। ଅଭିଯୋଗ ପରେ ଗତ ଜୁନ୍ ମାସରେ ପୌର ପରିଷଦକୁ ଏ ନେଇ ଚିଠି କରିଥିଲା ଭିଜିଲାନସ୍। କିନ୍ତୁ ଜୁନ୍ ମାସଠୁ ଆଜି ପର୍ଯ୍ୟନ୍ତ ଭିଜିଲାନସ୍ ନିକଟରେ କୌଣସି କାଗଜପତ୍ର ଦାଖଲ କରିନଥିଲେ ପୌର ପରିଷଦ କର୍ତ୍ତୃପକ୍ଷ। ଫଳରେ ଆଜି ଡିଏସପି ଶ୍ରୀ ମଲ୍ଲିକ୍ ପୌର ପରିଷଦ ଅଫିସରେ ଚଢ଼ଉ କରି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ୨୦୧୬-୧୭ ରୁ ୨୦୧୯-୨୦ ଆର୍ଥିକ ବର୍ଷର ହିତାଧିକାରୀଙ୍କ ତାଲିକା, ମୃତ୍ୟୁ ପଞ୍ଜିକରଣ ରେଜିଷ୍ଟ୍ରାର୍ ପ୍ରଦାନ କରିବାକୁ ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଚିଠି କରିଛନ୍ତି। ପୂର୍ବରୁ ଭତ୍ତା ଟଙ୍କା ବଣ୍ଟନ ଦାୟିତ୍ବରେ ଥିବା ଅଧିକାରୀ ବଦଳିବା ପରେ ଏହି ଦୁର୍ନୀତି ସଂପର୍କରେ ଜଣା ପଡିଛି।

publive-image

ନୂଆ ଅଧିକାରୀଙ୍କ ସମୟରେ ୨୦୧୭ ଅଗଷ୍ଟରୁ ୨୦୧୮ ମାର୍ଚ ମଧ୍ୟରେ ୯୬ ହଜାର ୩ ଶହ ଟଙ୍କା, ୨୦୧୮ ଏପ୍ରିଲରୁ ନଭେମ୍ବର ମଧ୍ୟରେ ୫୪ ହଜାର ୬ ଶହ, ୨୦୧୮ ଡିସେମ୍ବରରୁ ୨୦୧୯ ଅଗଷ୍ଟ ମଧ୍ୟରେ ୪ ଲକ୍ଷ ୬୮ ହଜାର ୩ ଶହ ଟଙ୍କା ବଳକା ହେବା ପରେ ଭୂତ ହିତାଧିକାରୀଙ୍କୁ ନେଇ ସନ୍ଦେହ ଉପୁଜିଥିଲା। ବର୍ଷକ ବ୍ୟବଧାନରେ ଏତେ ସଂଖ୍ୟକ ହିତାଧିକାରୀ କୁଆଡେ ଚାଲିଗଲେ ସେ ନେଇ ଭତ୍ତା ଟଙ୍କା ବଣ୍ଟନ ପାଇଁ ଦାୟିତ୍ବ ନେଇଥିବା ନୂଆ ଅଧିକାରୀ ଚିନ୍ତାରେ ପଡିଥିଲେ। ପରବର୍ତ୍ତୀ ସମୟରେ ନୂଆ ହିତାଧିକାରୀଙ୍କୁ ଚୟନ କରି ପୌର ପରିଷଦ ପକ୍ଷରୁ ବଳକା ହେଉଥିବା ଟଙ୍କା ବଣ୍ଟନ କରାଯାଇଛି। ପୌର ପରିଷଦ ପକ୍ଷରୁ ଆବଶ୍ୟକ କାଗଜପତ୍ର ମିଳିବା ପରେ ଯାଞ୍ଚ କରାଯାଇ କେସ୍ ରୁଜୁ ହେବ ବୋଲି କହିଛନ୍ତି ଭିଜିଲାନସ୍ ଡିଏସପି ଶ୍ରୀ ମଲ୍ଲିକ୍।