ଜଗତସିଂହପୁର ଟାଉନ୍: ଜଗତସିଂହପୁର ପୌରାଞ୍ଚଳରେ ବର୍ଷାଜଳ ଅମଳ ପ୍ରକଳ୍ପ ଦୁର୍ନୀତିର ଭିଜିଲାନ୍ସ ଖୋଳତାଡ଼ ଘଟଣାକୁ ନେଇ ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି। ଗୋଟିଏ ପରେ ଗୋଟିଏ ପ୍ରକଳ୍ପର ଦୁର୍ନୀତିର ପ୍ରମାଣ ମିଳୁଛି। କେଉଁଠି ଦୁଇ ରଦା ଇଟା, ଦୁଇଟି ନନ୍ଦରେ ପ୍ରକଳ୍ପ ପ୍ରସ୍ତୁତ ହୋଇଛି ତ ଆଉ କେଉଁଠି ମାଟିରେ ମିଶି ଗଲାଣି। କେଉଁଠି ଅଧା ନିର୍ମାଣରେ ବିଲ୍ ଉଠାଯାଇଛି। ଏମିତିରେ ଗତବର୍ଷ ଏହି ପ୍ରକଳ୍ପ ବାବଦକୁ ପୌରାଞ୍ଚଳରେ ବ୍ୟୟ କରାଯାଇଥିବା କୋଟିଏ ୧୦ ଲକ୍ଷ ଟଙ୍କାରୁ ସିଂହଭାଗ ଦୁର୍ନୀତି ହୋଇଥିବା ସୁରାକ ମିଳିଛି। ଭିଜିଲାନ୍ସ ୫ଟି ଦିଗ ଉପରେ ଆଲୋକପାତ କରିବା ସହ ଚିଠି ଲେଖି ଦସ୍ତାବିଜ୍ ମାଗିଛି। ପ୍ରକଳ୍ପର ସବିଶେଷ ତଥ୍ୟ, ଗାଇଡଲାଇନ୍ ଅନୁସାରେ ଚିହ୍ନଟ ଜାଗା, ଵାର୍କ ଅର୍ଡର୍, ବିଲ୍ ପ୍ରଦାନର ତରିକା, ପ୍ରକଳ୍ପ ସଂଖ୍ୟା, ସ୍ଥାନ, ଗୋଟି ଗୋଟି କରି ସମସ୍ତ ଫାଇଲ୍, କ୍ୟାସବୁକ୍, ପ୍ରକଳ୍ପ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିବରଣୀର ତଥ୍ୟ ମାଗିଛି ଭିଜିଲାନ୍ସ। କେବଳ ଜଗତସିଂହପୁର ପୌରାଞ୍ଚଳ ନୁହେଁ ରାଜ୍ୟର ବିଭିନ୍ନ ସହରରେ ବର୍ଷା ଜଳ ପ୍ରକଳ୍ପ ଦୁର୍ନୀତି ହୋଇଥିବା କୁହାଯାଉଛି।
ଜଗତସିଂହପୁର ଭିଜିଲାନ୍ସ ଡିଏସ୍ପି ଖୋଳତାଡ଼ ଆରମ୍ଭ କରିଥିବା ବେଳେ ସାରା ରାଜ୍ୟ ପାଇଁ ସରକାର ତଦନ୍ତ ନିର୍ଦ୍ଦେଶ ଦେଇ ପାରନ୍ତି ବୋଲି ଆଲୋଚନା ହେଉଛି। କାରଣ ବର୍ଷାଜଳ ଅମଳ ପ୍ରକଳ୍ପ ଦୁର୍ନୀତି ନେଇ ଅନେକ ଜାଗାରୁ ଅଭିଯୋଗ ମଧ୍ୟ ଆସିଛି। ଗାଇଡ୍ଲାଇନକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ବର୍ଷା ଜଳ ଅମଳ ପାଇଁ ନାଳ ଓ କୂଅ ଯେଉଁ ଭଳି ଭାବେ ନର୍ମାଣ ହେବା କଥା ଅନେକ ସ୍ଥାନରେ ସେଭଳି ହୋଇ ନାହିଁ। ଅଧିକାଂଶ ଜାଗାରେ ନାଳ ଓ କୂଅରେ ମାଟି, ବାଲି ପୂରାଇ ବିଲ୍ ଉଠାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ(ମୁକ୍ତା) ଯୋଜନା ଅଧୀନରେ ଅସହାୟ, ଗରିବ ଶ୍ରମିକଙ୍କୁ କର୍ମ ଦିବସ ଯୋଗାଇବା ଯେଉଁ ଲକ୍ଷ୍ୟ ରହିଥିଲା ତାହା ମଧ୍ୟ ପୂରଣ ହୋଇ ପାରି ନ ଥିଲା। ଏଥିରେ ମଧ୍ୟ ଜାଲିଆତି ହୋଇଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହେବା ପରେ ଏ ସମ୍ପର୍କରେ ମଧ୍ୟ ତଥ୍ୟ ମଗାଯାଇଥିବା ସୂଚନା ମିଳିଛି। ସହରୀକରଣ ଜୀବନଶୈଳୀ ବଢ଼ୁ ଥିବାରୁ ପାଣି ସମସ୍ୟା ଦେଖାଦେଉଛି। ତେଣୁ ମାଟି ତଳ ଜଳକୁ ଅଧିକ ରିଚାର୍ଜ କରିବା ପାଇଁ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ମୁକ୍ତା ଯୋଜନାର ଏହି ପ୍ରକଳ୍ପ ଏବେ ବଦନାମ୍ ମୁଣ୍ଡାଉଛି। ରାଜ୍ୟ ସରକାର ତଦନ୍ତ ନିର୍ଦ୍ଦେଶ ଦେଲେ ବଡ଼ ଧରଣର ଦୁର୍ନୀତି ପଦାକୁ ଆସିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/SUBHAKANTA85-0652265226_6.jpg)